କୋରାପୁଟ,୦୬/୦୭: ଏକବିଂଶ ଶତାବ୍ଦୀରେ କୋରାପୁଟର ଗୌରବକୁ ଫେରାଇ ଆଣିବା ପାଇଁ ହେଲେ ଆମକୁ ପ୍ରଥମେ ଏହି ଅଞ୍ଚଳକୁ ସବୁଜିମାରେ ପରିବର୍ତ୍ତନ କରାଇବା ପାଇଁ ପଡ଼ିବ । ଏଥିପାଇଁ ଅଧିକରୁ ଅଧିକ ଗଛ ଲଗାଇବା ସହ ମାଟି ମା’ର ସୁରକ୍ଷା ପାଇଁ ସଂକଳ୍ପ କରିବାକୁ ହେବ ବୋଲି ଆଜି ପବିତ୍ର ‘ସୁନାବେଶ’ ଅବସରରେ କୋରାପୁଟରେ “ଏକ୍ ପେଡ୍ ମା’ କେ ନାମ୍ ୨.୦” ଅଭିଯାନ ଓ ବନ ମହୋତ୍ସବରେ ଯୋଗ ଦେଇ ଏଭଳି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରାପୁଟ ଓ ଏସଏପି ତୃତୀୟ ବାଟାଲିୟନ ପରିସରରେ ଛାତ୍ରଛାତ୍ରୀ, ମାତୃଶକ୍ତି, ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀ ଓ ଅନ୍ୟ ସଦସ୍ୟମାନଙ୍କ ସହ ବୃକ୍ଷରୋପଣ କରିଥିଲେ । ସେ କହିଥିଲେ, ଆଜି ହେଉଛି ମହାପ୍ରଭୁଙ୍କ ସୁନାବେଶ । ଗଛ ପ୍ରତି ଓଡ଼ିଶା ଲୋକମାନଙ୍କର ବହୁତ ଆସକ୍ତି ଅଛି । କାରଣ ଆମର ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଦାରୁବ୍ରହ୍ମ । ଲୋକ ମୁଖରେ ସେ ଦାରୁଦେବତା ରୂପେ ସୁପରିଚିତ । ସେ ଆହୁରି କହିଛନ୍ତି ଯେ, କୋରାପୁଟ ଜିଲ୍ଲା ସହ ମୋର ଦୀର୍ଘ ୩୦ରୁ ୩୫ ବର୍ଷର ସମ୍ପର୍କ । ଏଠାରେ ବୁଲିବା ବେଳେ ମୋର ମନରେ ଆସେ, ଖାଲି ପଡ଼ିଥିବା ଜଙ୍ଗଲ ଜମିକୁ ଘଞ୍ଚ ଜଙ୍ଗଲରେ ପରିଣତ କରାଇବା ପାଇଁ ପଡ଼ିବ । ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ । ୨୦୪୭ରେ ଦେଶ ସ୍ୱତନ୍ତ୍ରତାର ଶହେ ବର୍ଷ ପୂରଣ କରିବ । ମୋ ପାଇଁ ବିକଶିତ ଓଡ଼ିଶାର ଅର୍ଥ ହେଉଛି ବିକଶିତ କୋରାପୁଟ । କୋରାପୁଟକୁ ବିକଶିତ କରିବା ପାଇଁ ହେଲେ ଏଠାରେ ବୃକ୍ଷରୋପଣ ଅଭିଯାନକୁ ବ୍ୟାପକ କରିବା ସହ ନାଗରିକଙ୍କୁ ମୌଳିକ ସୁବିଧା ଦେବା, ସ୍ଥାନୀୟ ଚାଷ ସାମଗ୍ରୀ ଓ ଜନଜାତିଙ୍କ ଦ୍ୱାରା ଉତ୍ପାଦିତ ହସ୍ତତନ୍ତ ସାମଗ୍ରୀକୁ ଆଗକୁ ନେବା ପାଇଁ ପଡିବ ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରାପୁଟର ପ୍ରତ୍ୟେକ ନାଗରିକଙ୍କୁ ଅନୁରୋଧ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଆମେ ସମସ୍ତେ ଘରଠାରୁ ଆରମ୍ଭ କରି ରାସ୍ତା ପାର୍ଶ୍ୱ ସମେତ ବିଭିନ୍ନ ସ୍ଥାନରେ ଗଛ ଲଗାଇବା । ଗଛଟିର ଯତ୍ନ ନେବା ସହ ମାଟି ମା’ର ସୁରକ୍ଷା ପାଇଁ ସଂକଳ୍ପ କରିବା । ବିକଶିତ କୋରାପୁଟ, ବିକଶିତ ଓଡ଼ିଶା ପାଇଁ ବ୍ୟକ୍ତିଗତ ସ୍ତରରେ ନିଜର ଯୋଗଦାନ ରଖିବା । କୋରାପୁଟରେ ବୃକ୍ଷରୋପଣ ଅଭିଯାନକୁ ଜନଆନ୍ଦୋଳନର ରୂପ ଦେବା ସହ କୋରାପୁଟକୁ ‘ବ୍ରାଣ୍ଡ୍ କୋରାପୁଟ’ରେ ପରିଣତ କରିବା ପାଇଁ ସାମୂହିକ ଦାୟିତ୍ୱ ନେବାକୁ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ କରିଛନ୍ତି । ଏହି ଅବସରରେ ସେ ଏକ ସବୁଜ ରଥର ଶୁଭାରମ୍ଭ କରିଥିଲେ ।