ନୂଆଦିଲ୍ଲୀ,୨୫।୮: ଭାରତୀୟ କ୍ରିକେଟ ଟିମ୍ର ହେଡ୍ କୋଚ୍ ଓ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ଅଡୁଆ ବଢିଲା। ସୋମବାର ଦିଲ୍ଲୀ ହାଇକୋର୍ଟ ଗମ୍ଭୀର,ତାଙ୍କ ଫାଉଣ୍ଡେସନ୍ ଓ ପରିବାର ବିରୋଧରେ ଚାଲିଥିବା ଟ୍ରାଏଲ କୋର୍ଟଙ୍କ କାର୍ଯ୍ୟାନୁଷ୍ଠାନକୁ ରୋକିବେନି ବୋଲି ମନା କରିଦେଇଛନ୍ତି। ଏହି ମାମଲା କୋଭିଡ୍ -୧୯ ସମୟରେ ଔଷଧ, ବେଆଇନ ଷ୍ଟକ ଏବଂ ବିତରଣ ନେଇ ଜଡିତ।
ଜଷ୍ଟିସ୍ ନୀନା ବଁସଲ କୃଷ୍ଣା ଗମ୍ଭୀରଙ୍କ ଆବେଦନ ଉପରେ ଶୁଣାଣି କରିଛନ୍ତି। ତେବେ କୋର୍ଟ ତାଙ୍କୁ ଆଶ୍ବସ୍ତି ଦେବାକୁ ମନା କରିଦେଇଛନ୍ତି। ସେ କହିଛନ୍ତି, ଏବେ ଏହି ମାମଲାରେ ୨୯ ଅଗଷ୍ଟରେ ବିସ୍ତାରିତ ଭାବରେ ଶୁଣାଣି ହେବ। ତେବେ ଗମ୍ଭୀରଙ୍କ ପକ୍ଷରୁ ଦଲିଲ ଦିଆଯାଇଛି ଯେ, ଯଦି ସେ ଦିନ ପର୍ଯ୍ୟନ୍ତ ଶୁଣାଣି ନହୁଏ ତେବେ ଟ୍ରାଏଲ କୋର୍ଟ ୮ ସେପ୍ଟେମ୍ବରରେ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ତାଙ୍କର ପତ୍ନୀ ଓ ମା’ଙ୍କୁ ମଧ୍ୟ ସମନ ପଠାଇ ଦିଆଯାଇପାରେ।
ଏହି ମାମଲାରେ ଶୁଣାଣୀ ବେଳେ ଗମ୍ଭୀର ଓକିଲ ଅନନ୍ତ ଦେହଦରାଇ କହିଥିଲେ, ମୋର କ୍ଲାଏଣ୍ଟ ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ କ୍ୟାପଟେନ୍ ଓ ସାଂସଦ ରହିସାରିଛନ୍ତି । ଏବେ ସେ ଟିମ୍ ଇଣ୍ଡିଆର ହେଡ କୋଚ୍। କେବଳ ସେତିକି ନୁହେଁ କୋଭିଡ୍-୧୯ ମସୟରେ ଅକ୍ସିଜେନ୍ ସିଲିଣ୍ଡର ଏବଂ ଔଷଧ ବାଣ୍ଟି ଲୋକଙ୍କର ସାହାଯ୍ୟ କରିଥିଲେ। ତାଙ୍କର ଏଭଳି କଥାକୁ ନେଇ କୋର୍ଟ କଡା ଟିପ୍ପଣୀ ଦେଇ କହିଥିଲେ, ଆପଣ ବାରମ୍ବାର ତାଙ୍କର ନାଁ ଓ ପଦର ବିଷୟରେ କହୁଛନ୍ତି, ଯେପରି ଏହାଦ୍ବାରା ରାୟ ବଦଳିଯିବ। କୋର୍ଟରେ ଏସବୁ କାମ କରେନି, ଏଠି କେବଳ ତଥ୍ୟ ଓ ଆଇନ ଚାଲେ।’
୨୦୨୧ ରେ କୋଭିଡ୍-୧୯ର ଦ୍ବିତୀୟ ଲହର ବେଳେ ଦିଲ୍ଲୀ ଡ୍ରଗ୍ସ କନଟ୍ରୋଲ ବିଭାଗ ଗମ୍ଭୀର ଓ ତାଙ୍କ ସଂସ୍ଥା ବିରୋଧରେ ଅଭିଯୋଗ ଦାଖଲ କରିଥିଲା। ଅଭିଯୋଗ ଅନୁସାରେ, ଗମ୍ଭୀର ଫାଉଣ୍ଡେସନ୍ ଓ ତାଙ୍କ ପରିବାର ବିନା ଲାଇସେନ୍ସରେ କୋଭିଡ୍ ଓୗଷଧ ସଂରକ୍ଷଣ ଓ ବଣ୍ଟନ କରିଥିଲେ। ମାମଲାରେ ଟ୍ରାଏଲ କୋର୍ଟ ଗମ୍ଭୀର, ତାଙ୍କ ପତ୍ନୀ ନତାଶା, ମା’ ସୀମା ଗମ୍ଭୀର ଓ ଫାଉଣ୍ଡେସନ୍ର ସିଇଓ ଅପରାଜିତା ସିଂହଙ୍କୁ ସମନ ଜାରି କରିଥିଲା। ସମସ୍ତଙ୍କ ଉପରେ ଡ୍ରଗ୍ସ ଆଣ୍ଡ କସମେଟିକ୍ ଆକ୍ଟର ଧାରା ଅନୁସାରେ ଅଭିଯୋଗ ରହିଛି। ଉଲ୍ଲେଖନୀୟ ଯେ, ଧାରା 18(C) ଅନୁସାରେ, ଲାଇସେନ୍ସ ବିନା ଔଷଧ ତିଆରି, ବିକ୍ରି କିମ୍ବା ବିତରଣ ଉପରେ କଟକଣା ରହିଛି। ସେଭଳି 27(b)(ii) ଅନୁସାରେ, ଏହି ନିୟମର ଉଲଂଘନ କରିବା ଉପରେ ଅତି କମ୍ରେ ତିନି ବର୍ଷ ଓ ଅଧିକାଂଶ ୫ ବର୍ଷର ଜେଲ ଓ ଜରିମାନା ବ୍ୟବସ୍ଥା ରହିଛି। ସେପ୍ଟେମ୍ବର ୨୦୨୧ରେ ହାଇକୋର୍ଟ ଟ୍ରାଏଲ କୋର୍ଟର କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଥିଲେ। ଏହା ସହ ଡ୍ରଗ୍ସ କନଟ୍ରୋଲ ବିଭାଗକୁ ମଧ୍ୟ ଜବାବ ମାଗିଥିଲେ। କିନ୍ତୁ ଚଳିତ ବର୍ଷ ୯ ଏପ୍ରିଲରେ କୋର୍ଟ ରହିତାଦେଶ ଲଗାଇଥିଲେ। ଗମ୍ଭୀରଙ୍କ ପକ୍ଷରୁ କହିବା ଅନୁସାରେ, ସେହି ଦିନ ତାଙ୍କ ଓକିଲ କୋର୍ଟରେ ଉପସ୍ଥିତ ନଥିଲେ ଓ ବିନା କୌଣସି କଥା ନଶୁଣି ରହିତାଦେଶ ହଟାଇ ଦେଲେ।