ଭୁବନେଶ୍ୱର, ୨୬।୧୧ : ଜଳ ସଂପଦ ବିଭାଗରେ ବରିଷ୍ଠ ଅଧିକାରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଜଳ ସମ୍ପଦ ବିଭାଗୀୟ ବ୍ୟୟ ଯୋଜନାର ସମୀକ୍ଷା କରିଥିଲେ । ବଜେଟ୍ ପ୍ରାବଧାନ ଅନୁସାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ହୋଇଥିବା ଖର୍ଚ୍ଚ ସଂପର୍କରେ ଅନୁଧ୍ୟାନ କରିଥିଲେ । ଉନ୍ନୟନ କମିଶନର ଅନୁମୋଦନ ଅପେକ୍ଷାରେ ଥିବା ପ୍ରକଳ୍ପଗୁଡ଼ିକୁ ଶୀଘ୍ର ମଞ୍ଜୁରୀ କରାଯିବା ନେଇ ରହୁଥିବା ସମସ୍ୟାର ତ୍ୱରିତ ସମାଧାନ , ଆବଶ୍ୟକ ଟେଣ୍ଡର ପ୍ରକ୍ରିୟାକୁ ତ୍ୱରିତ ସାରିବା ସହ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର କାର୍ୟ୍ୟ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଉନ୍ନୟନ କମିଶନର ନିୟୋଜିତ ଜଳ ପ୍ରଭାରୀ ଓ ଅଧିକାରୀମାନଙ୍କୁ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ତଦାରଖ କରିବା ଏବଂ କ୍ଷେତ୍ର ପରିଦର୍ଶନ ପରାମର୍ଶ କରିଥିଲେ । ସେ ଆହୁରି ମଧ୍ୟ କାନୁପୁର, ବୃତଙ୍ଗ, ଓଙ୍ଗ ଏବଂ ଭୀମକୁଣ୍ଡ ପ୍ରକଳ୍ପ ଭଳି ପ୍ରାଥମିକତା ପ୍ରକଳ୍ପଗୁଡ଼ିକର ନିୟମିତ ସମୀକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ।