କୋରାପୁଟ, ୨୫/୦୭: ଡେପୁଟି ରେଞ୍ଜରଙ୍କ ଅଚଳାଚଳ ସମ୍ପତ୍ତି । ଘରେ କରିଥିଲେ ସିକ୍ରେଟ୍‌ ଟ୍ରେଜେରୀ । ରେଡ୍‌ ବେଳେ ଘରୁ ବାହାରିଲା ବିଡ଼ା ବିଡ଼ା ଟଙ୍କା । କେବଳ ସେତିକି ନୁହେଁ, ସୁନା ବିସ୍କୁଟ ସହ ସୁନା ମୁଦ୍ରା ମଧ୍ୟ ମିଳିଲା । ବାବୁଙ୍କ ଘରେ ଟଙ୍କାର ପାହାଡ଼ ଦେଖି ବର୍ତ୍ତମାନ ଭିଜିଲାନ୍ସ ତାଜୁବ ହୋଇଛି ।  

ବନ ବିଭାଗ ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଉଛି । ଜୟପୁର ଟାଉନର ଗୋଲଡେନ୍ ହାଇଟ୍ ଆପାର୍ଟମେଣ୍ଟର ଫ୍ଲାଟ ନମ୍ବର ୫୧୦ରେ ଚଢାଉ ଚାଲିଥିଲା । ଉକ୍ତ ଫ୍ଲାଟ୍‌ରେ ଏକ ସିକ୍ରେଟ୍‌ ଟ୍ରେଜେରୀରେ ସମସ୍ତ ଟଙ୍କା ଏବଂ ସୁନା ଲୁଚାଇ ରଖିଥିଲେ । ଚଢାଉ ବେଳେ ଉକ୍ତ ଟ୍ରେଜେରୀରୁ ସମସ୍ତ ଟଙ୍କା ଏବଂ ସୁନା  ଠାବ କରିଛି ଭିଜିଲାନ୍ସ ଟିମ୍‌ । ରେଡ୍‌ ବେଳେ ପ୍ରାୟ ୧.୪ କୋଟି ଟଙ୍କା ଠାବ କରାଯାଇଛି । ଏହା ବ୍ୟତୀତ ୪ଟି ସୁନା ବିସ୍କୁଟ୍ ଏବଂ ୧୬ଟି ସୁନା ମୁଦ୍ରା (ପ୍ରତ୍ୟେକର ଓଜନ ୧୦ ଗ୍ରାମ) ମଧ୍ୟ ଠାବ ହୋଇଛି। କେବଳ ସେତିକି ନୁହେଁ, ୨ଟି ଉଚ୍ଚ ମୂଲ୍ୟର ପ୍ଲଟ୍, ୧.୫ କିଲୋଗ୍ରାମ ସୁନା, ୪.୬୩୭ କିଲୋଗ୍ରାମ ରୂପା ସହ ଏକ ଚାରିଚକିଆ ଗାଡ଼ି ମଧ୍ୟ ଠାବ ହୋଇଛି ।