ଭୁବନେଶ୍ଵର, ୨୮/୫ : ଆଜି ଲୋକସେବା ଭବନସ୍ଥିତ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପରିଡାଙ୍କର କାର୍ଯ୍ୟାଳୟରେ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଆୟୋଗର ନୂତନ ୱେବସାଇଟର ଢାଞ୍ଚା ପ୍ରସ୍ତୁତିର ସମୀକ୍ଷା କରିବା ସହ ମହିଳା ଆୟୋଗର ନ୍ୟୁଜ୍ ଲେଟରର ଉନ୍ମୋଚନ କରିଛନ୍ତି । ଯେପରି ଗ୍ରାମାଞ୍ଚଳର ଲୋକମାନେ ୱେବସାଇଟକୁ ସହଜରେ ବ୍ୟବହାର କରିପାରିବେ ସେହିପରି ଭାବେ ୱେବସାଇଟକୁ ସରଳ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଗୁରୁତ୍ଵ ଦେଇଛନ୍ତି । ଏହାସହ ସୁଭଦ୍ରା ସମବେଦନା ଯୋଜନାର ରୂପରେଖ ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ଶ୍ରୀମତୀ ପରିଡା ସମୀକ୍ଷା କରିଛନ୍ତି ।
ଏହି ଯୋଜନା ମାଧ୍ୟମରେ ଆତ୍ମରକ୍ଷା କୋଶଳ, ମାନସିକ ସ୍ବାସ୍ଥ୍ୟ, ସ୍ବଚ୍ଛତା ଓ ବ୍ୟାପକ ଜନସଚେତନତା ଉପରେ ଶ୍ରୀମତୀ ପରିଡା ଗୁରୁତ୍ବାରୋପ କରିଥିଲେ । ବିଶେଷକରି ନିର୍ଭୟା ପାଣ୍ଠିକୁ ବ୍ୟବହାର କରି ମହିଳା ହିଂସା ରୋକିବା ଉପରେ ସେ ଆଲୋକପାତ କରିଥିଲେ । ସମନ୍ଵିତ ଶିଶୁ ବିକାଶ ଯୋଜନା ଅଧୀନରେ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନଙ୍କୁ ସ୍ମାର୍ଟ ତାଲିମ ପ୍ରଦାନ କରିବା ଉପରେ ଆଲୋଚନା କରାଯାଇଥିଲା । ଡିଜିଟାଲ ଟେକ୍ନୋଲୋଜି ମାଧ୍ୟମରେ କାର୍ଯ୍ୟ କରିବା ନିମନ୍ତେ ତାଲିମ ଦେଇ ସ୍ମାର୍ଟ ଅଙ୍ଗନବାଡି କର୍ମୀ ସୃଷ୍ଟି କରାଯିବା ଉପରେ ପ୍ରାଧାନ୍ୟ ଦିଆଯାଇଛି । ସମାଜ କଲ୍ୟାଣ ବୋର୍ଡରେ ଏନଜିଓମାନଙ୍କୁ ତାଲିକାଭୁକ୍ତ କରିବା ପାଇଁ ଆପ୍ଲିକେସନ ଢାଞ୍ଚା ପ୍ରସ୍ତୁତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।
ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଓ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।