କେନ୍ଦୁଝର,୨୯/୦୭: ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ ଧରଣୀଧର ମହାବିଦ୍ୟାଳୟର ଅସ୍ତିତ୍ବକୁ ବଞ୍ଚାଇ ରଖିବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା । ଧରଣୀଧର କଲେଜ ସୁରକ୍ଷା ମଞ୍ଚ ଆହ୍ବାନରେ ଏହି ଧାରଣ ଦିଆଯାଇଛି । ବିଶ୍ବ ବିଦ୍ୟାଳୟକୁ ସୁଲେଇଖମାକୁ ସ୍ଥାନାନ୍ତର ଏବଂ ଓଏସଡି କୁଳପତି ପ୍ରଫେସର ପ୍ରତାପ ମହାନ୍ତିଙ୍କ କାର୍ଯ୍ୟକାଳକୁ ବୃଦ୍ଧି ନକରିବାକୁ ଦାବି ହୋଇଛି ।
ସୂଚନା ଅନୁଯାୟୀ, କେନ୍ଦୁଝର ଧରଣୀଧର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ ମହାନ୍ତିଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ୬ ତାରିଖରେ ଶେଷ ହେଉଛି । ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିବାକୁ ଏବେ ଚର୍ଚ୍ଚା ହେଉଛି । ହେଲେ ଏହାକୁ ବିରୋଧ କରିଛି ଧରଣୀଧର ସୁରକ୍ଷା ମଞ୍ଚ । କାରଣ କୁଳପତି ଦୁର୍ନୀତିରେ ଲିପ୍ତ ଅଭିଯୋଗ ହୋଇଛି । ଅନ୍ତଃରାଜ୍ୟ ବିଶ୍ବ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି କରିଥିଲେ । କେନ୍ଦୁଝରର ଅତିଥି ଅଧ୍ୟାପକମାନଙ୍କୁ ବହିଷ୍କାର କରି କଟକର ଏକ ନିଦ୍ଧିଷ୍ଟ କୋଚିଂ ସେଣ୍ଟରର ଅଧ୍ୟାପକମାନଙ୍କୁ ନିଯୁକ୍ତି ଦେଇଛନ୍ତି । ଏଥିରେ ବିପୁଳ ଅର୍ଥ କାରବାର ହୋଇଥିବା ଅଭିଯୋଗ ରହିଛି ।
ବେଆଇନ ଜଣେ କନିଷ୍ଠ ଅନଭିଜ୍ଞ ଅଧ୍ୟାପକଙ୍କୁ ରେଜିଷ୍ଟାର ଭାବେ ନିଯୁକ୍ତି ଦେଇଛନ୍ତି । ସିଣ୍ଡିକେଟରେ ଜିଲ୍ଲାର ପ୍ରତିଷ୍ଠିତ ଶିକ୍ଷାବିତ୍ ମାନଙ୍କୁ ଅଣଦେଖା କରି ଜିଲ୍ଲା ଓ ରାଜ୍ୟ ବାହାରର ଶିଳ୍ପପତି ମାନଙ୍କୁ ମନୋନୀତ କରିଛନ୍ତି । ବିଶ୍ୱବିଦ୍ୟାଳୟ ପିଜି କାଉନସିଲର ଚେୟାରମ୍ୟାନ ଭାବେ ବାରିପଦା ଶ୍ରୀରାମଚନ୍ଦ୍ର ବିଶ୍ଵବିଦ୍ୟାଳୟର ଅବସ୍ଥାପିତ ଜନୈକ ଅଧ୍ୟାପକଙ୍କୁ ନିଯୁକ୍ତି ଦେବା, ଧରଣୀଧର କଲେଜ ବ୍ୟାଙ୍କ୍ ଆକାଉଣ୍ଟ୍ ର ସମସ୍ତ ଡିପୋଜିଟ୍ ଟଙ୍କାକୁ ଉଠାଇ ୟୁନିଭରସିଟି ଆକାଉଣ୍ଟରେ ଜମା ରଖିଥିବା ନେଇ ଅଭିଯୋଗ ହୋଇଛି । କଲେଜର ଓଡିଆ, ସଂସ୍କୃତ, ପଦାର୍ଥ ବିଜ୍ଞାନ, ଭୂତ୍ୱତ ବିଭାଗର ମୁଷ୍ଟିମେୟ ଅଧ୍ୟାପକମାନଙ୍କୁ ନେଇ ଏକ ମାଫିଆ ଗୋଷ୍ଠୀ ଗଠନ କରି ଶୈକ୍ଷିକ ବାତାବରଣକୁ ନଷ୍ଟ କରୁଥିବା ନେଇ କୁଳପତିଙ୍କ ନାଁରେ ଅଭିଯୋଗ ହୋଇଛି । ଯାହାକୁ ନେଇ ଧରଣୀଧର କଲେଜ ସୁରକ୍ଷା ମଞ୍ଚ ଆଜି ପ୍ରତିବାଦ କରିଛି ।