ମୁମ୍ବାଇ ୨୫/୧୧: ୧୯୬୫ରେ ମୁକ୍ତିପ୍ରାପ୍ତ ଫିଲ୍ମ ‘ଆସ୍ମାନ ମହଲ’ର ପ୍ରିମିୟରରେ ପ୍ରଥମ ଥର ହେମାମାଳିନୀଙ୍କୁ ଭେଟିଥିଲେ ଧର୍ମେନ୍ଦ୍ର । ସେତେବେଳକୁ ଧର୍ମେନ୍ଦ୍ର ସୁପରଷ୍ଟାର୍ ହୋଇ ସାରିଥିଲେ । ହେମା ଏକ ଫ୍ଲପ୍ ଫିଲ୍ମରେ ନଜର ଆସିଥିଲେ । ୧୯୭୦ରେ ଫିଲ୍ମ ‘ତୁମ୍ ହସିନ୍ ମେଁ ଯବାନ’ରେ ଧର୍ମେନ୍ଦ୍ର-ହେମା ଏକାଠି କାମ କରିଥିଲେ । ସେଟ୍ରେ ସମୟ ବିତାଇବା ସମୟରେ ଉଭୟ ପରସ୍ପରକୁ ପସନ୍ଦ କରିବା ଆରମ୍ଭ କରିଥିଲେ । ପରଦାରେ ହିଟ୍ ହେବା ପରେ ଉଭୟ ‘ସୀତା ଔର ଗୀତା’(୧୯୭୨), ‘ରାଜାରାନୀ’(୧୯୭୨), ‘ଶୋଲେ’(୧୯୭୫), ‘ଚରସ’(୧୯୭୬), ‘ଡ୍ରିମ୍ ଗାର୍ଲ’ (୧୯୭୭)ଭଳି ଅନେକ ହିଟ୍ ଫିଲ୍ମରେ କାମ କରିଥିଲେ । ଫିଲ୍ମ ‘ଶୋଲେ’ର ସୁଟିଂ ସମୟରେ ଉଭୟଙ୍କ ଘନିଷ୍ଠତା ବଢ଼ିଥିଲା । ୧୯୮୦ରେ ସେମାନେ ବିବାହ କରିଥିଲେ ।

ପ୍ରେମ ପାଇଁ ଧର୍ମ ବଦଳାଇଥିଲେ !

ହେମାଙ୍କ ସହ ପ୍ରେମ ସଂପର୍କ ଆଗକୁ ବଢ଼ିବାବେଳକୁ ବିବାହିତ ଥିଲେ ଧର୍ମେନ୍ଦ୍ର । ୪ଟି ସନ୍ତାନର ପିତା ମଧ୍ୟ ହୋଇସାରିଥିଲେ । ଏପରିସ୍ଥଳେ ଜଣେ ବିବାହିତଙ୍କ ସହ ଝିଅର ସଂପର୍କକୁ ଗ୍ରହଣ କରିପାରୁନଥିଲେ ହେମାଙ୍କ ପିତା-ମାତା । ଇତିମଧ୍ୟରେ ଧର୍ମେନ୍ଦ୍ରଙ୍କ ନିକଟରୁ ହେମାଙ୍କ ଧ୍ୟାନ ହଟାଇବା ଉଦ୍ଦେଶ୍ୟରେ ଅଭିନେତା ଜିତେନ୍ଦ୍ରଙ୍କ ସହ ବିବାହ ସ୍ଥିର କରିଥିଲେ ସେମାନେ । ହେମା-ଜିତେନ୍ଦ୍ରଙ୍କ ନିର୍ବନ୍ଧ ମଧ୍ୟ ହେବାର ଥିଲା । ଏହି ଖବର ଜାଣିବା ପରେ ଶେଷ ମୁହୂର୍ତ୍ତରେ ଜିତେନ୍ଦ୍ରଙ୍କ ଗାର୍ଲଫ୍ରେଣ୍ଡ୍ ଶୋଭାଙ୍କୁ ନେଇ ହେମାଙ୍କ ଘରେ ପହଞ୍ଚି ଯାଇଥିଲେ ଧର୍ମେନ୍ଦ୍ର । ଏଥିସହ ନିର୍ବନ୍ଧକୁ ଅଟକାଇଥିଲେ । ଶେଷରେ ପରିବାର ଲୋକଙ୍କ ଇଚ୍ଛା ବିରୋଧରେ ଯାଇ ହେମା ବିବାହ ଲାଗି ରାଜି ହୋଇଥିଲେ । ପରବର୍ତ୍ତୀ ସମୟରେ ହେମାଙ୍କୁ ବିବାହ ଲାଗି ପ୍ରଥମ ପତ୍ନୀ ପ୍ରକାଶ କୌରଙ୍କୁ ଛାଡ଼ପତ୍ର ଦେବାକୁ ଚାହିଁଥିଲେ ଧର୍ମେନ୍ଦ୍ର । ସେ କିନ୍ତୁ ଏଥିଲାଗି ରାଜି ହୋଇନଥିଲେ । ଶେଷରେ ଧର୍ମେନ୍ଦ୍ର ଇସଲାମ ଧର୍ମ ଗ୍ରହଣ କରି ହେମାଙ୍କୁ ଦ୍ୱିତୀୟ ପତ୍ନୀର ମାନ୍ୟତା ଦେଇଥିବା କୁହାଯାଏ । ଧର୍ମେନ୍ଦ୍ରହେମାଙ୍କର ଦୁଇ ଝିଅ ଇଶା ଏବଂ ଅହାନା ଅଛନ୍ତି ।