ଢେଙ୍କାନାଳ,୧୫/୧୦: ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ଦୁର୍ଗତୀନାଶିନୀ ମା’ ଦୁର୍ଗା । ଏବେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କୁ ଆରାଧନା ପାଇଁ ସମସ୍ତେ ବ୍ୟାକୁଳ । ଏଥିପାଇଁ ଢେଙ୍କାନାଳ ସହର  ଚଳଚଞ୍ଚଳ ହେଲାଣି । ମା’ଙ୍କୁ ସ୍ୱାଗତ ପାଇଁ ସମ୍ପୂର୍ଣ୍ଣ ସହର ସଜେଇ ହୋଇଉଠିଲାଣି । ଦିନକ ପରେ  ଅର୍ଥାତ୍‌ ୧୬ ତାରିଖ ବୁଧବାରଠାରୁ ଢେଙ୍କାନାଳର ଗଣପର୍ବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । 

ଚଳିତବର୍ଷ  ସହରର ୩୮ ଗୋଟି ପୂଜା ମଣ୍ଡପରେ ମା’ ଲକ୍ଷ୍ମୀ  ଆବିର୍ଭାବ ହେବେ । ଏଥିପୂର୍ବରୁ ଢେଙ୍କାନାଳ  ସହର ପୁରା ଦମ୍‌ରେ ସଜେଇ ହେବାରେ  ଲାଗିପଡ଼ିଛି । ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାମାନେ  ପୂଜାକୁ ଆକର୍ଷଣୀୟ କରିବା ପାଇଁ ଦିନରାତି  ଏକ କରି ଦେଇଛନ୍ତି । ସହର ସାରା ତୋରଣରେ  ଛାଇ ହୋଇଗଲାଣି । ଅନେକ ସ୍ଥାନରେ ରଙ୍ଗୀନ  ଆଲୋକମାଳା ଝଲସି ଉଠିଲାଣି । କେତେକ  ପୂଜାମଣ୍ଡପରେ ମା’ଙ୍କର ମୃଣ୍ମୟୀ ମୂର୍ତ୍ତିରେ  ରଙ୍ଗ ଚଢ଼ି ସାରିଥିବା ବେଳେ ଆଉ କେତେକ  ସ୍ଥାନରେ କାରିଗରମାନେ ନିଜର କାର୍ଯ୍ୟ ଜାରି  ରଖିଛନ୍ତି । ପୂଜାର ସ୍ୱତନ୍ତ୍ରତା ଜନସାଧାରଣଙ୍କ  ପାଖରେ ରହିଥିବାବେଳେ ପ୍ରତିଥର ଏହାକୁ  ଆକର୍ଷଣୀୟ କରିବା ପାଇଁ ପୂଜା ପ୍ରତିଷ୍ଠାନର  ଉଦ୍ୟକ୍ତା ଓ କର୍ମକର୍ତ୍ତା ନିଷ୍ଠାର ସହ ଅକ୍ଲାନ୍ତ  ପରିଶ୍ରମ କରି ଏହାକୁ ସଫଳ କରିଥାନ୍ତି ।  

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ  ଢେଙ୍କାନାଳବାସୀ ମା’ ଲକ୍ଷ୍ମୀଙ୍କୁ ଆରାଧନା ପାଇଁ  ଗୋଟିଏ ବର୍ଷ ଚାହିଁ ରହିଥାନ୍ତି । ସଂସ୍କୃତି, ପରମ୍ପରା  ଓ ଭାଇଚାରାର ନିଚ୍ଛକ ନିଦର୍ଶନ ଢେଙ୍କାନାଳର  ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାରେ ହିଁ ଦେଖିବାକୁ  ମିଳିଥାଏ । ହିନ୍ଦୁ, ମୁସଲମାନ ସବୁ ଏକାକାର  ହୋଇ ମା’ଙ୍କ ପୂଜାରେ ସାମିଲ ହୋଇଥାନ୍ତି ।  ସେପଟେ ମିଳିତ ବଜାର ପୂଜା କମିଟି, ଜିଲ୍ଲା  ପ୍ରଶାସନ, ପୁଲିସ୍‌ ପ୍ରଶାସନ ମଧ୍ୟରେ ଏକାଧିକ  ଥର ବୈଠକ ବସି ପୂଜାକୁ କିପରି ସରସ  ସୁନ୍ଦର, ଆକର୍ଷଣୀୟ ଓ ଶାନ୍ତିଶୃଙ୍ଖଳାର ସହ  ପାଳନ କରାଯିବ ସେ ନେଇ ସମସ୍ତ ପ୍ରସ୍ତୁତି ମଧ୍ୟ  ଚୂଡ଼ାନ୍ତ ହୋଇସାରିଛି । ଚଳିତବର୍ଷ ମହାବୀର  ବଜାର ଲକ୍ଷ୍ମୀପୂଜା ପ୍ରତିଷ୍ଠାନ ୭୫ ବର୍ଷରେ ପାଦ  ଥାପିଥିବାରୁ ପ୍ଲାଣ୍ଟିନମ୍‌ ଜୁବୁଲି ପାଳନ କରିବାକୁ  ଯାଉଛି । ଏଥିପାଇଁ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା,  ସମସ୍ତ ସଦସ୍ୟ ଏବଂ ବଜାରବାସୀ ପ୍ଲାଣ୍ଟିନମ୍‌  ଜୁବୁଲିକୁ ଅଧିକ ସ୍ମରଣୀୟ କରିବା ପାଇଁ ଯଥାସାଧ୍ୟ  ଉଦ୍ୟମ ଚଳାଇଛନ୍ତି । ଢେଙ୍କାନାଳ ଲକ୍ଷ୍ମୀପୂଜାର  ପ୍ରଥମ ଚାନ୍ଦିମେଢ଼ ଭାବେ ଶ୍ରୀଶ୍ରୀ ମଉଡ଼ମଣି  ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ମୀନାବଜାର ସହ  କୈବଲ୍ୟ ବଜାର ପୂଜା ପ୍ରତିଷ୍ଠାନ, ସୌଭାଗ୍ୟଲକ୍ଷ୍ମୀ  ପୂଜା ପ୍ରତିଷ୍ଠାନ ଗଣେଶ ବଜାର, ଗୋଲଡେନ୍‌ଷ୍ଟ୍ରିଟ୍‌  ଲକ୍ଷ୍ମୀପୂଜା ପ୍ରତିଷ୍ଠାନ ଗୁଡ଼ିଆନାଳି ପକ୍ଷରୁ  ଚାନ୍ଦିମେଢ଼ ମା’ଙ୍କ ପୂଜାମଣ୍ଡପର ଶୋଭାବର୍ଦ୍ଧନ  କରିବ । ଯାହାକି ଲକ୍ଷ୍ମୀପୂଜାର ଅନ୍ୟତମ ଆକର୍ଷଣ  ପାଲଟିବ । ସେହିପରି ବିଭିନ୍ନ ପୂଜା ମଣ୍ଡପରେ ମା’  ସୁନା ମୁକୁଟ ସହ ଅନ୍ୟ ସୁନଅଳଙ୍କାର ପରିଧାନ  କରିବେ । ପୂଜାକୁ ଆକର୍ଷଣୀୟ କରିବା ପାଇଁ ପ୍ରତି  ପୂଜା ପ୍ରତିଷ୍ଠାନ ପକ୍ଷରୁ ପ୍ରତିଯୋଗିତା ମନୋଭାବ  ନେଇ ଆଲୋକ ସାଜସଜ୍ଜା, ତୋରଣ, ମେଢ଼ ଓ  ପୂଜା ମଣ୍ଡପର ସାଜସଜ୍ଜା ପ୍ରତି ଗୁରୁତ୍ୱ ଦିଆଯାଉଛି ।  

୧୬ ତାରିଖ ବୁଧବାର ରାତିରୁ ୧୧ ଦିନ ବ୍ୟାପି  ଆୟୋଜିତ ହେବାକୁ ଥିବାରୁ ସହରବାସୀ ସେମାନଙ୍କର ବନ୍ଧୁବାନ୍ଧବ, ଝିଅଝିଆଣିଆମାନଙ୍କୁ ନିମନ୍ତ୍ରଣ କରିସାରିଲେଣି । ପୂଜାର ମାହୋଲ ଏକ ପ୍ରକାର ଆରମ୍ଭ ହୋଇଯାଇଛି କହିଲେ  ଚଳେ । ବ୍ୟବସାୟୀମାନେ ଲକ୍ଷ୍ମୀପୂଜାରୁ ବେଶ୍‌ ଦୁଇପଇସା ରୋଜଗାର କରିବା ପାଇଁ ଚାହିଁ  ବସିଛନ୍ତି । ବାହାର ଜିଲ୍ଲା ଏବଂ ବାହାର ରାଜ୍ୟର  ବିଭିନ୍ନ ଖାଦ୍ୟ ସାମଗ୍ରୀ, ମନୋହରି ସାମଗ୍ରୀ, ଲୁଗା ଓ ପୋଷାକପତ୍ର, ଖେଳଣା, ଦୋଳି ଆଦି  ପକାଇବା ପାଇଁ ବିଭିନ୍ନ ବଜାର କମିଟିରୁ ଜାଗା  ମଡ଼ାଣ ନେବା ସହ ପୁଲିସ ପ୍ରଶାସନରୁ ଅନୁମତି  ହାସଲ କରି ସେମାନଙ୍କର ବ୍ୟବସାୟିକ ପସରା  ମେଲାଇବାକୁ ପ୍ରସ୍ତୁତ କରୁଛନ୍ତି । ମହିଷାପାଟ  ପଲ୍ଲୀଶ୍ରୀ ମେଳା ପଡ଼ିଆଠାରେ ୧୭ ତାରିଖରୁ  ୨୫ ତାରିଖ ପର୍ଯ୍ୟନ୍ତ ଜାତୀୟସ୍ତରୀୟ ପଲ୍ଲିଶ୍ରୀ  ମେଳା ଆୟୋଜନ ହେବ । ୨୭ ତାରିଖ ରବିବାର  ପୂଜାର ଭସାଣି ଉତ୍ସବ ଅନୁଷ୍ଠିତ ହେବ।