ପୁରୀ, ୨୫/୦୩: ନବଦମ୍ପତିଙ୍କ ପାଇଁ ହୋଟେଲ୍‌ ରୁମ୍‌  ବୁଝିଦେଲା । ରୁମ୍‌ରେ ପତ୍ନୀଙ୍କୁ ଛାଡ଼ି ସ୍ୱାମୀ ବାହାରକୁ ଆସିଥିବା ବେଳେ ବନ୍ଦ କୋଠରୀରେ ଅସଦାଚରଣ କଲା ଧରମ ମାମୁ ।  ଏନେଇ ମହିଳାଙ୍କ ବୟାନ୍‌ ଆଧାରରେ ବଳିଆପଣ୍ଡା ଥାନାରେ  ଏତଲା ଦେଲେ ତାଙ୍କ ସ୍ୱାମୀ । ଏଭଳି ଏକ ଘଟଣା ବଳିଆପଣ୍ଡା  ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୁକ୍ତ ଧରମ ମାମୁ ହେଲେ ବାସେଳି ସାହି ଥାନା ଅଧୀନ ହାତୀଶାଳ ଅଞ୍ଚଳର ମୁନା  ପଣ୍ଡା(୪୦) । ଦମ୍ପତି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର  ବୋଲି ଜଣାପଡ଼ିଛି । 

ରବିବାର ଅପରାହ୍ନରେ ଦମ୍ପତି ଲାଇଟ୍‌ ହାଉସ୍‌ ନିକଟରେ  ଧରମ ମାମୁ ମୁନା ବୁଝିଥିବା ହୋଟେଲ୍‌ରେ ରହିଥିଲେ ।  ମହିଳାଙ୍କ ପାଇଁ କିଛି ଜିନିଷ କିଣିବାକୁ ତାଙ୍କ ସ୍ୱାମୀ ବାହାରକୁ  ଆସିଥିଲେ । ରୁମ୍‌ ନମ୍ବର ୩୧୧ରେ ଏକାକୀ ଥିଲେ ମହିଳା ।  ଏହି ସମୟରେ ରୁମ୍‌ କବାଟ ଠକ୍‌ ଠକ୍‌ କରିଥିଲା ମୁନା । କବାଟ ଖୋଲିବା ବେଳେ ହଠାତ୍‌ ସେ ଭିତରକୁ ପଶିଯାଇଥିଲା । କବାଟ  ବନ୍ଦ କରି ମହିଳାଙ୍କୁ କିସ୍‌ କରିଥିଲା ମୁନା । ମହିଳା ଜଣକ ଏହାକୁ  ବିରୋଧ କରିବାରୁ ମୁନା ଅଶ୍ଳୀଳ ଭାଷାରେ ଗାଳି କରି କାହାକୁ ଏ ସମ୍ପର୍କରେ ଜଣାଇଲେ ହତ୍ୟା କରିବାକୁ ଧମକ ଦେଇଥିଲା ବୋଲି  ଏତଲାରେ ଉଲ୍ଲେଖ ରହିଛି । ପରେ ସବୁ କଥା ଶୁଣି ମହିଳାଙ୍କ  ସ୍ୱାମୀ ଥାନାରେ ଏତଲା ଦେଇଥିଲେ । ଏନେଇ ଆଇଆଇସି ସଙ୍ଗିତା ଦାଶ କହିଛନ୍ତି, ଅଭିଯୁକ୍ତ ମୁନା ନିଶାରେ ଥିବା ବେଳେ କିଛି ଜାଣିପାରିନଥିବା ପୁଲିସକୁ କହିଛି । ମାମଲାରେ  ତାକୁ ନୋଟିସ୍‌ ଦିଆଯାଇ ଛଡ଼ାଯାଇଥିବା ସେ କହିଛନ୍ତି ।