ମୁମ୍ବାଇ ୨୮/୧୧: ରଣବୀର ସିଂହଙ୍କ ଅପକମିଙ୍ଗ ସ୍ପାଇ-ଥ୍ରିଲର୍‌ ଫିଲ୍ମ ‘ଧୁରନ୍ଧର୍‌’କୁ ନେଇ ଚର୍ଚ୍ଚା । ଫିଲ୍ମର ସମୟସୀମା ସାଧାରଣ ଫିଲ୍ମ ତୁଳନାରେ ବହୁତ ଅଧିକ ବୋଲି ଚର୍ଚ୍ଚା ହେଉଛି । ଫିଲ୍ମର ଅବଧି ସାଢ଼େ ତିନି ଘଣ୍ଟାରୁ ଅଧିକ ହେବ । ବାସ୍ତବ ଘଟଣାବଳୀ ଦ୍ୱାରା ପ୍ରେରିତ ଏହି ଫିଲ୍ମ ଦୁଇଟି ଭାଗରେ ପ୍ରଦର୍ଶିତ ହେବ ବୋଲି ପୂର୍ବରୁ ସ୍ପଷ୍ଟ ହୋଇଥିଲା । ଏବେ ଜଣାପଡ଼ିଛି ‘ଧୁରନ୍ଧର୍‌ ଭାଗ-୧’ର ଅବଧି ୩ ଘଣ୍ଟା ୩୨ ମିନିଟ୍‌ ହେବ ।

ତେବେ ନିର୍ମାତାଙ୍କ ପକ୍ଷରୁ ଏ ନେଇ ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହାର ଚୂଡ଼ାନ୍ତ ଅବଧି ୩.୫ ଘଣ୍ଟାର ହେବ ବୋଲି ଅନୁମାନ କରାଯାଉଛି । ସେନ୍ସର୍‌ ପ୍ରମାଣପତ୍ର ହାସଲର ପ୍ରକ୍ରିୟା ଆରମ୍ଭ ହୋଇଛି । ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ୍‌ ଫିଲ୍ମକୁ ପ୍ରମାଣପତ୍ର ପ୍ରଦାନ କରିବା ପରେ ଏହାର ପ୍ରକୃତ ଅବଧି ଜଣାପଡ଼ିବ । ରିପୋର୍ଟ ସତ ହେଲେ, ପ୍ରାୟ ୧୭ ବର୍ଷ ମଧ୍ୟରେ ରିଲିଜ୍‌ ହୋଇଥିବା ସବୁଠୁ ଲମ୍ବା ଅବଧିର ବଲିଉଡ୍‌ ଫିଲ୍ମ ହେବ ‘ଧୁରନ୍ଧର୍‌’ ।

​​​​​​​

୨୦୦୮ର ଋତ୍ୱିକ ରୋଶନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଫିଲ୍ମ ‘ଯୋଦ୍ଧା ଆକବର’ ନାଁରେ ଏହି ରେକର୍ଡ ରହିଛି, ଯାହା ୩ ଘଣ୍ଟା ୩୪ ମିନିଟର ଥିଲା । ଏହା ପୂର୍ବରୁ ଏକାଧିକ ଫିଲ୍ମର ଅବଧି ଘଣ୍ଟାରୁ ଅଧିକ ଥିଲା । ତନ୍ମଧ୍ୟରେ ‘ଏଲଓସି କାର୍ଗିଲ’ (୪ ଘଣ୍ଟା ୭ ମିନିଟ୍‌), ‘ଲଗାନ୍‌’ (୩ ଘଣ୍ଟା ୪୪ ମିନିଟ୍‌), ‘ସଲାମ୍‌-ଏ-ଇଶ୍କ’ (୩ ଘଣ୍ଟା ୩୬ ମିନିଟ୍‌) ଓ ‘ମୋହବତେଁ (୩ ଘଣ୍ଟା ୩୫ ମିନିଟ୍‌) ଅନ୍ୟତମ । ‘ଧୁରନ୍ଧର୍‌’ର ନିର୍ଦ୍ଦେଶନା ଦେଇଛନ୍ତି ଆଦିତ୍ୟ ଧର୍‌ । ଆସନ୍ତା ଡିସେମ୍ବର ୫ରେ ଏହାର ପ୍ରଥମ ଭାଗ ରିଲିଜ୍‌ ହେବ । ୨୦୨୬ ପ୍ରଥମାର୍ଦ୍ଧରେ ୨ୟ ଭାଗ ରିଲିଜ୍‌ କରିବାକୁ ନିର୍ମାତା ଯୋଜନା କରିଛନ୍ତି ।