ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ରସଂଘ ନିର୍ବାଚନ(DUSU)ର ଭୋଟଗଣତି ପାଇଁ ଅନୁମତି ଦେଇଛନ୍ତ ଦିଲ୍ଲୀ ହାଇକୋର୍ଟ। ୨୬ ନଭେମ୍ବର କିମ୍ବା ତା ପୂର୍ବରୁ ଫଳାଫଳ ଘୋଷଣା କରିବାକୁ ନିର୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି, ଛାତ୍ରସଂଘ ନିର୍ବାଚନ ଲଢୁଥିବା ବର୍ତ୍ତମାନର ପ୍ରାର୍ଥୀ ଓ ଭବିଷ୍ୟତର ପ୍ରାର୍ଥୀଙ୍କ ଏହି ଦାୟିତ୍ବ ଯେ, ସେମାନେ ୟୁନିଭର୍ସିଟିର ଭିତ୍ତିଭୂମୀକୁ ସଫା ଓ ସୁନ୍ଦର କରି ରଖନ୍ତୁ।
ଏହଛଡା କୋର୍ଟ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଓ ସମ୍ପର୍କିତ ଛାତ୍ରଙ୍କୁ ୧୦ ଦିନ ଭିତରେ ହାଇକୋର୍ଟର ରେଜେଷ୍ଟ୍ରୀରେ ଏକ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି। ନିର୍ବାଚନ ସମୟରେ କାନ୍ଥରେ ଲେଖାଯାଇଥିବା ସ୍ଲୋଗାନ ସମ୍ପର୍କରେ ଦାଖଲ ହୋଇଥିବା ଆବେଦନ ଶୁଣିବା ପରେ ଏହି ରାୟ ଦେଇଛନ୍ତି କୋର୍ଟ। ନିର୍ବାଚନ ପ୍ରଚାର ସମୟରେ ବିଶ୍ୱବିଦ୍ୟାଳୟ ପରିସର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା କାନ୍ଥ ଓ ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଆବେଦନକାରୀମାନେ ଅଭିଯୋଗ କରିଛନ୍ତି।
କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ କ୍ୟାମ୍ପସ ଏବଂ ଏହାର ଆଖପାଖ ଅଞ୍ଚଳରେ ଅଧିକାଂଶ କାନ୍ଥ ସଫା କରାଯାଇଛି ବୋଲି ବିଶ୍ୱବିଦ୍ୟାଳୟ ପ୍ରଶାସନ ଦାବି କରିଛି। ତଥାପି, ସ୍ପ୍ରେ ପେଣ୍ଟ ଏବଂ ଗ୍ରାଫିଟିର ଚିହ୍ନଗୁଡିକ କିଛି ରହିଯାଇଛି । ୧୦ ଦିନ ମଧ୍ୟରେ ସମସ୍ତ କାନ୍ଥ ସଫା ହୋଇଛି କି ନାହିଁ ଯାଞ୍ଚ କରିବାକୁ ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆସୁଥିବା ବ୍ୟାଚ୍ ପାଇଁ ସ୍ୱଚ୍ଛ ପରିବେଶ ଯୋଗାଇବା ଛାତ୍ରମାନଙ୍କର ଦାୟିତ୍। ବୋଲି କୋର୍ଟ କହିଛନ୍ତି।