ପ୍ରମୂଖ ଖବର
  • ରାଜ୍ୟରେ ଡାଇରିଆ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ସାମିଲ ରହିବେ ବରିଷ୍ଠ ଅଧିକାରୀ
  • ||
  • କଟକ : ହନୁମାନ ମନ୍ଦିରର ତାଲା ଭାଙ୍ଗି ଲୁଟ୍‌, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ବାଲେଶ୍ୱର : ଘରୁ ମିଳିଲା ଯୁବକଙ୍କ ମୃତଦେହ, ପ୍ରେମିକ ସହ ମିଶି ସ୍ତ୍ରୀ ହତ୍ୟା କରିଥିବା ସନ୍ଦେହ
  • ||
  • 'ଯୋଗରୁ ଶାନ୍ତି ଓ ଦିଗ ମିଳେ, ଚିନ୍ତାଗ୍ରସ୍ତ ଦୁନିଆ ପାଇଁ ପଜ୍ ବଟନ୍‌': ପ୍ରଧାନମନ୍ତ୍ରୀ
  • ||
  • ବାଲେଶ୍ୱରରେ ବନ୍ୟା ସ୍ଥିତି ଆଣିଲା ସୁବର୍ଣ୍ଣରେଖା, ୨୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଛତ୍ରପୁରରେ ଅନ୍ତର୍ଜାତିକ ଯୋଗ ଦିବସ ପାଳିତ; ଯୋଗ ଦେଲେ ମନ୍ତ୍ରୀ,ବିଧାୟକ
  • ||
  • କଳାହାଣ୍ଡି : ମ.ରାମପୁର ଉପ ଡାକଘରୁ ଚୋରି, ତଦନ୍ତ କରୁଛି ପୁଲିସ
  • ||
  • ଅପରେସନ୍‌ ସିନ୍ଧୁ ; ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ସୁରକ୍ଷିତ ଫେରିଲେ ୨୯୦ ଭାରତୀୟ
  • ||
  • ଯୋଗ ଦିବସ ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କହିଲେ- 'ଏକାଗ୍ରତା ଓ ସ୍ଥିରତା ଆଣେ ଯୋଗ'
  • ||
  • ଅନ୍ତର୍ଜାତୀୟ ଯୋଗ ଦିବସ; ଯୋଗ କରନ୍ତୁ, ସୁସ୍ଥ ରୁହନ୍ତୁ
  • ||
  • ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ , ଆସନ୍ତା ୩ ଦିନ କାଁ ଭାଁ ବର୍ଷା
  • ||

ଶାରିରୀକ, ମାନସିକ ଓ ଆଧ୍ୟାତ୍ମିକ ଚେତନାର ବୈଜ୍ଞାନିକ ପ୍ରୟୋଗ ହେଉଛି ଯୋଗ: ଧର୍ମେନ୍ଦ୍ର ପ୍ରଧାନ

Published By : Swapna Ray | June 21, 2025 10:25 AM

ସମ୍ବଲପୁର, ୨୧।୬: ଅନାଦି ଅନନ୍ତ କାଳରୁ ଭାରତରେ ଜନ୍ମ ନେଇଥିବା ଯୋଗ ଅଭ୍ୟାସ ବର୍ତ୍ତମାନ ବିଶ୍ୱରେ ଏକ ଜନ ଆନ୍ଦୋଳନରେ ପରିଣତ ହେଉଛି । ସମ୍ବଲପୁରରେ ୧୧ତମ ‘ଅନ୍ତର୍ଜାତୀୟ ଯୋଗ ଦିବସ’ରେ ଶନିବାର ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ଏହି ଅବସରରେ ସେ କହିଥିଲେ, ଯୋଗ ଶାରିରୀକ, ମାନସିକ ଓ ଆଧ୍ୟାତ୍ମିକ ଚେତନାର ବୈଜ୍ଞାନିକ ପ୍ରୟୋଗ । ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ପୀଠ ଓ ମହାନଦୀର ଉପକୂଳ ଅଞ୍ଚଳରେ ସମ୍ବଲପୁରର ଜନସାଧାରଣଙ୍କ ସହଯୋଗ କରିବା ସହ ଏହି ଦିବସର ଶୁଭେଚ୍ଛା ଜଣାଇଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ବିଶେଷ ଭାବେ ସ୍କୁଲରୁ ବିଶ୍ୱବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ, ସାମାଜିକ ସଂଗଠନ, ସରକାରୀ ସଂସ୍ଥା ଏବଂ ଅନ୍ୟାନ୍ୟ ସଂଗଠନର ସଦସ୍ୟମାନେ କେନ୍ଦ୍ରମନ୍ତ୍ରୀଙ୍କ ସହ ସମବେତ ହୋଇ ଯୋଗ କରିଥିଲେ । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ଯୋଗ ଦିବସ ୨୦୨୫ର ବିଷୟବସ୍ତୁ ‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ ଯୋଗ ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର । ୨୦୧୪ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଜୁନ୍ ୨୧କୁ ଆନ୍ତର୍ଜାତିକ ସ୍ତରରେ ଯୋଗ ଅଭ୍ୟାସ ପୂର୍ବକ ଯୋଗ ଦିବସ ପାଳନ ପାଇଁ ପ୍ରଥମେ ପ୍ରସ୍ତାବ ଦେଇଥିଲେ । ଭାରତର ପ୍ରସ୍ତାବକୁ ୧୫୦ରୁ ଅଧିକ ଦେଶ ସମର୍ଥନ ଦେଇଥିଲେ । ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ଯୋଗ ଏକ ସିଦ୍ଧ ଉପଚାର । ଉଚ୍ଚ ରକ୍ତଚାପ, ମଧୁମେହ ଭଳି ରୋଗକୁ ପ୍ରତିହତ କରିବା ପାଇଁ ଆମକୁ ଏକ ସୁସ୍ଥ ଜୀବନଶୈଳୀକୁ ବିକଶିତ କରିବା ପାଇଁ ପଡ଼ିବ । ଏଥିପାଇଁ ଜାତୀୟ ଶିକ୍ଷା ନୀତିରେ ମଧ୍ୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ଶାରୀରିକ ଏବଂ ମାନସିକ ସୁସ୍ଥତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । 

ସମ୍ବଲପୁରର ଗୋଟିଏ ଚରିତ୍ର, ସଂସ୍କୃତି ଓ ଉତ୍ସାହ ଅଛି । ଶାରିରୀକ ସୁସ୍ଥତାରେ ସମ୍ବଲପୁର ରାଜ୍ୟ ଓ ଦେଶର ପ୍ରମୁଖ ଅଞ୍ଚଳ ଭାବରେ ଉଭା ହେଉଛି । କ୍ରୀଡ଼ା, ବ୍ୟୟାମ, କୁସ୍ତି ତଥା ପ୍ରାତଃ ଭ୍ରମଣ ଓ ସନ୍ଧ୍ୟା ଭ୍ରମଣ ଲୋକମାନଙ୍କ ଦୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ହୋଇଛି । ସମସାମୟିକ ସମୟରେ ଆମକୁ ସମ୍ବଲପୁରକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ପଡ଼ିବ । ଆଗାମୀ ଦିନରେ ଯେପରି ସମ୍ବଲପୁର ଜିଲ୍ଲାର ପ୍ରତିଟି ଗାଁର ନାଗରିକମାନେ ଯୋଗ ଦିବସ ପାଳନ କରିବେ, ସେ ଦିଗରେ ଆମେ ପ୍ରସ୍ତୁତି କରିବା ଦରକାର । ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦରେ ଜିଲ୍ଲାର ନାଗରିକଙ୍କ ମଧ୍ୟରେ ସମ୍ପନ୍ନତା ଆଣିବା ପାଇଁ ପ୍ରୟାସ କରିବା ସହ ସୁସ୍ଥ ଓ ସୁଖୀ ଜୀବନଯାପନ ପାଇଁ ଯୋଗକୁ ଗ୍ରହଣ କରିବା ପାଇଁ ଶ୍ରୀ ପ୍ରଧାନ ନାଗରିକମାନଙ୍କୁ ଆହ୍ୱାନ କରିଥିଲେ । ଏହି ଯୋଗ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଶ୍ରୀ ପ୍ରଧାନ ସମ୍ବଲପୁର ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ସହ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକ ମଧ୍ୟ ଯୋଗ ପାଳିଥିଲେ । ଉଲ୍ଲେଖନୀୟ ଯେ, ବିଶାଖାପାଟଣାରୁ ପ୍ରଧାନମନ୍ତ୍ରୀଙ୍କ ଯୋଗ କାର୍ଯ୍ୟକ୍ରମର ସିଧାପ୍ରସାରଣ ମଧ୍ୟ ଏଠାରେ ପ୍ରସାରିତ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.