ଗୁଇନ୍ଦାଗିରି ରହସ୍ୟରେ ଭରପୁର ଫିଲ୍ମ ‘ଧୁରନ୍ଧର’ ଏବେ ବ୍ରେକିଂ ନ୍ୟୁଜ୍ । ସିନେମାକୁ ନେଇ ସାମାଜିକ ଗଣମାଧ୍ୟମରେ ଆରୋପ, ପ୍ରତ୍ୟାରୋପ, ଟାହି ଟାପରା । ଏ ଫିଲ୍ମ ହିଂସାର ଦୋକାନ । ‘ଜେନ୍ ଜି’ଙ୍କ ପାଇଁ ଏହା ଦେଶପ୍ରେମର ସିନେମା । ଏମିତି କେତେ କ’ଣ ? ‘ସିନେମା’କୁ ନେଇ ଆମେ ମାତ୍ରାଧିକ ପ୍ରତିକ୍ରିୟାଶୀଳ ହେଉଛୁ ନା ପାଉଁଶ ତଳର ନିଆଁକୁ ଖୋଜୁଛୁ ?
ବକ୍ସ ଅଫିସରେ କମାଲ କରୁଛି ଆଦିତ୍ୟ ଧରଙ୍କ “ଧୁରନ୍ଧର’ । ଏହି ଆକ୍ସନ-ସ୍ପାଏ ଥ୍ରୀଲର୍କୁ ନେଇ ସବୁଆଡ଼େ ଚର୍ଚ୍ଚା । ଫିଲ୍ମଟି ଏବେ ବକ୍ସ ଅଫିସରେ ରାଜୁତି କରୁଛି । ଭିନ୍ନ ଧରଣର କାହାଣୀକୁ ନେଇ ‘ଧୁରନ୍ଧର’ ଦମଦାର ପ୍ରଦର୍ଶନ କରିଛି । ପ୍ରଶଂସା ସାଉଁଟୁଛି । ବିବାଦ ଓ ବିତର୍କ କିନ୍ତୁ ପିଛା ଛାଡ଼ୁନି । ସିନେ ସମାଲୋଚକ ଓ ସିନେପ୍ରେମୀଙ୍କ ମଧ୍ୟରେ ମତାନ୍ତର ଦେଖା ଦେଇଛି । ଏ ବ୍ଲକବଷ୍ଟର ବଲିଉଡକୁ ଦୋହଲାଇ ଦେଇଛି । ପୂରାକୁ ପୂରା ଦି ଭାଗ ବଲିଉଡ୍ । କିଏ ପ୍ରଶଂସାରେ ପୋତୁଛି, ଆଉ କିଏ ନାକ ଟେକୁଛି । ଗୋଟିଏ ଫିଲ୍ମକୁ ନେଇ ସମୀକ୍ଷା, ସମାଲୋଚନା ଓ ବାଃ..ବାଃ ଭଲ ପରମ୍ପରା । ମାତ୍ର ଧୁରନ୍ଧରକୁ ନେଇ ଯେଉଁଭଳି ମାତ୍ରାଧିକ କଟାକ୍ଷ, ପ୍ରଶଂସକଙ୍କ ପାଲଟା ଆକ୍ରମଣ ଭିନ୍ନ ପ୍ରକାର ପରିବେଶ ଆଣିଛି । ଏପରିକି କିଛି ବିଶିଷ୍ଟ ସିନେ ସମୀକ୍ଷକ ‘ଧର୍ମ’ ଓ ‘ହିଂସା’ ମାପଦଣ୍ଡରେ ସିନେମାକୁ ନକରାତ୍ମକ ରେଟିଂ ଦେବା ପ୍ରଶଂସକ ହଜମ କରିନାହାନ୍ତି । କେହି କେହି ମର୍ଡର କରିବାକୁ ଧମକ ବି ଦେଇଛନ୍ତି । କ୍ରିକେଟ୍ ପାଗଳ ଭାରତବର୍ଷରେ ‘ଧୁରନ୍ଧର’କୁ ନେଇ ଏଭଳି ଛକି-ଶୂନ ଖେଳ ଓ ଧମକ ଚମକ ସାମାଜିକ ଗଣମାଧ୍ୟମକୁ ଭାରାକ୍ରାନ୍ତ କରିଛି । ମନକୁ ପ୍ରଶ୍ନଟିଏ ଏଭଳି ‘ଅସହିଷ୍ଣୁତା’ କାହିଁକି? ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିଜସ୍ୱ ମତ ଦେବାର ଅଧିକାର ସମସ୍ତଙ୍କର ଅଛି । ମତ ରଖିବାକୁ ଯାଇ ଆମେ ‘ସୁଅ ମୁହଁରେ ପତର’ ହେବାକୁ କାହିଁକି ଭଲପାଉଛୁ? ଭାରତ ଭଳି ଏକ ଧର୍ମନିରପେକ୍ଷ ଓ କଳା, ସଂସ୍କୃତି ପରିପୂର୍ଣ୍ଣ ଦେଶରେ ଏହା କେତେ ଗ୍ରହଣୀୟ ?
ହିଂସା, ଘୃଣା ଓ ଧର୍ମାନ୍ଧତା
ବଲିଉଡ୍ ଫିଲ୍ମ । ପାକିସ୍ତାନରେ ହଲଚଲ୍ । ଧୁରନ୍ଧର ଭଳି ଫିଲ୍ମ ହିଂସା, ଘୃଣା ବାଣ୍ଟୁଛି କି? ଏହା ଏବେ ମିଲିୟନ୍ ଡଲାର୍ର ପ୍ରଶ୍ନ । ଚାଲିଛି ଭିଡ଼ା ଓଟରା । ନାନା ମୁନି, ନାନା ମତ । ଏ ସିନେମା କାଳେ ‘ମୁସଲିମ୍ ବିରୋଧୀ’, ମାତ୍ରାଧିକ ହିଂସା ଓ ଘୃଣାରେ ଭରପୂର । ପରିବାର ଦେଖିଲା ଭଳି ଫିଲ୍ମ ହୋଇନି । ଧର୍ମାନ୍ଧତାକୁ ପ୍ରଶୟ ଦେଇଛନ୍ତି ନିର୍ଦ୍ଦେଶକ । ଏହା ପଛରେ ଅଛି ରାଜନୀତି । ପାକିସ୍ତାନ ଓ ମୁସଲିମ ଧର୍ମକୁ ନେଇ ଅଯଥା ମାତ୍ରାଧିକ କାଳ୍ପନିକ ଚିତ୍ର ଦିଆଯାଇଛି । ସୋସିଆଲ୍ ମିଡିଆରେ ଏମିତି ଲମ୍ବା ଅଭିଯୋଗ । ସାଉଦି ଆରବ, ୟୁଏଇ ଓ କତାରରେ ଫିଲ୍ମ ବ୍ୟାନ୍ ହୋଇଛି । ବାହାରିନ, କୁଏତ, ଓମାନରେ ବି ‘ଧୁରନ୍ଧର’ ଉପରେ ଲାଗିଛି ପ୍ରତିବନ୍ଧକ । ଉପସାଗରୀୟ ଦେଶଗୁଡ଼ିକରେ ‘ଧୁରନ୍ଧର’ର ରେଟିଂ ହେଲା ‘ମୁସଲିମ ବିରୋଧୀ’ । ଭାରତରେ କିନ୍ତୁ ବକ୍ସ ଅଫିସରେ ସୁନାମୀ ଆଣିଛି ଏ ସ୍ପାଏ ଥ୍ରୀଲର୍ ।
ବଲିଉଡ୍ର ଏ ଥ୍ରୀଲର୍ ଭାରତ ଏବଂ ପାକିସ୍ତାନରେ ପ୍ରଶଂସା ସହ ବିବାଦ ସୃଷ୍ଟି କରିଛି । ସାଢ଼େ ୩ ଘଣ୍ଟାର ଲମ୍ବା ସୀମା ପାର ଆତଙ୍କବାଦ, ରାଜନୈତିକ ସ୍ପାଏ ଡ୍ରାମାକୁ ନେଇ ନାହିଁ ନଥିବା ଟିକା ଟିପ୍ପଣୀ । ଗ୍ୟାଙ୍ଗଷ୍ଟର, ଗୁଇନ୍ଦା ଏଜେଣ୍ଟ ଓ ଆତଙ୍କବାଦୀ ହିଂସାକୁ ନେଇ କାହାଣୀ ଗତିଶୀଳ ହୋଇଛି । ଭାରତ-ପାକିସ୍ତାନ ତିକ୍ତତାର ପୃଷ୍ଠଭୂମି ସହ ଅତୀତର କିଛି ସତ ଘଟଣାକୁ ପର୍ଦ୍ଦାକୁ ଆଣିଛନ୍ତି ନିର୍ଦ୍ଦେଶକ ଆଦିତ୍ୟ ଧର । ଗତ ମେ ମାସରେ କଶ୍ମୀରର ପହଲଗାମରେ ଯେଉଁ ଆତଙ୍କବାଦୀ ନରସଂହାର ଘଟିଲା, ଭାରତର ଘା’ ଏଯାଏଁ ଶୁଖିନି । ଅପରେସନ ସିନ୍ଦୂର ପରେ ପାକିସ୍ତାନ ରକ୍ତ ଚାଉଳ ଚୋବାଉଥିଲା ବେଳେ ‘ଧୁରନ୍ଧର’କୁ ନେଇ ଇସଲାମାବାଦ୍ ପ୍ରତିକ୍ରିୟାଶୀଳ ହୋଇଛି । ଫିଲ୍ମର ସମାଲାଚକମାନେ ଯୁକ୍ତି କରୁଛନ୍ତି, କାହାଣୀ ଅତିଜାତିବାଦୀ ଓ ରାଜନୈତିକ ଷଡ଼ଯନ୍ତ୍ରରେ ଭରି ରହିଛି । ପର୍ଦ୍ଦାରେ ଇତିହାସକୁ ବିକୃତ କରି ଉପସ୍ଥାପନ କରାଯାଇଛି । ହିଂସା, ରକ୍ତପାତ, ଘୃଣା ସହ ଫିଲ୍ମଟି ‘ମୁସଲମାନଙ୍କ ପ୍ରତି ଅହେତୁକ ଭୟ’ ସୃଷ୍ଟି କରିବା ଲାଗି ଉଦ୍ଦିଷ୍ଟ । ସିନେମାର ପୃଷ୍ଠଭୂମିରେ ପାକିସ୍ତାନର “ଗ୍ୟାଙ୍ଗ ୱାର୍’ ଗୁରୁତ୍ୱ ପାଇଛି । ହେଲେ ‘ମୁସଲିମ’ ବିରୋଧୀ ରଙ୍ଗ ଏତେ ପରିମାଣର ବୋଳାଯାଇଛି ଯେ ତାହା ଭାରତରେ ସାଂପ୍ରଦାୟିକ ସଦଭାବକୁ କ୍ଷତି ପହଞ୍ଚାଇବାର ଆଶଙ୍କା ଖୋଦ ଭାରତୀୟ ସିନେ ସମୀକ୍ଷକ ମଧ୍ୟ ଦର୍ଶାଇଛନ୍ତି ।
ଭାରତ-ପାକିସ୍ତାନ ମଧ୍ୟରେ ତୁ ତୁ ମେମେ କାହିଁ କେଉଁ କାଳରୁ । କିନ୍ତୁ ବଲିଉଡ୍ ଫିଲ୍ମଗୁଡ଼ିକ ପାକିସ୍ତାନରେ ବେଶ୍ ଲୋକପ୍ରିୟ । ତେବେ ‘ଧୁରନ୍ଧର’ରେ କରାଚୀ ସହରକୁ ଠିକଣା ଭାବେ ଦେଖାଯାଇନି । ଏହାକୁ କେବଳ ହିଂସାର ସହର ଭାବେ ଦର୍ଶାଯାଇଛି । କରାଚୀର ସଂସ୍କୃତି ଓ ଐତିହ୍ୟର ଛାପକୁ ଫିଲ୍ମରେ ବିକଳାଙ୍ଗ କରାଯାଇଛି । ଅତି ଭାରତୀୟ ଜାତିବାଦୀ କାହାଣୀ କରିବାକୁ ଯାଇ ନିର୍ଦ୍ଦେଶକ ମୁସଲିମଙ୍କୁ ଭୟଭୀତ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ଉଠିଛି ।
ଭରପୂର ପ୍ରଶଂସା, ନୂଆ ବେଞ୍ଚମାର୍କ
ଫିଲ୍ମ ନିର୍ମାତା ଆଦିତ୍ୟ ଧର ପୂର୍ବରୁ ଫିଲ୍ମ ‘ଉରି ଦି ସର୍ଜିକାଲ୍ ଷ୍ଟ୍ରାଇକ’ରୁ ବେଶ ବାଃ ବାଃ ପାଇଥିଲେ । ଧାରା ୩୭୦ ଭଳି ଚଳଚ୍ଚିତ୍ର ନିର୍ମାଣ କରି ମଧ୍ୟ ଦର୍ଶକଙ୍କ ପ୍ରଶଂସା ସାଉଁଟିଛନ୍ତି ନିର୍ଦ୍ଦେଶକ ଆଦିତ୍ୟ । ଏବେ ‘ଧୁରନ୍ଧର’କୁ ନେଇ ସବୁଠି ଖୁବ ଆଲୋଚନା । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଫିଲ୍ମ ତାରକା, କ୍ରିକେଟର ଏବଂ ରାଜନେତା ପର୍ଯ୍ୟନ୍ତ ସମସ୍ତଙ୍କ ମୁଁହରେ “ଧୁରନ୍ଧର’ ଚର୍ଚ୍ଚା । ଅନୁପମ ଖେରଙ୍କ ଭଳି ଭେଟେରାନ୍ ମଧ୍ୟ ଏ ଫିଲ୍ମ ପ୍ରେମରେ ପାଗଳ ।
ଫିଲ୍ମ ଦେଖିବା ପରେ ଅନୁପମ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ୍ କରିଛନ୍ତି । ଯେଉଁଥିରେ ସେ କହିଛନ୍ତି, ‘ଧୁରନ୍ଧର’ ଏକ ଚମତ୍କାର ଫିଲ୍ମ । ଏହାର ସିକ୍ୱେଲ୍କୁ ମୁଁ ଅପେକ୍ଷା କରିଛି । ଅକ୍ଷୟ ଖାନାଙ୍କ ଅଭିନୟ ଦେଖି କହିଛନ୍ତି, ‘ଓ ମାଇଁ ଗଡ୍, କି କାମ!’ ସିନେ ସମୀକ୍ଷକଙ୍କ ମତରେ “ଏ ଫିଲ୍ମଟି ଭାରତର ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । ଏଥିରେ ଭାରତ ସହିଥିବା ଆତଙ୍କବାଦ କ୍ଷତିକୁ ଭଲ ଭାବରେ ଚିତ୍ରଣ କରାଯାଇଛି । ଭାରତୀୟ ଜେନ୍ ଜି ଙ୍କ ପାଇଁ ଏହା ଦେଶପ୍ରେମର ଫିଲ୍ମ । ଆମ ନୂଆପିଢ଼ି ଜାଣିବାର ଆବଶ୍ୟକତା ଅଛି କାନ୍ଦାହାର ବିମାନ ଅପହରଣର ପୃଷ୍ଠଭୂମି ସହ ୨୬/୧୧ରେ ମୁମ୍ବାଇ ତାଜ୍ରେ ଆତଙ୍କବାଦୀମାନେ କିଭଳି ନରସଂହାର କରିଥିଲେ । ଭାରତୀୟ ଯୁବପିଢ଼ିଙ୍କୁ ନିଜ ସେନା ଓ ଗୁଇନ୍ଦାଙ୍କୁ ନେଇ ଗର୍ବ କରିବା ଶିଖାଇବ ‘ଧୁରନ୍ଧର’ । ବଲିଉଡ୍ ଷ୍ଟାର୍ ଋତ୍ୱିକ ରୋଶନ ଫିଲ୍ମକୁ ପ୍ରଶଂସା କରିଥିଲେ ବି ଫିଲ୍ମ ପଛରେ ରାଜନୀତି ଥିବା ଠଉରାଇଛନ୍ତି । ରାଧିକା ଆପ୍ତେ ମଧ୍ୟ ଫିଲ୍ମକୁ ଗ୍ରହଣ କରିପାରି ନାହାନ୍ତି । ବିଶିଷ୍ଟ ସିନେ ସମୀକ୍ଷକ ଅନୁପମା ଚୋପ୍ରାଙ୍କ ମନ୍ତବ୍ୟକୁ ନେଇ ତ ହତ୍ୟା ଧମକ ମିଳିଛି । ଏପରିକି ତାଙ୍କ ଫିଲ୍ମର ସମୀକ୍ଷାକୁ ୟୁଟ୍ୟୁବରୁ ହଟାଇ ନିଆଯାଇଛି । ଭାରତୀୟ ସେନା ଅଧିକାରୀ ମେଜର ମୋହିତ ଶର୍ମାଙ୍କ ପରିବାର ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ୍ ଦାଖଲ କରିଛନ୍ତି, ଫିଲ୍ମ ବନ୍ଦ ହେଉ । ତାଙ୍କ କାର୍ଯ୍ୟକୁ ବିନା ସମ୍ମତିରେ ଚିତ୍ରଣ କରାଯାଇଛି । ମାତ୍ର ଫିଲ୍ମ ନିର୍ମାତା ଦାବି କରୁଛନ୍ତି, ଏହା ସଂପୂର୍ଣ୍ଣ କାଳ୍ପନିକ କାହାଣୀ । ପ୍ରଶଂସା ଓ ନିନ୍ଦାର ହୋହଲ୍ଲା ଭିତରେ ଧୁରନ୍ଧର ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରି ଚାଲିଛି । ନିଜ ରେକର୍ଡ ନିଜେ ଭାଙ୍ଗୁଛି ।
ସିନେମାକୁ ‘ସିନେମା’ ଭଳି ଦେଖାଯାଉ
ସିନେ ସମୀକ୍ଷକ ଯୁକ୍ତି କରୁଛନ୍ତି, ‘ଧୁରନ୍ଧର’ର ବିରୋଧ କେବଳ ନ୍ୟାରେଟିଭ୍ ଆଧାରିତ ବିରୋଧ । ଏଥିରେ ଅଧିକ କିଛି ନାହିଁ । ଯେଉଁ ହିଂସା ଓ ‘ଇସଲାମିକ୍ ଫୋବିୟା’ କଥା କହି ଅରଫାଙ୍କ ଭଲି ସାମ୍ବାଦିକ ଗୋଟିଏ ଲାଇନରେ ଫିଲ୍ମ ନିଜେ ନ ଦେଖିବାକୁ ଓ କାହାକୁ ଦେଖିବା ପାଇଁ ପ୍ରେରିତ ନ କରିବାକୁ କହୁଛନ୍ତି, ତାହା ହିଁ କହୁଛି ଏହି ବିରୋଧ କେତେ ନ୍ୟାରେଟିଭ୍ ଆଧାରିତ । ମାଇ ୱେ କିମ୍ବା ହାଇ ୱେ ଭଳି ନ୍ୟାରେଟିଭ୍ ହିଁ ଧୁରନ୍ଧର ବିରୋଧକୁ ନିଆଁ ଦେଇଛି । ବିରୋଧର ଫଳ ହେଉଛି, ଦ୍ୱିତୀୟ ସପ୍ତାହ ବେଳକୁ ସାଧାରଣତଃ ବକ୍ସ ଅଫିସରେ ଫିଲ୍ମର ଗତି ଧିମା ପଡ଼ିଯାଏ, କିନ୍ତୁ ‘ଧୁରନ୍ଧର’ ଫର୍ମୁଲା ୱାନ୍ ଭଳି ଦୌଡ଼ୁଛି ।
ଧ୍ରୁବ ରାଠିଙ୍କ ଭଳି ୟୁଟ୍ୟୁବର ଆମିରଙ୍କ ‘ପିକେ’ ଫିଲ୍ମ ସମୟରେ ଏହାକୁ ନାପସନ୍ଦ କରୁଥିବା ଦର୍ଶକଙ୍କୁ “ନିଜ ଫିଲ୍ମ ତିଆରି କରି ନିଜେ ଦେଖ’ ଭଳି ଟ୍ୱିଟ୍ କରିଥିଲେ । ଯଦି ସେତେବେଳେ ଫିଲ୍ମ କେବଳ ସ୍ୱାଧୀନ ଅଭିବ୍ୟକ୍ତିର ଗୋଟିଏ ମାଧ୍ୟମ, ଧୁରନ୍ଧର ବେଳକୁ ନିୟମ କେମିତି ବଦଳି ଯିବ? ନନ୍ଦିତା ଦାସଙ୍କ “ପରଜାନିଆ’ ଫିଲ୍ମରେ ମଧ୍ୟ ହିଂସା ଥିଲା । ସେହି ହିଂସା ଗୁଜରାଟ ଦଙ୍ଗାକୁ ଦେଖାଉଥିଲା ବୋଲି ଯଦି ଠିକ୍ ଥିଲା, ତେବେ ଏବେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦକୁ “ଯେମିତି, ସେମିତି’ ଦେଖାଇବାରେ ଆପତ୍ତି କ’ଣ ଅଛି? ଅରଫାଙ୍କ ଭଳି ସମାଲାଚକଙ୍କ ମୁଖ୍ୟ ଅଭିଯାଗ ହେଉଛି, ଏଥିରେ ମୁସଲମାନଙ୍କୁ ‘ନକରାତ୍ମକ’ ଦୃଷ୍ଟିରେ ଦେଖାଇବାର ପ୍ରୟାସ କରାଯାଇଛି । ତେବେ ପ୍ରଶ୍ନ ହେଲା ପାକିସ୍ତାନର ଅର୍ଥ କ’ଣ ମୁସଲମାନ? ପାକିସ୍ତାନୀ ଆତଙ୍କବାଦୀ ଓ ସେମାନଙ୍କ ପୃଷ୍ଠପୋଷକଙ୍କ ସତ୍ୟତାକୁ ନାଟକୀୟତା ସହିତ ଆଗକୁ ଆଣିବା କେମିତି ମୁସଲମାନ ବିରୋଧୀ ହେଲା । ଯଦି ‘ପରଜାନିଆ’ ଠିକ୍ ଥିଲା, ତେବେ ‘ଧୁରନ୍ଧର’ ବି ଠିକ୍ । ସିନେମାକୁ ସିନେମା ଭଳି ଦେଖାଯାଉ । ତିଳକୁ ତାଳ ନ କଲେ ଭଲ ।