କଟକ, ୩/୦୬ (ହାରୁନ୍‌ ରସିଦ୍‌ ଖାନ୍‌) : ଟ୍ରେନ୍‌ରେ ଯାଉଥିଲେ, ଦୁର୍ଭାଗ୍ୟବଶତଃ ଖସିପଡ଼ିଲେ । ବଞ୍ଚିବାର ଆଶା ବହୁତ କ୍ଷୀଣ ଥିଲା । ହେଲେ ପ୍ରଭୁଙ୍କ କୃପା ଓ ବନ୍ଧୁ, ପରିବାରବର୍ଗଙ୍କ ସହାୟତାରେ ଶରୀରରେ ନିଶ୍ୱାସ ଟିକିଏ ବଞ୍ଚି ରହିଲା । ୩୪ଟି ରକ୍ତ ଓ ୧୭ଟି ପ୍ଲାଜ୍‌ମା ନେଇ ଦୁଇ ବର୍ଷର ସଂଘର୍ଷ ପରେ ସୁସ୍ଥ ହେଲେ ସତ । କିନ୍ତୁ ହରାଇ ବସିଲେ ଗୋଡ଼ ଦୁଇଟି । ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଦୁଇ ବର୍ଷ ଲାଗିଗଲା । କିନ୍ତୁ ଦୁଇ ବର୍ଷ ପରେ ଯେଉଁ ରବିଙ୍କୁ ଲୋକେ ଚିହ୍ନିଲେ ସେ ଥିଲେ ସମ୍ପୂର୍ଣ୍ଣ ଭିନ୍ନ, ନିଆରା ଓ ପରୋପକାରୀ । ଦୁଇ ଗୋଡ଼ ନଥାଇ ଚାଉଳିଆଗଞ୍ଜ କୈବଲ୍ୟ ବିହାର ଅଞ୍ଚଳର ବାସିନ୍ଦା ୩୩ ବର୍ଷୀୟ ରବିନାରାୟଣ ଦାସ ଓରଫ୍‌ ବୁବା ଏବେ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

ରକ୍ତ ଦାନ ମହତ ଦାନ । ଏହା କେବଳ କଥାରେ ସୀମିତ ରହିନି ତାଙ୍କ ପାଇଁ । ସେ ଏହାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି । ଦୁର୍ଘଟଣାରେ ଦୁଇଟା ଯାକ ଗୋଡ଼ ହରାଇ ଅନ୍ୟମାନଙ୍କ ଭଳି ଯଦିଓ ଚାଲିବାରେ ସେ ଅସମର୍ଥ ହୋଇପଡ଼ିଛନ୍ତି ତଥାପି ସେବା ପଥରେ ଆଗେଇ ଚାଲିଛନ୍ତି ବୁବା । ଭିନ୍ନକ୍ଷମ ହୋଇ ମଧ୍ୟ ଗତ ୫ବର୍ଷ ମଧ୍ୟରେ ୩୩ ଥର ରକ୍ତଦାନ କରିସାରିଲେଣି ବୁବା । ଏହାସହ ଏସ୍‌ସିବିକୁ ଆସୁଥିବା ଲୋକମାନଙ୍କ ରକ୍ତ ଆବଶ୍ୟକ ହେବା ମାତ୍ରେ ସମସ୍ତେ ବୁବା ଭାଇଙ୍କୁ ଖୋଜିଥାନ୍ତି । ପାଖାପାଖି ୫ହଜାର ଲୋକଙ୍କ ପାଇଁ ସେ ରକ୍ତ ଯୋଗାଡ଼ କରି ସମାଜସେବା କ୍ଷେତ୍ରରେ ସାଜିଛନ୍ତି ନିଆରା ମଣିଷ । ସମସ୍ତଙ୍କ ପାଖରେ ସେ ବୁବା ଭାଇ ନାମରେ ପରିଚିତ । ପରିବାର କହିଲେ ବାପା ଦୁଃଖିଶ୍ୟାମ୍‌ ଦାସ ଓ ମା ରେଣୁବାଳା ଦାସ । ବାପା ଗାଡ଼ି ଡ୍ରାଇଭିଂ କରି ଗୁଜୁରାଣ ମେଣ୍ଟାଉଥିଲେ । ଯୁବାବସ୍ଥାରେ କୁସଙ୍ଗରେ ପଡ଼ି ପାଠ ନପଢ଼ି କେତେବେଳେ ସମ୍ପର୍କୀୟଙ୍କ ଦୋକାନରେ କାମ କରୁଥିଲେ ତ ଆଉ କେତେବେଳେ ଗାଡ଼ି ବୁଝାବୁଝି କରୁଥିଲେ ବୁବା । କିନ୍ତୁ ରୋଜଗାର କରୁଥିବା ଟଙ୍କାର ସଦୁପଯୋଗ କରିପାରୁ ନ ଥିଲେ । ଯାହାକୁ ନେଇ ପରିବାର ଲୋକେ ବେଶ୍‌ ଚିନ୍ତିତ ମଧ୍ୟ ହୋଇପଡ଼ିଥିଲେ । କିନ୍ତୁ ସମୟଚକ୍ରରେ ସବୁକିଛି ଓଲଟପାଲଟ ହୋଇଗଲା । ୨୦୧୯ ମସିହାରେ ବ୍ରହ୍ମପୁର ଟ୍ରେନ୍‌ରେ ଯାଉଥିବା ସମୟରେ ଗଳିପଡ଼ି ଦୁର୍ଘଟଣାରେ ଗୋଡ଼ ଦୁଇଟି କଟିଯାଇଥିଲା ତାଙ୍କର । ୨୦୧୯ରୁ ୨୦୨୧ମସିହା ପର୍ଯ୍ୟନ୍ତ ଚିକିତ୍ସା ଚାଲିଲା । ବଞ୍ଚିବାର ସମ୍ଭାବନା କମ୍‌ ଥିଲା । କାରଣ ଚିକିତ୍ସା ସମୟରେ ୩୪ଟି ରକ୍ତ ଓ ୧୭ଟି ପ୍ଲାଜ୍‌ମା ଲାଗିଥିଲା । ସାଙ୍ଗସାଥୀ ଓ ସମ୍ପର୍କୀୟମାନେ ଯାହା ଯେମିତି କରି ଯୋଗାଡ କରିଥିଲେ । ପ୍ରଭୁଙ୍କ କୃପାରୁ ରବି (ବୁବା) ନୂଆ ଜୀବନ ପାଇଲେ ସିନା ଗୋଡ଼ ଦୁଇଟି ସବୁଦିନ ପାଇଁ ହରାଇ ବସିଲେ । ବିପଦ ସମୟରେ ହିଁ ରକ୍ତର ଆବଶ୍ୟକତାକୁ ବୁଝିପାରିଥିଲେ ରବି । ତେଣୁ ନୂଆ କରି ପାଇଥିବା ଜୀବନକୁ ମାନବ ସେବାରେ ହିଁ ଉତ୍ସର୍ଗ କରିଦେଲେ ।

ଆହୁରି ପଢନ୍ତୁପୁଲିସର ଅଜବ ଏନକାଉଣ୍ଟର ଫର୍ମୁଲା, ଲୁଟେରା ଓ ଖୁଚୁରା ନିଶା ବେପାରୀଙ୍କୁ ଟାର୍ଗେଟ୍, ଲଗାମଛଡ଼ା ବଳାତ୍କାରୀ, ହତ୍ୟାକାରୀ

ବର୍ତ୍ତମାନ ସମୟରେ ମଧ୍ୟ ବଞ୍ଚିବାକୁ ସଂଘର୍ଷ ଜାରି ରଖିଛନ୍ତି ସେ । ତଥାପି ସବୁ ପ୍ରତିକୂଳ ପରିସ୍ଥିତି ଭିତରେ ପ୍ରତି ୩ମାସରେ ଥରେ ରକ୍ତ ଦେବା ସହିତ ପ୍ରତ୍ୟେକ ଦିନ ସ୍କୁଟି ଧରି ଏସ୍‌ସିବିରେ ଘେରାଏ ନ ମାରିଲେ ନିଦ ହୁଏନି ତାଙ୍କୁ । କୌଣସି ଲୋକଙ୍କର ରକ୍ତ ଆବଶ୍ୟକ ହେଲେ ରବି ହାଜର ହୋଇଯାଆନ୍ତି । ଫେସ୍‌ବୁକ୍‌ ଯୋଗେ ଲୋକମାନେ ଯୋଗାଯୋଗ କଲେ କେଉଁଠୁ ନା କେଉଁଠୁ ରକ୍ତ ଯୋଗାଡ଼ କରି ଦିଅନ୍ତି ସେ । ଭିନ୍ନକ୍ଷମ ହୋଇ ବି ନିଜକୁ ଅସହାୟ ଭାବୁଥିବା ଲୋକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ରବି । ଏ ନେଇ ସେ କହନ୍ତି, ମୁଁ ଯେତିକି କଷ୍ଟ ପାଇଛି ଭଗବାନ ଏତେ କଷ୍ଟ କାହାକୁ ନ ଦିଅନ୍ତୁ । ସମାଜସେବା କରିବା ସହିତ ନିଜ ସାମର୍ଥ୍ୟ ଅନୁସାରେ ଏବେ ରାସ୍ତା କଡ଼ରେ ଏକ ଛୋଟ ଅଣ୍ଡା ଓ କ୍ଷୀର ଦୋକାନ କରିଛି । ସେଥିରୁ ହିଁ ମୋର ଗୁଜୁରାଣ ମେଣ୍ଟୁଛି । ରକ୍ତଦାନ ଓ ସେବା ମୋର ନିଶା ପାଲଟିଯାଇଛି ।

ପୁଣି ରାସ୍ତାରେ ଦିଦିଙ୍କ ରାଜନୀତି; BJP ବିରୋଧରେ ଦେଲେ 'ଲଢ଼ିବୁ ନଚେତ ମରିବୁ' ଡାକରା