ନୂଆଦିଲ୍ଲୀ,୦୩/୧୧: ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନଦଣ୍ଡକୁ ପାର କଲା ଦିଲ୍ଲୀ ପ୍ରଦୂଷଣ ।୫ ଶହ ଟପିଗଲା ଦିଲ୍ଲୀରେ ଏକ୍ୟୁୱାଇ ମାତ୍ରା । ତେବେ ଦୀପାବଳିର ୨ଦିନ ପରେ ଏହା ଅଧିକ ବୃଦ୍ଧି ପାଇଛି। ଯେଉଁ କାରଣରୁ ଲୋକଙ୍କ ଚିନ୍ତା ବଢିଛି। ୧୨ ଘଣ୍ଟା ମଧ୍ୟରେ ପ୍ରଦୂଷଣ ସ୍ତର ଖରାପ ହେବାରୁ ବିପଦଜ୍ଜନକ ଅବସ୍ଥାରେ ପହଞ୍ଚିଛି। ରବିବାର ଅର୍ଥାତ୍ ଆଜି ସକାଳ ୫ଟାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୫୦୦ ପାର୍ କରିଛି। ଯାହା ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।
ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଧାର୍ୟ୍ୟ ମାନଦଣ୍ଡଠାରୁ ୬୫ ପ୍ରତିଶତ ଅଧିକ ରହିଛି ଦିଲ୍ଲୀର ପ୍ରଦୂଷଣ । ଏହି ବାୟୁ ପ୍ରଦୂଷଣ ହେତୁ ଦିଲ୍ଲୀର ପ୍ରାୟ ୬୯ ପ୍ରତିଶତ ପରିବାର ଗଳା ଯନ୍ତ୍ରଣା, କାଶ ସମେତ ବିଭିନ୍ନ ପ୍ରଦୂଷଣ ଜନିତ ରୋଗରେ ପୀଡିତ ଅଛନ୍ତି।ଜାତୀୟ ରାଜଧାନୀ ଦୀପାବଳି ରାତିରେ ବାୟୁ ପ୍ରଦୂଷଣର ଉଚ୍ଚ ସ୍ତର ରେକର୍ଡ କରିଛି ଏବଂ ବାୟୁ ଗୁଣବତ୍ତା ସୂଚକାଙ୍କ ବା ଏକ୍ୟୁଆଇ ବିଭିନ୍ନ ସ୍ଥାନରେ ସର୍ବାଧିକ ୯୯୯ ସ୍ତରକୁ ବୃଦ୍ଧି ପାଇଥିଲା । ଏକ ଡିଜିଟାଲ୍ ପ୍ଲାଟଫର୍ମ ଲୋକାଲ୍ ସର୍କଲ୍ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଦିଲ୍ଲୀ-ଏନସିଆରରେ ୨୧,୦୦୦ ରୁ ଅଧିକ ବାସିନ୍ଦାଙ୍କ ପ୍ରତିକ୍ରିୟା ସଂଗ୍ରହ କରାଯାଇ ଏହି ଅଞ୍ଚଳର ଜନସଂଖ୍ୟା ଉପରେ ବାୟୁ ପ୍ରଦୂଷଣର ବ୍ୟାପକ ପ୍ରଭାବ ପ୍ରକାଶ ପାଇଛି । ୬୨% ପରିବାରରେ ବାୟୁ ପ୍ରଦୂଷଣ ବୃଦ୍ଧି ହେତୁ ଜଣେ କିମ୍ବା ଅଧିକ ସଦସ୍ୟ ଆଖି ଜଳିବା ପରି ସମସ୍ୟା ଅନୁଭବ କରୁଥିବାବେଳେ ୪୬% ଲୋକ ନାକ ପୋଡ଼ା ଅନୁଭବ କରିଛନ୍ତି ।
ସର୍ବେକ୍ଷଣରେ ଅଂଶ ଗ୍ରହଣ କରିଥିବା ୩୧ ପ୍ରତିଶତ ଉତ୍ତରଦାତା ଶ୍ୱାସକ୍ରିୟାରେ ଅସୁବିଧା ଅନୁଭବ କରୁଥିବା ବେଳେ ୩୧ ପ୍ରତିଶତଙ୍କ ମୁଣ୍ଡବିନ୍ଧା ସମସ୍ୟା ଦେଖାଦେଇଛି। ପ୍ରାୟ ୨୩ ପ୍ରତିଶତ ବିବ୍ରତ ଅନୁଭବ କରିଥିବା ବେଳେ ୧୫ ପ୍ରତିଶତ ବ୍ୟକ୍ତି ଶୋଇବାରେ ଅସୁବିଧା ଅନୁଭବ କରୁଥିବା କହିଛନ୍ତି । ସେହିପରି ୩୧ ପ୍ରତିଶତ ବ୍ୟକ୍ତି କୌଣସି ଅସୁବିଧା ଅନୁଭବ କରିନଥିବା କହିଛନ୍ତି। ତେବେ ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ହ୍ରାସ ପାଇବାରେ ଲାଗିଛି । ଦୀପାବଳିର ଦୁଇ ଦିନ ପରେ ଅର୍ଥାତ ଆଜି ସକାଳ ସୁଦ୍ଧା ଏହା ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ଏହା ପଛରେ ସବୁଠାରୁ ବଡ କାରଣ ହେଉଛି ଅଧିକ ପବନ, ଯାହା କ୍ରମାଗତ ଭାବରେ ପ୍ରବାହିତ ହେଉଛି। ଏହା ବ୍ୟତୀତ ରାତିରେ କମ୍ ତାପମାତ୍ରା ମଧ୍ୟ ଏକ ବଡ଼ କାରଣ । ବାସ୍ତବରେ, ନିମ୍ନ ତାପମାତ୍ରା ବାୟୁର ଗତିକୁ ମନ୍ଥର କରିଥାଏ । QAir ୱେବସାଇଟର ତଥ୍ୟ ଅନୁଯାୟୀ, ଧୂଆଁର ଏକ ମୋଟା ପରସ୍ତ ଜାତୀୟ ରାଜଧାନୀକୁ ଘୋଡାଇ ରଖିଛି । ୧୨ ଘଣ୍ଟା ମଧ୍ୟରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ୩୨୭ ରୁ ୫୦୭ କୁ ବୃଦ୍ଧି ପାଇଛି। ଦିଲ୍ଲୀ-ଏନସିଆରର ପିଏମ୍ ୨.୫ ସ୍ତର ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସୀମାଠାରୁ ୬୫ ଗୁଣ ଅଧିକ ବିପଜ୍ଜନକ । ଯଦି AQI ୧୦୧ ଅତିକ୍ରମ କରେ ଏବଂ ୨୦୦ ରୁ କମ୍, ଏହାକୁ 'ମଧ୍ୟମ' ଭାବରେ ବିବେଚନା କରାଯାଏ । ଯଦି AQI ୨୦୧ ରୁ ୩୦୦ ମଧ୍ୟରେ ଥାଏ, ତେବେ ଏହାକୁ 'ଖରାପ' ଭାବରେ ବିବେଚନା କରାଯାଏ। ସେହିଭଳି AQI ୩୦୧ ରୁ ୪୦୦ ମଧ୍ୟରେ ପହଞ୍ଚିଲେ, ଏହାକୁ 'ଅତ୍ୟନ୍ତ ଖରାପ' ଓ ୪୦୧ ରୁ ୫୦୦ ମଧ୍ୟରେ ଥିଲେ ଏହାକୁ ‘ବିପଜ୍ଜନକ’ ବା 'ଗୁରୁତର' ଭାବରେ ବିବେଚନା କରାଯାଏ। ଏହା ଲୋକଙ୍କ ପାଇଁ କ୍ଷତିକାରକ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି କରିପାରେ।