ନୂଆଦିଲ୍ଲୀ: ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଏକ ନୋଟିସ୍ ଜାରି କରିଛି । ଏହି ମାମଲା ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ଏକ ନିର୍ବାଚନୀ ରାଲିରେ ତାଙ୍କ ଉତ୍ତେଜନାପୂର୍ଣ୍ଣ ଭାଷଣ ସହିତ ଜଡିତ। କୋର୍ଟ ପରବର୍ତ୍ତୀ ଶୁଣାଣି ଫେବୃଆରୀ ୨୭ ତାରିଖରେ ଧାର୍ଯ୍ୟ କରିଛନ୍ତି ।
କିଏ କରିଥିଲେ କୋର୍ଟରେ ଆବେଦନ ଦାଖଲ …
ଖାର୍ଗେ କର୍ଣ୍ଣାଟକ ନିର୍ବାଚନ ପ୍ରଚାର ସମୟରେ ଆରଏସଏସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ଆପତ୍ତିଜନକ ଏବଂ ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ରବିନ୍ଦ୍ର ଗୁପ୍ତା ନାମକ ଜଣେ ବ୍ୟକ୍ତି ଏ ସମ୍ପର୍କରେ ଏକ ଅଭିଯୋଗ ଦାଖଲ କରିଥିଲେ। କିନ୍ତୁ, ନଭେମ୍ବର ୨୦୨୪ ରେ, ଦିଲ୍ଲୀର ତିସ୍ ହଜାରୀ କୋର୍ଟ ଅଭିଯୋଗର ବିଚାର କରିବାକୁ ମନା କରି ଆବେଦନକୁ ଖାରଜ କରି ଦେଇଥିଲେ।
ତିସ୍ ହଜାରୀ କୋର୍ଟର ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ଆବେଦନକାରୀ ରବିନ୍ଦ୍ର ଗୁପ୍ତା ରାଉସ୍ ଆଭେନ୍ୟୁ କୋର୍ଟର ସେସନ୍ସ କୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିଥିଲେ। ଆବେଦନକାରୀ ଯୁକ୍ତି ଦର୍ଶାଇଥିଲେ ଯେ, ଖାର୍ଗେଙ୍କ ଭାଷଣ କେବଳ ଆପତ୍ତିଜନକ ନୁହେଁ ବରଂ ସମାଜରେ ଘୃଣା ପ୍ରସାର କରିବାର ସମ୍ଭାବନା ମଧ୍ୟ ରହିଛି। ତେଣୁ, ଆଇନଗତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ।
ରାଉସ୍ ଆଭେନ୍ୟୁ କୋର୍ଟ କହିଛନ୍ତି ଯେ ସମସ୍ତ ପକ୍ଷଙ୍କୁ ଶୁଣିବା ଆବଶ୍ୟକ…
ଆବେଦନର ପ୍ରାରମ୍ଭିକ ଶୁଣାଣି ପରେ, ରାଉଜ୍ ଆଭେନ୍ୟୁ କୋର୍ଟ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଏକ ନୋଟିସ୍ ଜାରି କରି ତାଙ୍କ ପକ୍ଷ ଉପସ୍ଥାପନ କରିବାକୁ କହିଛନ୍ତି । କୋର୍ଟ କହିଛନ୍ତି ଯେ ପ୍ରକୃତରେ ଏକ ଫୌଜଦାରୀ ମାମଲା ହୋଇଛି କି ନାହିଁ ତାହା ନିର୍ଣ୍ଣୟ କରିବା ପାଇଁ ମାମଲାର ସମସ୍ତ ପକ୍ଷଙ୍କୁ ଶୁଣିବା ଆବଶ୍ୟକ।