ନୂଆଦିଲ୍ଲୀ, ୨୬।୧୨: ରାଜଧାନୀ ଦିଲ୍ଲୀ ପରେ ଉତ୍ତରପ୍ରଦେଶରେ ଘନ କୁହୁଡ଼ି ଚେତାବନୀ । ଦିଲ୍ଲୀ ଏବଂ ଉତ୍ତରପ୍ରଦେଶ ସମେତ ଦେଶର ଉତ୍ତର ରାଜ୍ୟଗୁଡ଼ିକରେ କୁହୁଡ଼ି ଏକ ପ୍ରମୁଖ ସମସ୍ୟା ଭାବେ ଉଭାହେଲାଣି । ପଞ୍ଜାବ ଏବଂ ହରିୟାଣା ଭଳି ରାଜ୍ୟଗୁଡ଼ିକରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ପାଣିପାଗ ବିଭାଗର ସୂଚନାନୁସାରେ, ଆସାମ, ମେଘାଳୟ, ବିହାର, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ପଞ୍ଜାବ ଏବଂ ଉତ୍ତରପ୍ରଦେଶର କିଛି ସ୍ଥାନରେ ଅତି ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଅରୁଣାଚଳପ୍ରଦେଶ, ଛତିଶଗଡ଼, ପୂର୍ବ ମଧ୍ୟପ୍ରଦେଶ, ହିମାଚଳପ୍ରଦେଶ, ଜମ୍ମୁ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଓଡ଼ିଶା, ଉପ-ହିମାଳୟୀ ପଶ୍ଚିମବଙ୍ଗ ଏବଂ ସିକିମ୍ ଏବଂ ଉତ୍ତରାଖଣ୍ଡର କିଛି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ଡିସେମ୍ବର ୨୬ ସକାଳ ପର୍ଯ୍ୟନ୍ତ ଲୋକଙ୍କୁ ସତର୍କ କରାଇ ଆଇଏମଡି କହିଛି ଯେ, ଦୃଶ୍ୟମାନତା କମ୍ ରହିବ । ତେଣୁ ସତର୍କତାର ସହିତ ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି ।
ଉତ୍ତରପ୍ରଦେଶର ୮ ଜିଲ୍ଲାରେ ରେଡ୍ ଆଲର୍ଟ:
ଉତ୍ତରପ୍ରଦେଶର ୮ଟି ଜିଲ୍ଲାରେ ଘନ କୁହୁଡ଼ି ପାଇଁ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି । ଏହି ଜିଲ୍ଲାଗୁଡ଼ିକ ହେଉଛି ବରେଲି, ବାରବାଙ୍କି, ଲକ୍ଷ୍ନୌ, ବହରାଇଚ୍, ଶ୍ରାବସ୍ତି, ପ୍ରୟାଗରାଜ, ଭଦୋହି, ବାରାଣାସୀ ଏବଂ ମିର୍ଜାପୁର । ଅତ୍ୟଧିକ ଘନ କୁହୁଡ଼ି ହେତୁ ଏହି ଜିଲ୍ଲାଗୁଡ଼ିକରେ ଦୃଶ୍ୟମାନତା ୫୦ ମିଟର ତଳକୁ ଖସିପାରେ । ୧୮ ଜିଲ୍ଲା ପାଇଁ ଏକ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି, ଯେଉଁଠାରେ ୨୦୦ରୁ ୫୦ ମିଟର ମଧ୍ୟରେ ଦୃଶ୍ୟମାନତା ରହିବ ବୋଲି ଆଶା କରାଯାଉଛି । ଏହି ଜିଲ୍ଲାଗୁଡ଼ିକ ହେଉଛି ମୋରାଦାବାଦ, ରାମପୁର, ଲକ୍ଷ୍ମୀପୁର-ଖେରୀ, ପିଲିବିଟ୍, ସୀତାପୁର, ବଳରାମପୁର, ସିଦ୍ଧାର୍ଥ ନାଗର, ବସ୍ତି, ଗୋଣ୍ଡା, ସନ୍ଥ କବୀର ନଗର, ଗୋରଖପୁର, ଆମ୍ବେଦକର ନଗର, ଅଯୋଧ୍ୟା, ସୁଲତାନପୁର, ଆଜମଗଡ଼, ଜୌନପୁର, ଚନ୍ଦୋଲି ।
ଦିଲ୍ଲୀରେ ହ୍ରାସ ପାଇଛି AQI:
ଗୁରୁବାର ଦିଲ୍ଲୀର AQI ୨୩୪ ରେକର୍ଡ କରାଯାଇଛି । ସରକାରୀ ତଥ୍ୟ ଅନୁଯାୟୀ, ପଡ଼ୋଶୀ ସହରଗୁଡ଼ିକରୁ ଯାନବାହନ ନିର୍ଗମନ ଏବଂ ପ୍ରଦୂଷଣ ରାଜଧାନୀର ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି କରିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ଦିଲ୍ଲୀର ୨୪ ଘଣ୍ଟାର ହାରାହାରି AQI ଅପରାହ୍ନ ୪ଟାରେ ୨୩୪ ଥିଲା, ଯାହା "ଖରାପ" ବର୍ଗରେ ରହିଛି, ଯାହା ଗୋଟିଏ ଦିନ ପୂର୍ବେ ସେହି ସମୟରେ ୨୭୧ ଥିଲା । ସହରରେ କାର୍ଯ୍ୟ କରୁଥିବା ୪୦ଟି ବାୟୁ ଗୁଣବତ୍ତା ମନିଟରିଂ ଷ୍ଟେସନ ମଧ୍ୟରୁ ୧୦ଟି ଷ୍ଟେସନରେ ମଧ୍ୟମ ବର୍ଗରେ ୨୦୦ ତଳେ AQI ରେକର୍ଡ କରାଯାଇଛି, ଯେଉଁଥିରେ ଲୋଧି ରୋଡ୍, ଆଇଆଇଟି ଦିଲ୍ଲୀ, ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଆୟା ନଗର ଅନ୍ତର୍ଭୁକ୍ତ । ଅନ୍ୟପଟେ ୨୭ଟି ଷ୍ଟେସନରେ ବାୟୁ ଗୁଣବତ୍ତା ଖରାପ ବର୍ଗରେ ରେକର୍ଡ କରାଯାଇଛି । ଜାହାଙ୍ଗୀରପୁରୀ ଏବଂ ବୱାନା ଷ୍ଟେସନରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ରେକର୍ଡ କରାଯାଇଛି, AQI ସ୍ତର ୩୦୦ ଉପରେ ରହିଛି ।
ପଞ୍ଜାବ-ହରିୟାଣାରେ ପ୍ରବଳ ଥଣ୍ଡା:
ପଞ୍ଜାବ ଏବଂ ହରିୟାଣାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ସୂଚନା । ଗୁରୁବାର ଫରିଦକୋଟରେ ସର୍ବନିମ୍ନ ତାପମାତ୍ରା ୪.୩ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ହରିୟାଣାର ଫରିଦକୋଟ ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ଥିଲା । ଉଭୟ ରାଜ୍ୟର ଅନେକ ଅଞ୍ଚଳ ଘନ କୁହୁଡ଼ିରେ ଆଚ୍ଛାଦିତ ଦେଇଥିଲା, ଯାହା ଦୃଶ୍ୟମାନତାକୁ ହ୍ରାସ କରିଥିଲା । ସ୍ଥାନୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ପଞ୍ଜାବର ଅମୃତସରରେ ସର୍ବନିମ୍ନ ତାପମାତ୍ରା ୫.୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି, ଯାହା ଋତୁର ସ୍ୱାଭାବିକ ତାପମାତ୍ରାଠାରୁ ୨ ଡିଗ୍ରୀ ଅଧିକ । ଲୁଧିଆନା ଏବଂ ପଟିଆଲାରେ ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ପଠାନକୋଟରେ ସର୍ବନିମ୍ନ ତାପମାତ୍ରା ୬.୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ବଠିଣ୍ଡାରେ ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରୀ ସେଲସିୟସ୍ ଥିବା ବେଳେ ଥଣ୍ଡା ପାଗ ଜାରି ରହିଛି ଏବଂ ଗୁରୁଦାସପୁରରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ସେଲସିୟସ୍ ରହିଛି ।
ସେହିଭଳି ଚଣ୍ଡିଗଡ଼ରେ ସର୍ବନିମ୍ନ ତାପମାତ୍ରା ୬.୯ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ହରିୟାଣାର ଅମ୍ବାଲାରେ ସର୍ବନିମ୍ନ ତାପମାତ୍ରା ୭.୯ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ତାପମାତ୍ରାଠାରୁ ଗୋଟିଏ ଡିଗ୍ରୀ ଅଧିକ । ହିସାରରେ ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । କର୍ଣ୍ଣଲରେ ସର୍ବନିମ୍ନ ତାପମାତ୍ରା ୬.୮ ଡିଗ୍ରୀ ସେଲସିୟସ୍, ନାରନୌଲରେ ୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ରୋହତକ, ଭିୱାନୀ ଏବଂ ସିର୍ସାରେ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୬.୮, ୬ ଏବଂ ୬.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।