• ଉଭୟ ପକ୍ଷର ସହଯୋଗରେ ୩ ବର୍ଷିଆ ବିଏସି ପାଠ୍ୟକ୍ରମ ପ୍ରସ୍ତୁତ
  • ୧୦୦୦ ଛାତ୍ରଛାତ୍ରୀଙ୍କୁ ଉପକୃତ କରିବ ଜିଏସଭିରେ ପ୍ରସ୍ତାବିତ ଉତ୍କର୍ଷ କେନ୍ଦ୍ର

ଭୁବନେଶ୍ବର,୩୦।୩ : ପରିବହନ ଏବଂ ଲଜିଷ୍ଟିକ୍ସ କ୍ଷେତ୍ର ପାଇଁ ଗତି ଶକ୍ତି ବିଶ୍ୱବିଦ୍ୟାଳୟ (ଜିଏସଭି) ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ମଧ୍ୟରେ ରେଳ ଭବନରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ରେଳ, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମ ମୋହନ ନାଇଡୁଙ୍କ ଉପସ୍ଥିତିରେ ଡିଜିସିଏ ମହାନିର୍ଦ୍ଦେଶକ ଫୈଜ ଅହମ୍ମଦ କିଦୱାଇ ଏବଂ ଜିଏସଭି ଭିସି ପ୍ରଫେସର ମନୋଜ ଚୌଧୁରୀଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା। ଏହି ଅବସରରେ ରେଳବାଇ ବୋର୍ଡର ଅଧ୍ୟକ୍ଷ. ସତୀଶ କୁମାର ଏବଂ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ସଚିବ ସମୀର କୁମାର ସିହ୍ନା ଉପସ୍ଥିତ ଥିଲେ। ମାନବ ପୁଞ୍ଜିକୁ ସୁଦୃଢ଼ କରିବା ଏବଂ ବିମାନ ରକ୍ଷଣାବେକ୍ଷଣ ଇଞ୍ଜିନିୟରିଂ (ଏ.ଏମ୍.ଇ.) ପ୍ରଶିକ୍ଷଣକୁ ନବୀକରଣ କରି ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ରକ୍ଷଣାବେକ୍ଷଣ, ମରାମତି ଏବଂ ଓଭରହଲ (ଏମ୍.ଆର୍.ଓ.) କ୍ଷେତ୍ରକୁ ସକ୍ଷମ କରିବା ହେଉଛି ଏହି ବୁଝାମଣାର ଉଦ୍ଦେଶ୍ୟ।

ଏହି ଅବସରରେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତି ଶକ୍ତି ବିଶ୍ୱବିଦ୍ୟାଳୟରେ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ଏଭଳି କାର୍ଯ୍ୟଗୁଡିକରେ ବିକାଶ ଦିଗରେ ମାର୍ଗଦର୍ଶନ କରିବା ଲାଗି ବୈଶ୍ୱିକ ମାନଦଣ୍ଡଗୁଡ଼ିକୁ ଅନୁସରଣ କରାଯିବା ଉଚିତ। ଏଭଳି ପଦକ୍ଷେପ ଦ୍ୱାରା ବାର୍ଷିକ ଅତିକମରେ ୧୦୦୦ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ଏବଂ ଏହି ଲକ୍ଷ୍ୟକୁ ସାକାର କରିବା ପାଇଁ ପର୍ଯ୍ୟାପ୍ତ ପାଣ୍ଠି ସହାୟତା ବ୍ୟବସ୍ଥା କରାଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ।

ରାମମୋହନ ନାଇଡୁ କହିଥିଲେ, ଏହି ରାଜିନାମା ଉପଯୁକ୍ତ ପ୍ରତିଭା ସୃଷ୍ଟି କରିବାରେ ସାହାଯ୍ୟ କରିବ, ଯାହା ଉଡାନ ଯୋଜନା ଭଳି ପଦକ୍ଷେପ ଅଧୀନରେ ଉପଯୁକ୍ତ ପାଣ୍ଠି ସହିତ ବିକାଶକୁ ବଜାୟ ରଖିବା ଏବଂ ଭବିଷ୍ୟତ ପାଇଁ ଏକ କୁଶଳୀ କାର୍ଯ୍ୟବଳ ସୁନିଶ୍ଚିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ।

ଏହି ରାଜିନାମା ଅଧୀନରେ ଜିଏସଭି ଏବଂ ଡିଜିସିଏ ମିଳିତ ଭାବେ ଭବିଷ୍ୟତ ପାଇଁ ପ୍ରସ୍ତୁତ ତିନି ବର୍ଷିଆ ବି.ଏସ୍.ସି. (ଏ.ଏମ୍.ଇ.) ର ପରିକଳ୍ପନା କରିବେ । ଗତି ଶକ୍ତି ବିଶ୍ୱବିଦ୍ୟାଳୟ (ଜିଏସଭି), ପରିବହନ ଏବଂ ଲଜିଷ୍ଟିକ୍ସ କ୍ଷେତ୍ରରେ ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ। ୨୦୨୨ରେ ସଂସଦର ଅଧିନିୟମ ଦ୍ୱାରା ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭାବରେ ସ୍ଥାପିତ ହୋଇଥିଲା।