ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଡିଇଓ କାର୍ଯ୍ୟାଳୟରେ ସାଂଘାତିକ କେଳେଙ୍କାରୀ: ନକଲି ଆକାଉଣ୍ଟ୍‌ଧାରୀଙ୍କ ସହ ସୁଇମିଂ ପୁଲ୍‌ରେ କର୍ମଚାରୀଙ୍କ ମଉଜ

Published By : Prameya | April 7, 2025 1:36 PM

କଟକ,୦୭/୦୪: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ(ଡିଇଓ)ରୁ ୨୮ଲକ୍ଷ ଟଙ୍କା ଦୁଇ ନକଲି ଆକାଉଣ୍ଟକୁ ଯିବା ଏବଂ ପରେ ତାକୁ ପିଅନ ଆକାଉଣ୍ଟ୍‌କୁ ପଠାଇ ସେଥିରୁ ଟଙ୍କା ଉଠାଇ ବଣ୍ଟାଯିବା ଘଟଣାର ପ୍ରକୃତ ସତ ଧରା ପଡ଼ିଯାଇଛି । ଯେଉଁ ଦୁଇଟି ନକଲି ଆକାଉଣ୍ଟକୁ ଟଙ୍କା ଟ୍ରାନ୍‌ସଫର୍‌  ହୋଇଥିଲା ସେଥିରୁ ଜଣେ ହେଉଛନ୍ତି ପପୁ ଦାସ । ପପୁ ଦାସ ପେସାରେ ଡ୍ରାଇଭର ଓ ତାଙ୍କର ଡିଇଓ କାର୍ଯ୍ୟାଳୟ ସହିତ କୌଣସି ସମ୍ପର୍କ ନାହିଁ ।  କୁହାଯାଉଥିଲା କି ପିଅନଙ୍କ ସହିତ ପପୁଙ୍କର ସମ୍ପର୍କ ରହିଥିଲା ଏବଂ ତାଙ୍କୁ ମାଧ୍ୟମ କରି ପିଅନ  ଟଙ୍କା ଉଠାଇନେଲେ । କିନ୍ତୁ ଏବେ ଏକ ଭାଇରାଲ୍‌ ଫଟୋ ସବୁ ସତ ଧରା ପକାଇ ଦେଇଛି । ଯେଉଁ  ଡ୍ରାଇଭର ପପୁ ଦାସଙ୍କ ଆକାଉଣ୍ଟକୁ ଡିଇଓ ଅଫିସରୁ ଟଙ୍କା ଟ୍ରାନ୍ସଫର୍‌ କରାଯାଇଥିଲା, ସେହି  ପପୁଙ୍କ ସହ ଡିଇଓ କାର୍ଯ୍ୟାଳୟର ତଥାକଥିତ  ପାୱାରଫୁଲ୍‌ କର୍ମଚାରୀମାନେ ସୁଇମିଂ ପୁଲ୍‌ରେ  ମଉଜ କରୁଛନ୍ତି । ପରସ୍ପର କାନ୍ଧରେ ହାତ ପକାଇ  ପୁରୀର ଏକ ବିଳାସପୂର୍ଣ୍ଣ ହୋଟେଲର ସୁଇମିଂ  ପୁଲ୍‌ରେ ଏମାନେ ମଜା କରୁଥିବା ଫଟୋରେ  ଦେଖିବାକୁ ମିଳିଛି ।  

ଡିଇଓ କାର୍ଯ୍ୟାଳୟରେ ସରକାରୀ ଟଙ୍କା ବାଟମାରଣା ଘଟଣାରେ ଏବେ ସବୁ ଦୋଷ  ଜଣେ ପିଅନଙ୍କ ମୁଣ୍ଡରେ ଲଦି ଦେଇ ଡିଇଓ କାର୍ଯ୍ୟାଳୟର ବାବୁମାନେ ଖସିଯିବାକୁ ଜୋର୍‌ଦାର୍‌  ଉଦ୍ୟମ କରୁଛନ୍ତି । କିନ୍ତୁ ପୁରୁଣା ଦିନରେ ପପୁଙ୍କ  ସହ ଡିଇଓ କାର୍ଯ୍ୟାଳୟ ଅଧିକାରୀମାନଙ୍କ ସମ୍ପର୍କ କିଭଳି ଥିଲା ତାକୁ ଭାଇରାଲ୍‌ ଫଟୋ  ପ୍ରମାଣିତ କରିଛି । 

ଘଟଣାକ୍ରମକୁ ଆରମ୍ଭରୁ ଯଦି  ଦେଖାଯାଏ, ୨୦୨୧ ଏପ୍ରିଲ ୪ ରୁ ଜୁନ୍‌ ୧୮  ତାରିଖ ପର୍ଯ୍ୟନ୍ତ ଦୁଇ ପର୍ଯ୍ୟାୟରେ ୨୮ଲକ୍ଷ ଟଙ୍କା  ଡିଇଓ ଅଫିସରୁ ଦୁଇଟି ନକଲି ଆକାଉଣ୍ଟକୁ  ପଠାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ପ୍ରକାଶ  ଚନ୍ଦ୍ର ମିଶ୍ରଙ୍କ ନାମରେ ୧୩ଲକ୍ଷ ୬୯ହଜାର ୨୨୦  ଟଙ୍କା ଯେଉଁ ଆକାଉଣ୍ଟକୁ ପଠାଯାଇଥିଲା ତାହା  ବାସ୍ତବରେ ଜଣେ ଡ୍ରାଇଭର୍‌ ପପୁ ଦାସଙ୍କର ।  ପ୍ରକାଶ ଚନ୍ଦ୍ର ମିଶ୍ର ନାମଧାରୀ କୌଣସି ବ୍ୟକ୍ତିଙ୍କର  ତାହା ଆକାଉଣ୍ଟ ହିଁ ନଥିଲା । ଅନ୍ୟପକ୍ଷରେ  ପପୁ ହେଲେ ପିଅନଙ୍କ ସମ୍ପର୍କୀୟ ଅର୍ଥାତ୍‌ ତାଙ୍କ  ପରିବାରର ଗାଡ଼ି ଚଳାଉଥିବା ଡ୍ରାଇଭର୍‌ । ଡିଇଓ  କାର୍ଯ୍ୟାଳୟ ସହିତ ସିଧାସଳଖ ସମ୍ପର୍କ ନଥିଲେ  ମଧ୍ୟ ପପୁଙ୍କର ଅବାଧ ପ୍ରବେଶ ଥିଲା କାର୍ଯ୍ୟାଳୟ  ପରିସରକୁ । ଡିଇଓ ଅଫିସରେ ଅଧିକାରୀମାନଙ୍କ  ଚାମ୍ବରରେ ଗୋଡ଼ ଉପରେ ଗୋଡ଼ ପକାଇ ବସୁଥିବା ପପୁଙ୍କ ସହିତ କାର୍ଯ୍ୟାଳୟର ବହୁ  ଅଧିକାରୀ ଓ କର୍ମଚାରୀଙ୍କ ଘନିଷ୍ଠ ସମ୍ପର୍କ ଥିଲା ।  ତେଣୁ ପପୁଙ୍କ ଆକାଉଣ୍ଟକୁ (କାଗଜପତ୍ରରେ ଅନ୍ୟଜଣେ ବ୍ୟକ୍ତିଙ୍କ ନାଁରେ ଥିବା ଆକାଉଣ୍ଟକୁ)  ୧୩ ଲକ୍ଷରୁ ଅଧିକ ଟଙ୍କା ପଠାଯାଇଥିଲା । ସେହିପରି ଦ୍ୱିତୀୟ ନକଲି ଆକାଉଣ୍ଟ ପ୍ରତାପ ଚନ୍ଦ୍ର ରଣାଙ୍କ ନାଁରେ କରାଯାଇଥିଲା, ଯାହା  ବାସ୍ତବରେ ମଞ୍ଜୁବାଳା ବେହେରାଙ୍କ ଆକାଉଣ୍ଟ ବୋଲି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ଡିଇଓଙ୍କୁ ଲିଖିତ  ଭାବେ ଜଣାଇଛି । ଏହି ଆକାଉଣ୍ଟକୁ ୧୪ଲକ୍ଷ  ୩୧ହଜାର ୫ଶହ ଟଙ୍କା ଟ୍ରାନ୍ସଫର୍‌ କରାଯାଇଥିଲା । ଆଶ୍ଚର୍ଯ୍ୟର କଥା, ମଞ୍ଜୁବାଳାଙ୍କ ରକ୍ତ ସମ୍ପର୍କୀୟ ମଧ୍ୟ ଏହି ଭାଇରାଲ୍‌ ଫଟୋରେ ରହିଛନ୍ତି ଏବଂ  ଡିଇଓ କାର୍ଯ୍ୟାଳୟର କର୍ମଚାରୀଙ୍କ କାନ୍ଧରେ ହାତ  ପକାଇ ଫଟୋ ଉଠାଇଛନ୍ତି ।   

ତେଣୁ ଜାଲିଆତି ବେଶ୍‌ ଜଳଜଳ । ଦୁଇ ନକଲି ଆକାଉଣ୍ଟ ମାଧ୍ୟମରେ ଚଞ୍ଚକତାର ସହ ସରକାରୀ ଟଙ୍କାକୁ ଆତ୍ମସାତ୍‌ କରି ମଉଜ କରିଥିଲେ କର୍ମଚାରୀମାନେ । ଯାହା ପ୍ରମାଣିତ କରିଛି ଏ  ଫଟୋ । ଏଥିରେ ଡିଇଓ କାର୍ଯ୍ୟାଳୟର ଜଣେ କ୍ଲର୍କ,  ତିନିଜଣ ଜୁନିଅର ଆସିଷ୍ଟାଣ୍ଟ୍‌ ରହିଛନ୍ତି । ଚର୍ଚ୍ଚା  ହୁଏ, ଏମାନେ ଡିଇଓ କାର୍ଯ୍ୟାଳୟର ସବୁଠାରୁ ପ୍ରଭାବଶାଳୀ କର୍ମଚାରୀ । କଟକ ଜିଲ୍ଲାରେ ରହିଥିବା ବିଭିନ୍ନ ସ୍କୁଲ୍‌ର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ  ଏମାନେ ଆଙ୍ଗୁଳିରେ ନଚାଇଥାନ୍ତି । ଦୀର୍ଘ ବର୍ଷ ଧରି ଏମାନେ ଏହି କାର୍ଯ୍ୟାଳୟରେ ରହି ମନଇଚ୍ଛା କାରବାର ଚଳାଇଛନ୍ତି। ଅଧିକାରୀମାନଙ୍କ  ନିକଟତର ଏବଂ ସେମାନଙ୍କୁ ସୁହାଇବା ଭଳି କାମ କରୁଥିବାରୁ ଏମାନଙ୍କ ବଦଳି ବି ହେଉନାହିଁ । ଏବେ ୨୮ଲକ୍ଷ କେଳେଙ୍କାରୀ  ଘଟଣାରେ ଏମାନଙ୍କ ସନ୍ଦିଗ୍‌ଧ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି । ଯେଉଁ ବାହାର ଲୋକ ଅର୍ଥାତ୍‌ ନକଲି ଆକାଉଣ୍ଟକୁ ଡିଇଓ କାର୍ଯ୍ୟାଳୟରୁ ସରକାରୀ ଟଙ୍କା ପଠାଯାଇଥିଲା, ସେମାନଙ୍କ ସହ କର୍ମଚାରୀମାନେ କେମିତି ଏତେ ନିକଟତର ହେଲେ ଓ ସୁଇମିଂ ପୁଲ୍‌ ଯାଏ ଗଲେ ତାହା ଏବେ ତଦନ୍ତ ସାପେକ୍ଷ ବୋଲି କୁହାଯାଉଛି । ଏସବୁର ତଦନ୍ତ ହେଲେ ଆହୁରି ଅନେକ ରହସ୍ୟ ଫିଟିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.