ମୁମ୍ବାଇ ୨୫/୧୧ : କାହା ପାଇଁ ସେ ମାଚୋ ମ୍ୟାନ୍, କାହା ପାଇଁ ସାଦା ସିଧା ମଣିଷ । କାହା ପାଇଁ ରୋମାଣ୍ଟିକ୍ ହିରୋ, କାହା ପାଇଁ ଆଙ୍ଗ୍ରି ୟଙ୍ଗମ୍ୟାନ୍ । କାହା ପାଇଁ କମେଡିଆନ୍, କାହା ପାଇଁ ଭୋଳା-ସରଳିଆ ମଣିଷ । କାହା ପାଇଁ ସବୁ କଷ୍ଟକୁ ପିଇଯାଉଥିବା ଜଣେ ସଚ୍ଚୋଟ ଚରିତ୍ର । ନିଜର କାଳଜୟୀ ଅଭିନୟ ଦ୍ୱାରା ସମସ୍ତଙ୍କ ହୃଦୟରେ ରାଜ୍ କରୁଥିବା ବଲିଉଡ୍ର ‘ହିମ୍ୟାନ୍’ ଧର୍ମେନ୍ଦ୍ର ଆଉ ନାହାନ୍ତି । ବଲିଉଡକୁ ଶୋକରେ ବୁଡ଼ାଇ ଅଫେରା ରାଇଜକୁ ଚାଲିଯାଇଛନ୍ତି ଏହି ବର୍ଷୀୟାନ୍ ଅଭିନେତା । ସୋମବାର ଅପରାହ୍ନରେ ଜୁହୁସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି ।
ଏଥିମଧ୍ୟରେ ଧର୍ମେନ୍ଦ୍ରଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ କହୁଛନ୍ତି ଯେ ୩୭ ବର୍ଷ ସେ ଫିଲ୍ମଫେୟାର୍ ‘ବ୍ଲାକ୍ ଲେଡି’ ଟ୍ରଫିକୁ ଅପେକ୍ଷା କରିଥିଲେ । ମଞ୍ଚ ଉପରେ ସେ ଏହା ପଛର କାହାଣୀ ଶୁଣାଇଛନ୍ତି । ତମାମ ବ୍ଲକବଷ୍ଟର୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦେଇ ସୁଦ୍ଧା ତାଙ୍କୁ ‘ବ୍ଲାକ୍ ଲେଡି’ ମିଳିନଥିଲା ବୋଲି ସେ କହିଛନ୍ତି । ଭିଡିଓରେ ଧର୍ମେନ୍ଦ୍ର କହୁଛନ୍ତି ‘୩୭ ବର୍ଷ ହୋଇଗଲାଣି । ପ୍ରତି ବର୍ଷ ମୁଁ ସୁଟ୍ ତିଆରି କରାଉଥିଲି ଏବଂ ତା’ସହିତ ମ୍ୟାଚିଂ ଟାଇ ବି ଖୋଜୁଥିଲି । ପ୍ରତି ଥର ଭାବୁଥିଲି, ବୋଧହୁଏ ଏ ଥର ମୋତେ ବ୍ଲାକ୍ ଲେଡି ସମ୍ମାନ ମିଳିବ ।’ ଏହା କହି ଧର୍ମେନ୍ଦ୍ର ହସିବାକୁ ଲାଗିଲେ ।
ଆହୁରି କହିଲେ ‘ଏହା ଭାବି ଭାବି ମୁଁ ଘରୁ ବାହାରି ଯାଉଥିଲି । କିନ୍ତୁ ମୋତେ ‘ବ୍ଲାକ୍ ଲେଡି’ ମିଳିଲା ନାହିଁ । କେବେ ମିଳିଲା ନାହିଁ । ମୁଁ ୬୦ ଦଶକରେ ‘ଅନୁପମା’, ‘ଫୁଲ୍ ଔର ପତ୍ଥର୍’ ଭଳି ଫିଲ୍ମ କଲି । ଆହୁରି ଅନେକ ଫିଲ୍ମରେ କାମ କଲି । ଫିଲ୍ମର ଗୋଲ୍ଡେନ୍ ଜୁବ୍ଲି ହେଲା, ସିଲ୍ଭର ଜୁବ୍ଲି ହେଲା, କିନ୍ତୁ ମୋତେ ଏ ପୁରସ୍କାର ମିଳିଲା ନାହିଁ । ଏହା ପରେ ମୁଁ ସୁଟ୍ ସିଲାଇବା ବନ୍ଦ କରିଦେଲି । ଭାବିଲି ଟି-ସାର୍ଟ ପିନ୍ଧିଦେବି, ଡାକିବେ ଯଦି ଏମିତି ଚାଲିଯିବି । କଛାରେ ବି ଚାଲିଯିବି । ତଥାପି ଟ୍ରଫି ମିଳିଲାନି । ଭାବିଲି କ’ଣ କରିବି.. ୩୭ ବର୍ଷ ପରେ ଆଜି ଏ ସମ୍ମାନ ମିଳିଲା । କିନ୍ତୁ ଏହି ବ୍ଲାକ୍ ଲେଡିରେ ମୁଁ ୧୫ ବର୍ଷ ତଳର ବ୍ଲାକ୍ ଲେଡିକୁ ଦେଖୁଛି, ଯାହା ମୋତେ ମିଳିବାର ଥିଲା । ମୁଁ ସର୍ବଦା ଆପଣମାନଙ୍କୁ ଭଲପାଉଥିବି... ସର୍ବଦା ।’ ତାଙ୍କ ପାଖରେ ପ୍ରଖ୍ୟାତ ଅଭିନେତା ଦିବଂଗତ ଦିଲୀପ କୁମାର ଠିଆ ହୋଇଥିଲେ, ଯିଏକି ତାଙ୍କୁ ଜୀବନବ୍ୟାପି ସାଧନା ନିମନ୍ତେ ଫିଲ୍ମଫେୟାର ଟ୍ରଫି ପ୍ରଦାନ କରିଥିଲେ । ସାୟରା ବାନୁ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ ।