ପୁରୀ,୨୮/୧୦: ପଞ୍ଚୁକରେ ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ, ଦର୍ଶନ ଶୃଙ୍ଖଳା ଓ  ନିର୍ଦ୍ଧାରିତ ସମୟରେ ମହାପ୍ରସାଦ ବ୍ୟବସ୍ଥା ନିମନ୍ତେ ସଅଳ ନୀତି ଆରମ୍ଭ କରିବାକୁ  ଶ୍ରୀମନ୍ଦିର ପ୍ରଶାସନ ପ୍ରାକ୍‌ ପ୍ରସ୍ତୁତି କରିଛି । ଭିଡ଼ ନିୟନ୍ତ୍ରଣ ପାଇଁ ପଞ୍ଚୁକ ସମୟରେ ଶ୍ରଦ୍ଧା କେବଳ ସିଂହଦ୍ୱାରରେ ପ୍ରବେଶ ଓ ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ କରିବେ ବୋଲି ପୁରୀ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି।

 

ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, ଭିଡ଼କୁ ଦୃଷ୍ଟିରେ  ରଖି ଶ୍ରୀମନ୍ଦିର ଦର୍ଶନ ସୁବିଧା, ଆବଶ୍ୟକ ପରିମାଣର ମହାପ୍ରସାଦ ବ୍ୟବସ୍ଥା,  ବାହାରେ ସୂଚନା କେନ୍ଦ୍ର, ସହରରେ ଟ୍ରାଫିକ ନିୟନ୍ତ୍ରଣ, ଆଶୁ ଚିକିତ୍ସା କେନ୍ଦ୍ର  ପ୍ରଭୃତି ବ୍ୟବସ୍ଥା ହେବ । ଭିଡ଼କୁ ନିୟନ୍ତ୍ରଣ ନିମନ୍ତେ ଏବେଠାରୁ ଶ୍ରୀମନ୍ଦିର ବାହାରେ  ମରିଚିକୋଟ ଛକ ପର୍ଯ୍ୟନ୍ତ ଲୁହା ବ୍ୟାରିକେଡ୍‌ ନିର୍ମାଣ ଆରମ୍ଭ ହୋଇଛି । ସେପଟେ  ୫ ଦିନ ପରିବର୍ତ୍ତେ ଚଳିତ ଥର ୪ ଦିନ ରହିଛି ପଞ୍ଚୁକ ବ୍ରତ । ତେଣୁ ୪ ଦିନ  ଶ୍ରୀମନ୍ଦିରରେ ଶ୍ରୀଜିଉମାନେ ଦୁର୍ଲ୍ଲଭ ବେଶରେ ଦର୍ଶନ ଦେବେ । ୨ ନଭେମ୍ବରରେ  ହରି ଉତ୍‌ଥାପନ ଏକାଦଶୀ ତିଥିରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ, ୩  ନଭେମ୍ବରରେ ଡାଳିକିଆ ବା ତ୍ରିବିକ୍ରମ ବେଶ, ୪ ନଭେମ୍ବର ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ଓ କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବେଶ ବା ସୁନାବେଶରେ  ଠାକୁର ଦର୍ଶନ ଦେବେ । ଚଳିତଥର ତିଥି କ୍ଷୟ ଯୋଗୁଁ ଅର୍ଥାତ୍‌ ପଞ୍ଚୁକ ୫ଦିନ  ପଡ଼ୁନଥିବାରୁ ମହାପ୍ରଭୁଙ୍କ ବାଙ୍କଚୁଡ଼ ବେଶ ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ ହେବେ । 

​​​​​​​ସେପଟେ ଅଁଳା ନବମୀରେ ଭୋର ୫ଟାରୁ ରାଧାପାଦ ଦର୍ଶନ ବ୍ୟବସ୍ଥା ହେବ। ବିଳମ୍ବିତ ରାତ୍ରି ଯାଏଁ ଚାଲିବ ରାଧାପାଦ ଦର୍ଶନ ଚଳିବ। ଦର୍ଶନ ପାଇଁ ୧୧ ଲେନ୍ ବିଶିଷ୍ଟ ବ୍ୟାରିକେଡ୍‌ ବ୍ୟବସ୍ଥା ହୋଇଛି।