ସୁବର୍ଣ୍ଣପୁର, ୧୧/୫ : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ଲଛିପୁରକୁ ବ୍ଲକ ମାନ୍ୟତା ଦାବି ନେଇ ଲଛିପୁର ବ୍ଲକ ପ୍ରତିଷ୍ଠା କମିଟି ପକ୍ଷରୁ ଏକ ଦାବିପତ୍ର ସୋନପୁର ବିଧାୟକ ନିରଞ୍ଜନ ପୂଝାରୀଙ୍କୁ ପ୍ରଦାନ କରାଯାଇଛି l ଦାବିପତ୍ର ଅନୁସାରେ ଲଛିପୁରକୁ ନୂତନ ବ୍ଲକ ଘୋଷଣା କରାଗଲେ ସୋନପୁର ବ୍ଲକର ଲଛିପୁର, ଛକୋରମାଲ,ଖଲିଆପାଲି, ରେଙ୍ଗାଲି, ମୟୂରଉଡାନ ଏବଂ ବିନିକା ବ୍ଲକର ମହଦା, ଜୁଲୁଣ୍ଡl, କୁହିବାହଲ, କଇଁନ୍ତିରା ଆଦି ୯ ଟି ପଞ୍ଚାୟତର ଲୋକେ ଉପକୃତ ହୋଇପାରିବେ l ବର୍ତ୍ତମାନ ସୋନପୁର ବ୍ଲକର ଶେଷ ସିମା ଛକୋରମାଲ ପଞ୍ଚାୟତ ୪୫କିମି ପଡୁଥିବାବେଳେ ଲଛିପୁରକୁ ୩୦କିମି ଦୂରତା ପଡୁଛି l
ଭୌଗୋଳିକ ଦୃଷ୍ଟିକୋଣରୁ ଲଛିପୁରକୁ ବ୍ଲକ ଗଠନ କରିବା ଭିତ୍ତିଭୂମି ରହିଛି l ୧୯୯୩ ସେପ୍ଟେମ୍ବର ୨୬ତାରିଖରେ ପୂର୍ବତନ ବିଧାୟକ ସ୍ଵର୍ଗତ କୁନ୍ଦୁରୁ କୁଶଳଙ୍କ ଅନୁମୋଦନ କ୍ରମେ ଲଛିପୁରକୁ ବ୍ଲକ ଗଠନ ପ୍ରସ୍ତାବ ପଂଚାୟତରାଜ ବିଭାଗର ତତ୍କାଳୀନ ସଚିବ ତଥା କମିଶନରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା l ସେହି ସମୟରେ ଜଷ୍ଟିସ କେପି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ଲକ ପୁନର୍ଗଠନ କମିସନ ଆଗରେ ମଧ୍ୟ ଲିଖିତ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା l ମାତ୍ର ଆଜି ପର୍ଯ୍ୟନ୍ତ ଲଛିପୁର ବ୍ଲକ ଘୋଷଣା କରାଯାଇନାହିଁ l ଏ ନେଇ ଆଜି କମିଟି ପକ୍ଷରୁ ବିଧାୟକ ନିରଞ୍ଜନ ପୂଝାରୀଙ୍କୁ ତାଙ୍କ ରାମପୁରସ୍ଥିତ କାର୍ଯ୍ୟାଳୟଠାରେ ଦାବିପତ୍ର ପ୍ରଦାନ କରାଯାଇଥିଲା l
ଦାବିପତ୍ର ପ୍ରଦାନବେଳେ କମିଟିର ସଭାପତି ସତ୍ୟନାରାୟଣ ଦାଶ, ସମ୍ପାଦକ ବସୁଦେବ ରଣା, ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ଛକୋରମାଲର ପୂର୍ବତନ ସରପଞ୍ଚ ଶଙ୍କର ପ୍ରସାଦ ସା, ଲଛିପୁର ସରପଞ୍ଚ ଜ୍ୟୋତି ରଞ୍ଜନ ନୁଆଇଁ, ରଜତ ପଧାନ (ଜୁଲୁଣ୍ଡl), ସୁଦାମ ପଧାନ (କୁହିବlହାଲ), ପ୍ରଦୀପ ବାଗ (ରେଙ୍ଗାଲି), ଭୁବନ ଦାଶ, ରମାକାନ୍ତ ପୂଝାରୀ, ଲଛମନ ସୁନା, ସମୀର ବେହେରା, ସଞ୍ଜିବ ମିଶ୍ର, ଜ୍ୟୋତି ରଞ୍ଜନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ l