ମନମୁଣ୍ଡା,୩।୧୧ : ଦିନ ଥିଲା କୋଭିଡ଼ ପାଇଁ ସାରା ବିଶ୍ବ ଆତଙ୍କିତ ହୋଇ ପଡ଼ିଥିଲା। ଲକ୍ଷ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇ ବାସଚ୍ୟୁତ ହୋଇଥିଲେ , ହଜାର ସଂଖ୍ୟାରେ ମୃତ୍ୟୁବରଣ ମଧ୍ୟ କରିଥିଲେ। କରୋନା ଆକ୍ରାନ୍ତଙ୍କୁ ଘରେ ରଖିବା ମନା ଥିବାରୁ ସରକାର ପ୍ରତ୍ୟେକ ପଞ୍ଚାୟତରେ କୋଭିଡ଼ ଆକ୍ରାନ୍ତଙ୍କ ପାଇଁ ସ୍ବତନ୍ତ୍ର ଆଶ୍ରୟସ୍ଥଳୀ ଓ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ କରାଯାଇଥିଲା। ମନମୁଣ୍ଡା ଅଞ୍ଚଳର ଅନେକ ଏପରିକି ଖୋଦ ମନମୁଣ୍ଡାର ୩ ଜଣ ଏଥିରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ।
କୋଭିଡ ଆକ୍ରାନ୍ତଙ୍କ ରହିବା ପାଇଁ ଓ ସେମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ମନମୁଣ୍ଡା ଡାକ୍ତରଖାନା ପଛ ପଟରେ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ (ଫଳକ ଶୂନ୍ୟ ) ସରକାର ଏକ କୋଭିଡ ଗୃହ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କରିଥିଲେ। ସୌଭାଗ୍ୟ ବଶତଃ କୋଭିଡ ଚାଲିଗଲା। ଉକ୍ତ ଗୃହ ସେହି କାମରେ ଲାଗି ପାରିଲା ନାହିଁ। କିନ୍ତୁ ଉକ୍ତ ମୂଲ୍ୟବାନ ଗୃହ ସରକାର ତଥା ପ୍ରଶାସନ ର ଅବହେଳା ଓ ଅପାରଗତା ହେତୁ ନଷ୍ଟ ହେବାକୁ ବସିଲାଣି। ଶବ ବ୍ୟବଚ୍ଛେଦ ଗୃହକୁ ଲାଗି କରି ରହିଥିବା ଉକ୍ତ ଗୃହ ଚୋର, ଡକାୟତ ତଥା ଅପରାଧିକ କାର୍ଯ୍ୟକଳାପ ରେ ଲିପ୍ତ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଉକ୍ତ ଗୃହରେ ଲାଗିଥିବା ମୂଲ୍ୟବାନ ଜିନିଷ କୁ ଚୋର ମାନେ ଭାଙ୍ଗି ନେଇ ଯାଇଥିବା ଜାଣିବାକୁ ମିଳିଛି। ରକ୍ଷଣାବେକ୍ଷଣ ଅଭାବରୁ ଅନାବନା ଗଛଲତା ଉଠି ଜରାଜୀର୍ଣ୍ଣ ତଥା ଭୂତକୋଠୀ ସଦୃଶ ହୋଇଯାଇଛି।
କଣ୍ଟାମାଳ ପିଡବ୍ଲୁଡି ସହକାରୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ନାଏକଙ୍କୁ ପଚାରିବାରୁ ସେ କହିଥିଲେ ଯେ, ତାହା ତାଙ୍କ ବିଭାଗ ତରଫରୁ ନିର୍ମାଣ କରି 'ଏନ୍ଏଚଏମ ' କୁ ହସ୍ତାନ୍ତର କରାଯାଇଛି। ସେ ସମୟରେ ସେ ଏଠାରେ ନ ଥିବାରୁ ଅଧିକ ତଥ୍ୟ ତାଙ୍କ ପାଖରେ ନାହିଁ ବୋଲି କହିଥିଲେ। ବୌଦ୍ଧ ସ୍ବାସ୍ଥ୍ୟ ବିଭାଗର ଡିପିଏମ , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା , ମନମୁଣ୍ଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ବିପି ଏମ ରାକେଶ କୁମାର ମହାପାତ୍ରଙ୍କୁ ଏନେଇ ପଚାରିବାରୁ ସେ ସମ୍ପର୍କରେ ସେମାନେ କିଛି ଜାଣି ନ ଥିବା କହିଥିଲେ। ମନମୁଣ୍ଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଅଧ୍ୟକ୍ଷ ଡା ମହେନ୍ଦ୍ର କୁମାର ସଏ ଙ୍କୁ ପଚାରିବାରେ ଉକ୍ତ ଗୃହ ସିଏଚ ସି କୁ ହସ୍ତାନ୍ତର କରାଯାଇଛି ଓ ବ୍ୟବହାର ନ ହୋଇ ପଡ଼ି ରହିଛି ଏବଂ ପାଚେରୀ ନ ଥିବାରୁ ଅବ୍ୟବସ୍ଥା ହୋଇଥିବା କହିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ସଂଘମିତ୍ରା ପଣ୍ଡା ଙ୍କୁ ପଚାରିବାରେ ସେମିତି ଏକ ଗୃହ ଥିବାର ସେ ଜାଣି ନ ଥିବା କହିଥିଲେ।
କୋଠାଟି ନିର୍ମାଣ ପରେ ଏହାର ରକ୍ଷଣାବେକ୍ଷଣ କାହାର ସେନେଇ ଦ୍ଵନ୍ଦ ରେ ଅଞ୍ଚଳବାସି। ତୁରନ୍ତ ତାହା ମରାମତି କରାଯାଇ କୌଣସି ଏକ କାମରେ ଲଗାଇବାକୁ ଦାବି ହୋଇଛି। ଏନେଇ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡ଼ାଙ୍ଗ ଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଏକ ମୂଲ୍ୟବାନ କୋଠା କାହିଁକି ବ୍ୟବହାର କରାନଯାଇ ତାହାର ରକ୍ଷଣାବେକ୍ଷଣ କରା ଗଲା ନାହିଁ ଓ ନଷ୍ଟ ହେବାକୁ ବସିଲାଣି ସେନେଇ ସେ ତଦନ୍ତ କରିବେ ଓ ସେଥିରେ ଯାହାର ଦୋଷ ଥିବ ତା ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ।