ନୂଆଦିଲ୍ଲୀ ୧୯/୦୩: ଆଜି ବଡ଼ ପରଦାକୁ ଆସୁଛି ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଧୁରନ୍ଧର୍: ଦ ରିଭେଞ୍ଜ’ । ରଣବୀର ସିଂହ ଷ୍ଟାରର୍ ଏହି ଫିଲ୍ମ ରିଲିଜ୍ ପୂର୍ବରୁ ଇତିହାସ ରଚିଛି । ଥିଏଟରକୁ ଆସିବା ପୂର୍ବରୁ ବୁଧବାର ଅର୍ଥାତ୍ ୧୮ ତାରିଖ ସନ୍ଧ୍ୟା ୫.୪୫ରେ ଏହାର ପ୍ରଥମ ପେଡ୍ ପ୍ରିଭ୍ୟୁ ଶୋ’ ଆରମ୍ଭ ହୋଇଥିଲା । ଏହାକୁ ନେଇ ଜୋର୍‌ଦାର କ୍ରେଜ୍ ଦେଖିବାକୁ ମିଳିଲା । କିଛି ଯାନ୍ତ୍ରିକ ସମସ୍ୟା ଯୋଗୁ ଶୋ’ ପ୍ରାୟ ୪୫ ମିନିଟ୍ ପରେ ଆରମ୍ଭ ହେଲା । ପେଡ୍ ପ୍ରିଭ୍ୟୁର ପ୍ରଥମ ଶୋ’ ଦେଖିବା ପରେ ଦର୍ଶକ ରଣବୀରଙ୍କୁ ପ୍ରଶଂସାରେ ପୋତିଛନ୍ତି । ଫିଲ୍ମ ଦେଖିବାକୁ ଲୋକଙ୍କୁ ମଧ୍ୟ ଅପିଲ କରିଛନ୍ତି ।

ଏକ ଶକ୍ତିଶାଳୀ ଆଧ୍ୟାତ୍ମିକ ବାର୍ତ୍ତା ସହିତ ଆରମ୍ଭ ହୋଇଛି ‘ଧୁରନ୍ଧର୍-୨’ । ଭଗବତ୍ ଗୀତାର ଏକ ଶ୍ଳୋକରୁ ଫିଲ୍ମ ଆରମ୍ଭ ହୋଇଛି, ଯାହା କର୍ତ୍ତବ୍ୟ, ଧର୍ମ ଓ କର୍ମ ଉପରେ ଜୋର୍ ଦେଇଛି । ଶ୍ଳୋକର ଭାବ ହେଉଛି ‘ତୁମ କର୍ତ୍ତବ୍ୟ ଧର୍ମର ପାଳନ କରିବା, ଫଳ ଚିନ୍ତା କରିବା ଉଚିତ୍ ନୁହେଁ । ଜିତିବାର ଇଚ୍ଛା ଦ୍ୱାରା ପ୍ରେରିତ ହେବା ଉଚିତ୍ ନୁହେଁ, ବରଂ ନିରନ୍ତର କର୍ମ କରିବା ଉଚିତ୍ ।’

ଟ୍ରେଡ୍ ଟ୍ରାକିଂ ୱେବ୍‌ସାଇଟ୍ ସ୍ୟାକ୍‌ନିଲ୍କ ଅନୁସାରେ, ଫିଲ୍ମ ନିଜର ପେଡ୍ ପ୍ରିଭ୍ୟୁ ଶୋ’ ପାଇଁ କେବଳ ଭାରତରେ ପ୍ରାୟ ୪୭.୯୧ କୋଟିର ଅଗ୍ରୀମ ବୁକିଂ କରାଇଛି । କେବଳ ପ୍ରିଭ୍ୟୁ ନୁହେଁ, ବୈଶ୍ୱିକ ପ୍ରିସେଲ୍‌ସ ବ୍ୟବସାୟକୁ ଦେଖିଲେ, ଏହା କୌଣସି ରେକର୍ଡଠୁ କମ୍ ନୁହେଁ । ଫିଲ୍ମ କେବଳ ଆଡ୍‌ଭାନ୍ସ ବୁକିଂରୁ ବିଶ୍ୱରେ ହାରାହାରି ୨୦୦ କୋଟି ଆୟ କରିଛି । ଏହି ଅଙ୍କରେ ଭାରତର ପେଡ୍ ପ୍ରିଭ୍ୟୁ (୪୭.୯୧ କୋଟି) ଓ ରିଲିଜ୍‌ର ପ୍ରଥମ ଦିନ (୩୩.୬୦ କୋଟି) ର ବୁକିଂ ସହିତ ବିଦେଶ ବଜାରରେ ସପ୍ତାହାନ୍ତ ହୋଇଥିବା ୭୫ କୋଟିରୁ ଅଧିକର ପ୍ରି-ସେଲ୍ ସାମିଲ । ଦେଶରେ ପ୍ରିଭ୍ୟୁ ପାଇଁ ପ୍ରାୟ ୧୦ ଲକ୍ଷ ଟିକଟ ବିକ୍ରି ହୋଇଥିଲା, ଏଥିରେ କେବଳ ହିନ୍ଦୀ ସଂସ୍କରଣ ୮.୬ ଲକ୍ଷରୁ ଅଧିକ ଟିକଟ ବିକ୍ରି କରିଛି । ଫିଲ୍ମ ପ୍ରତି ପାଗଳାମିକୁ ଦୃଷ୍ଟିରେ ରଖି ଦେଶର ଥିଏଟରଗୁଡ଼ିକରେ ଶୋ’ ସଂଖ୍ୟା ବଢ଼ାଇ ଦିଆଯାଇଛି ।

ଆହୁରି ପଢ଼ନ୍ତୁ...ସିନେମା ହଲରେ ରିଲିଜ୍ ପୂର୍ବରୁ ‘ଧୁରନ୍ଧର-୨’କୁ ନେଇ ବଡ଼ ଖବର, ଜାଣନ୍ତୁ ଆସିବ କି ପାର୍ଟ-୩ ?