ଧର୍ମଶାଳା,୧୬।୧: ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବିଜେଡି ପରାଜୟ ପରେ ଧୀରେ ଧୀରେ ବିଜେଡି ଛାଡୁଛନ୍ତି ଦଳର ଛାମୁଆ ନେତା, ଦୁର୍ବଳ ହେବାରେ ଲାଗିଛି ସଂଗଠନ। ପୂର୍ବରୁ ବହୁ ସରପଞ୍ଚ, ସମିତିସଭ୍ୟ, ପଞ୍ଚାୟତ ସଭାପତି ଓ ବରିଷ୍ଠ ନେତା ମାନେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ବେଳେ ଆଜି ଆଉ ଜଣେ ଦଳର ବ୍ଲକ ସ୍ତରୀୟ ଛାମୁଆ ସଂଗଠନର ଯୁବ ନେତା ଦଳରୁ ଇସ୍ତଫା ଦେବା ଘଟଣା ଧର୍ମଶାଳା ରାଜନୀତିକୁ ହଲଚଲ କରିଛି। ବିଜେଡିର ବ୍ଲକ ଯୁବ ସଭାପତି ନିଜ ପଦବୀରୁ ଏବଂ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଛାତ୍ର ରାଜନୀତିରୁ ଆରମ୍ଭ କରି ଦୀର୍ଘ ୨୭ ବର୍ଷ ଧରି ସେ ବିଜେଡିର ଜିଲ୍ଲାସ୍ତରୀୟ ଓ ବ୍ଲକ ସ୍ତରୀୟ ବହୁ ପଦ ପଦବୀରେ ରହି ଦଳର ସଂଗଠନ ବୃଦ୍ଧି ସହ ନିର୍ବାଚନରେ ବହୁ ପରିଶ୍ରମ କରିଛନ୍ତି। ଜିଲ୍ଲାର ଜଣେ ସୁବକ୍ତା ଓ ଟାଣୁଆ ଯୁବନେତା ଭାବରେ ତାଙ୍କର ବେଶ ଖ୍ୟାତି ରହିଛି। ତାଙ୍କର ଇସ୍ତଫା ପରେ ଏହା ଦଳୀୟ ସଂଗଠନ କ୍ଷେତ୍ରରେ ପ୍ରଭାବ ପକାଇବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ଦଳରେ ଯେଉଁ ମାନଙ୍କୁ ଦାୟିତ୍ଵ ମିଳିଛି ସେମାନଙ୍କ ସହ କାର୍ଯ୍ୟ କରିବା ପାଇଁ ଇଚ୍ଛା ପ୍ରକାଶ କରୁ ନାହିଁ। ସେଇଥି ପାଇଁ ମୁଁ ଇସ୍ତଫା ଦେଉଛି ବୋଲି ସେ ତାଙ୍କ ପତ୍ରରେ ଉଲ୍ଲେଖ କରି ନିଜ ସୋସିଆଲ ମିଡିଆ ପେଜରେ ପୋଷ୍ଟ କରିଛନ୍ତି । ଶ୍ରୀ ନାୟକ ଆଗାମୀ ଦିନରେ ବିଜେପିରେ ଯୋଗଦେବେ ବୋଲି ବିଶେଷ ସୂତ୍ରରୁ ଶୁଣିବାକୁ ମିଳୁଛି।