ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବିରଜା ପ୍ରକଳ୍ପ ପାଇଁ ରାସ୍ତାରୋକ ବେଳେ ତୁମୁଳକାଣ୍ଡ: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ, ଗାଡ଼ି ଭଙ୍ଗାରୁଜା

Published By : Prameya | November 21, 2024 8:35 AM

ଯାଜପୁର ୨୧/୧୧: ଯାଜପୁର ସଦର ଥାନା ଅନ୍ତର୍ଗତ ୨୦ନଂ ଜାତୀୟ ରାଜପଥର ବୁଢ଼ା ଘାଟ ନିକଟରେ ବୁଧବାର ରାଜନୈତିକ ହିଂସା ଦେଖିବାକୁ  ମିଳିଛି । ବିଜେଡି-ବିଜେପି ମଧ୍ୟରେ ଖଣ୍ଡଯୁଦ୍ଧ  ହୋଇଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଆକ୍ରମଣର ଶିକାର ହୋଇଥିବା ବେଳେ ତାଙ୍କ  ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରାଯାଇଛି । ପୁଲିସ ଘଟଣାକୁ ନିୟନ୍ତ୍ରଣ କରିଥିଲେ ମଧ୍ୟ ଯାଜପୁର ସଦର ଥାନାରେ ବିଜେପି କର୍ମୀ ଓ ଯାଜପୁର ଟାଉନ୍‌ ଥାନାରେ ବିଜେଡି କର୍ମୀ ଧାରଣା ଦେଇଛନ୍ତି ।ତେବେ ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ।

ସୂଚନା ମୁତାବକ, ବହୁ ବର୍ଷ ହେବ ବିରଜା ମନ୍ଦିର ନିକଟରେ ବିରଜା ହାଟ ଚାଲି ଆସୁଥିଲା । ପୂର୍ବ ସରକାର ସମୟରେ ବିରଜା ପ୍ରକଳ୍ପ ପାଇଁ ଏହି  ହାଟକୁ ସେଠାରୁ ସନ୍ଥମାଧବ ନିକଟକୁ ସ୍ଥାନାନ୍ତର  କରାଯାଇଥିଲା । ସେଠାରେ ବ୍ୟବସାୟ ଭଲ ହେଉନଥିବାରୁ ବେପାରିମାନେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ଏ ନେଇ ସେମାନେ କିଛି ଦିନ ତଳେ ବିକ୍ଷୋଭ କରିବା ସହ ଜିଲ୍ଲାପାଳଙ୍କ  ସହ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।  ଜିଲ୍ଲାପାଳ ଏହା ଉପରେ ବିଚାର କରିବେ ବୋଲି  ପ୍ରତିଶ୍ରୁତି ଦେଇଥିଲେ । ବୁଧବାର ସ୍ଥାନୀୟ ଅଞ୍ଚଳରେ ଏକ ପ୍ରଚାର ଗାଡ଼ି ବୁଲିଥିଲା । ଗୁରୁବାର  ବିରଜା ହାଟ ପୂର୍ବ ପରି ବିରଜା ମନ୍ଦିର ନିକଟରେ  ବସିବ ବୋଲି ପ୍ରଚାର କରାଯାଇଥିଲା।

ଏହାପରେ କିଛି ବିଜେଡି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ବିରଜା ପ୍ରକଳ୍ପକୁ ଭଣ୍ଡୁର କରାଯାଉଥିବା ସେମାନେ ଅଭିଯୋଗ କରି ସନ୍ଧ୍ୟାରେ ୨୦ନଂ ଜାତୀୟ ରାଜପଥକୁ ଯାଜପୁର ସଦର ଥାନା ଅନ୍ତର୍ଗତ ବୁଢ଼ାଘାଟ ନିକଟରେ ଟାୟାର ଜାଳି  ଅବରୋଧ କରିଥିଲେ । ରାସ୍ତାରୋକି ସମୟରେ ଧର୍ମଶାଳା ବିଧାୟକ ଶ୍ରୀ  ସାହୁ ସରକାରୀ କାର୍ଯ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ  ଆସୁଥିଲେ । 

ରାସ୍ତାରୋକ ଦେଖି ତାଙ୍କ ଗାଡ଼ି ସେଠାରେ  ଅଟକି ଥିବା ବେଳେ କିଛି ବିଜେଡି କର୍ମୀ ଉତ୍ତ୍ୟକ୍ତ ହୋଇ ତାଙ୍କ ନିକଟକୁ ମାଡ଼ି ଆସିଥିଲେ । ରଡ୍‌ ଦ୍ୱାରା ତାଙ୍କ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ତାଙ୍କୁ ମାଡ଼ ମାରିଥିଲେ ଓ ତାଙ୍କ ସୁନାଚେନ୍‌ ଛିଡ଼ାଇ ନେଇଥିଲେ ।  ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ  ଦାସ ଏହି ଆକ୍ରମଣ ପାଇଁ ସେମାନଙ୍କୁ କହିଥିବା ନେଇ ଆକ୍ରମଣକାରୀ କହୁଥିବା ବିଧାୟକ ଶ୍ରୀ  ସାହୁ ଅଭିଯୋଗ କରିଛନ୍ତି । ଏଥି ସହିତ ପୂର୍ବତନ  ବିଧାୟକଙ୍କ ଭାଇ ତାଙ୍କୁ ଫୋନ୍‌ କରି ଘଟଣାସ୍ଥଳରୁ  ଚାଲିଯିବାକୁ ଧମକ ଦେଇଥିବା ବିଧାୟକ ଶ୍ରୀ ସାହୁ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।  

ବିଧାୟକ ଶ୍ରୀ ସାହୁଙ୍କୁ ଆକ୍ରମଣର ଖବର ପାଇ ତାଙ୍କର ବହୁ ସଂଖ୍ୟକ ସମର୍ଥକ ତଥା ବିଜେପି  କର୍ମୀ ଘଟଣାସ୍ଥଳକୁ ଆସିଥିଲେ । ଏହାପରେ ଉଭୟ  ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଯାଇଥିଲା । ଠେଙ୍ଗା, ରଡ୍‌ ଦ୍ୱାରା ଆକ୍ରମଣ,  ପ୍ରତି ଆକ୍ରମଣ ଚାଲିଥିଲା। ଏଥିରେ ୪ରୁ ୫ଜଣ  ଆହତ ମଧ୍ୟ ହୋଇଥିଲେ । ପୁଲିସ ପହଞ୍ଚି ପରିସ୍ଥିତି  ନିୟନ୍ତ୍ରଣ କରିଥିଲା । ଏହାପରେ ବିଜେଡି କର୍ମୀମାନେ  ଛତ୍ରଭଙ୍ଗ ଦେଇଥିଲେ । ସେମାନଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି କର୍ମୀମାନେ ରାସ୍ତା ଉପରେ ବସି ରହିଲେ । କିଛି ସମୟ ପରେ ଏସ୍‌ପି  ୟସ୍‌ପ୍ରତାପ ଶ୍ରୀମାଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ  ସୀତିକାନ୍ତ କାନୁନ୍‌ଗୋ, ଅନିରୁଦ୍ଧ ସାମନ୍ତରାୟ, ଏସ୍‌ଡିପିଓ ସତ୍ୟବ୍ରତ ଲେଙ୍କାଙ୍କ ସମେତ ଯାଜପୁର  ଟାଉନ୍‌, ସଦର, ବ୍ରହ୍ମବରଦା, ବରୀ, କୁଆଖିଆ ପୁଲିସ  ଘଟଣାସ୍ଥଳରେ ପହଞ୍ଚି ବିଧାୟକ ଶ୍ରୀ ସାହୁ ଓ ତାଙ୍କ ସମର୍ଥକଙ୍କୁ ବୁଝାଶୁଝା କରିଥିଲେ । ପରେ ବିଧାୟକ, ଏସ୍‌ପି ଓ ଅନ୍ୟ ପୁଲିସ ଅଧିକାରୀମାନେ ଯାଜପୁର  ସଦର ଥାନାକୁ ଯାଇଥିଲେ । ସେଠାରେ ବିଧାୟକ ଏକ  ଲିଖିତ ଅଭିଯୋଗ କରିଥିବା ବେଳେ ତାଙ୍କ ସମର୍ଥକ  ମାନେ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବିରେ  ବସି ରହିଛନ୍ତି ।  

ଅନ୍ୟପକ୍ଷରେ ବିଜେଡି ନେତା ତଥା ପୂର୍ବତନ  ବିଧାୟକଙ୍କ ଭାଇ ଭବପ୍ରସାଦ ଦାସଙ୍କ ନେତୃତ୍ୱରେ  କର୍ମୀମାନେ ଯାଜପୁର ଟାଉନ୍‌ ଥାନାରେ ପହଞ୍ଚିଥିଲେ ।  ଥାନାରେ ଚିତ୍ତରଂଜନ ବେହୁରିଆ ନାମକ ବ୍ୟକ୍ତି ଅଭିଯୋଗ କରିଥିଲେ । ବିରଜା ପ୍ରକଳ୍ପକୁ ନେଇ ଶହେରୁ ଅଧିକ ବ୍ୟକ୍ତି ବୁଢ଼ାଘାଟ ନିକଟରେ ଛିଡ଼ା  ହୋଇ ଆଲୋଚନା କରୁଥିବା ବେଳେ ହଠାତ୍‌ ବିଧାୟକ ଶ୍ରୀ ସାହୁ ତାଙ୍କ ସମର୍ଥକମାନଙ୍କ ସହ ଘଟଣାସ୍ଥଳରେ  ପହଞ୍ଚି ସେମାନଙ୍କୁ ଗାଳିଗୁଲଜ କରିଥିଲେ । ଏହାକୁ  ସେମାନେ ବିରୋଧ କରିବାରୁ ବିଧାୟକ ତାଙ୍କର ବହୁ  ସମର୍ଥକଙ୍କୁ ଡକାଇଥିଲେ । ସେମାନେ ମାରଣାସ୍ତ୍ର ଧରି  ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣ କରିଥିଲେ । ଏଥିରେ  ଚିତ୍ତରଂଜନଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଆହୁରି  କିଛି ଆହତ ହୋଇଥିବା ଦର୍ଶାଇଛନ୍ତି । 

ଏ ସଂପର୍କରେ ପୂର୍ବତନ ବିଧାୟକ ପ୍ରଣବ  ପ୍ରକାଶ ଦାସ କହିଛନ୍ତି, ମୁଁ ଏ ବିଷୟରେ କିଛି  ଜାଣିନଥିଲି । ଦଳୀୟ କାର୍ଯ୍ୟକ୍ରମରୁ ଫେରି ଟିଭିରୁ ଦେଖିଲି । ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ।  ବିଜେଡି କିମ୍ବା ମୋ ପରିବାର ହିଂସାରେ ବିଶ୍ୱାସ କରେ  ନାହିଁ । ଲୋକମାନେ ବିରଜା ପ୍ରକଳ୍ପ ପାଇଁ ରାସ୍ତାକୁ  ଓହ୍ଲାଇଥିଲେ । ଏହି ସମୟରେ ଧର୍ମଶାଳା ବିଧାୟକଙ୍କୁ  ଆକ୍ରମଣ ହୋଇଥିବା ମୁଁ ଶୁଣୁଛି । ଏହାକୁ ମୁଁ ନିନ୍ଦା କରୁଛି । ମୋ ଭାଇ ନାଁରେ ବିଧାୟକ ଅଭିଯୋଗ  କରୁଥିବାରୁ ମୁଁ ତାକୁ ଥାନାକୁ ପଠାଇଛି । ଯଦି ଦୋଷ  ଥାଏ ତେବେ ମୋ ଭାଇ ପ୍ରଥମେ ଗିରଫ ହେବ ବୋଲି  ଶ୍ରୀ ଦାସ ପ୍ରକାଶ କରିଛନ୍ତି । 

ଏ ସଂପର୍କରେ ଯାଜପୁର ବିଜେପିର ଜିଲ୍ଲା  ସଭାପତି ଗୌତମ ରାୟ କହିଛନ୍ତି, ବିଜେଡି  ସବୁବେଳେ ହିଂସାରେ ବିଶ୍ୱାସ କରି ଆସିଛି ।  ଖଣି, ଖାଦାନ ଲୁଟୁଥିବା ଦୋଷୀଙ୍କୁ ନୂଆ ସରକାର  ଧରୁଥିବାରୁ ସେମାନେ ପ୍ରତିହିଂସା ପରାୟଣ  ହୋଇ ଏପରି କାଣ୍ଡ ଘଟାଉଛନ୍ତି । ସରକାର ଥିବା ସମୟରେ ଚଳାଇଥିବା ଗୁଣ୍ଡାଗର୍ଦ୍ଦିକୁ ସେମାନେ ଜାରି ରଖିଛନ୍ତି । ଏହାକୁ ବରଦାସ୍ତ କରାଯିବ ନାହିଁ । ଆଇନ୍‌ ମୁତାବକ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ ବୋଲି ଶ୍ରୀ ରାୟ ପ୍ରକାଶ କରିଛନ୍ତି । ସେହିପରି ବିଜେପି ନେତା ସର୍ବେଶ୍ୱର ବେହୁରା  ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ  ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.