ଭୁବନେଶ୍ୱର, ୦୩/୦୬ : ସାରା ରାଜ୍ୟରେ ଆଇନଶୃଙ୍ଖଳା ବଜାୟ ରଖିବା ସହ ଅପରାଧୀଙ୍କୁ ମାତ୍ ଦେବାକୁ ପୁଲିସ ଏବେ ଏନକାଉଣ୍ଟର ଫର୍ମୁଲା ଆପଣାଇଛି । କେଉଁ ଜିଲ୍ଲା ପୁଲିସ କେତେ ଅପରାଧୀଙ୍କୁ ଘାଇଲା କରିପାରିବ? ସେନେଇ ଏକରକମର ପ୍ରତିଯୋଗିତା ଚାଲିଛି । ଗତ ୨୨ ଦିନରେ ୧୨ଜଣ ପେସାଦାର, ଅଭ୍ୟାସଗତ ଅପରାଧୀ ଗୁଳି ଖାଇଲେଣି । ବ୍ରହ୍ମପୁର ପୁଲିସର ସର୍ଭିସ ବନ୍ଧୁକରୁ ସର୍ବାଧିକ ଗୁଳି ଗର୍ଜିଛି । ୫ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଘାଇଲା ହୋଇଛନ୍ତି । ଝାରସୁଗୁଡ଼ା ଓ ସମ୍ବଲପୁରରେ ୨ଜଣ ଲେଖାଏ, ଭୁବନେଶ୍ୱର ଓ ପୁରୀରେ ଜଣେ ଲେଖାଏ ଅପରାଧୀଙ୍କ ଗୋଡ଼କୁ ପୁଲିସ ଗୁଳି ଭେଦିଛି । ତଥାପି ରାଜ୍ୟରେ ଅପରାଧର ମାତ୍ରା ବଢ଼ିଚାଲିଛି । ଯେତିକି ଅପରାଧୀଙ୍କୁ ଗଲା ମାସେ ଭିତରେ ଏନକାଉଣ୍ଟର କରାଯାଇଛି । ସେମାନଙ୍କ ଭିତରୁ ଅଧିକାଂଶ ଅଭ୍ୟାସଗତ ଚୋର, ଲୁଟେରା ଓ ଡକାୟତ । ନଚେତ୍, ପେସାଦାର ନିଶା ମାଫିଆ । କେହି ଜଣେ ବି ଗ୍ୟାଙ୍ଗଷ୍ଟର୍ ନୁହନ୍ତି । ହତ୍ୟା ଭଳି ସଙ୍ଗୀନ ମାମଲାରେ ଅଧିକାଂଶଙ୍କ ସମ୍ପୃକ୍ତି ନାହିଁ । ତଥାପି ରାଜ୍ୟରେ ଅପରାଧ ଉପରମୁହାଁ ହେବାରୁ ପୁଲିସ ଏହି ‘ଠୋକ୍ ଡାଲୋ’ ଫର୍ମୁଲା ଆପଣାଇଛି । ଅଭ୍ୟାସଗତ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ସିଧା ଗୁଳି କରି ଘାଇଲା କରୁଛି ପୁଲିସ ।
ଜଣେ ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ପୁଲିସଠାରୁ ଗୁଳି ଖାଇଥିବା ସମସ୍ତ ଅପରାଧୀମାନେ ସଂଗଠିତ ଅପରାଧରେ ସମ୍ପୃକ୍ତ । ଏମାନଙ୍କର ଦୀର୍ଘ ବର୍ଷର ଅପରାଧିକ ଇତିହାସ ରହିଛି । କିନ୍ତୁ ସେମାନଙ୍କୁ ଅପରାଧରୁ ନିବୃତ୍ତ କରିବା ପାଇଁ ଆମ ଆଇନ୍ ବ୍ୟବସ୍ଥାରେ ଆହୁରି ଅନେକ ବାଟ ଅଛି । ପୁଲିସର ଏମିତି ‘ଫଇସଲା ଅନ୍ ଦି ସ୍ପଟ୍’ ଫର୍ମୁଲା ଠିକ୍ ନୁହେଁ । ଅପରପକ୍ଷରେ ରାଜ୍ୟବ୍ୟାପୀ ବାଲି ଓ ଖଣି ମାଫିଆ ରାଜସ୍ୱ ଲୁଟ୍ କରିବାରେ ବ୍ୟସ୍ତ । ଅନେକ ସ୍ଥାନରେ ପୁଲିସ ମଧ୍ୟ ସେମାନଙ୍କ ଆକ୍ରମଣର ଶିକାର ହେଉଛି । କିନ୍ତୁ କେବେ ତାଙ୍କ ଆଡକୁ ପୁଲିସ ଗୁଳି ଯାଉନି । କାରଣ ପୁଲିସ ଓ ରାଜସ୍ୱ ବିଭାଗ ପଦାଧିକାରୀଙ୍କ ସୁରକ୍ଷାରେ ସେମାନେ ଅଛନ୍ତି । ରାଜ୍ୟରେ ବଳାତ୍କାର ଗ୍ରାଫ୍ ବଢ଼ି ଚାଲିଛି । କିନ୍ତୁ କେବେ କୌଣସି ବଳାତ୍କାରୀର ନାମ ଏନକାଉଣ୍ଟର ତାଲିକାକୁ ଉଠେନି ।
ଆହୁରି ପଢନ୍ତୁ- ରଜରେ ଭିଜିବ ଓଡ଼ିଶା,୧୦ ରୁ ୧୪ ସୁଦ୍ଧା ମୌସୁମୀ, ଏବେ ବଢିବ ତାପମାତ୍ରା
ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଦାଶଙ୍କ କହିବା ମୁତାବକ, ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ଏନକାଉଣ୍ଟର ପର୍ମୁଲା ଆପଣାଇଛି ପୁଲିସ । ୨୦୧୪ରେ ପିପୁଲସ ୟୁନିଅନ ଫର୍ ସିଭିଲ ଲିବର୍ଟିସ୍ ଭର୍ସେସ୍ ଷ୍ଟେଟ ଅଫ ମହାରାଷ୍ଟ୍ର ଏବଂ ଅଦର୍ସ କେସରେ ଏନକାଉଣ୍ଟର ବାବଦକୁ ସୁପ୍ରିମକୋର୍ଟ ଏକ ବିସ୍ତୃତ ଗାଇଡଲାଇନ ଜାରି କରିଛନ୍ତି । କିନ୍ତୁ ଅଧିକାଂଶ ମାମଲାରେ ଏସବୁ ଗାଇଡଲାଇନକୁ ପୁଲିସ ଦଳିଚକଟି ଦେଉଛି । ଯଦି ପୁଲିସର ଏନକାଉଣ୍ଟର ଥିଓରୀ ସତ ପ୍ରମାଣିତ ନ ହେଲା, ପୁଲିସ ଗୁଳିରେ ଘାଇଲା ପୀଡ଼ିତ ଅପରାଧୀମାନେ ନ୍ୟାୟ ନେଇପାରିବେ । ଅତୀତରେ ଏନକାଉଣ୍ଟରର ଶିକାର ହୋଇଥିବା ଅନେକ ଅପରାଧୀକୁ ଯଦି ସେମାନଙ୍କ ଏନକାଉଣ୍ଟରର କାହାଣୀ ପଚରାଯାଉଛି ତେବେ ଭୟରେ ସେମାନେ ମୁହଁ ଖୋଲି ନଥାନ୍ତି ।
ସିରିଜ୍ ଏନକାଉଣ୍ଟର
-ମେ’ ୧୨ରେ ଝାରସୁଗୁଡ଼ା ବେଲପାହାଡ଼ ଥାନାରେ ପ୍ରଥମ ଏନକାଉଣ୍ଟର ହୋଇଥିଲା । ହତ୍ୟା ଅଭିଯୁକ୍ତ ସୁନିଲ ମହାନନ୍ଦ, ଚାନ୍ଦ ବନଛୋର ଗୁରୁତର ଆହତ କରିଥିଲା । ୨ ଜଣଙ୍କ ଜଂଘରେ ଗୋଟିଏ ଲେଖାଏଁ ଗୁଳି ବାଜିଛି ।
-ମେ’ ୧୬ରେ ବ୍ରହ୍ମପୁର ପୁଲିସ ଦ୍ୱାରା ଲାଞ୍ଜିପଲ୍ଲୀର ଦୁର୍ଦ୍ଦାନ୍ତ ଦିପୁନା ନାୟକ ଏନକାଉଣ୍ଟର । ସକାଳେ ସେ ଗୋପାଳପୁର ଓଭରବ୍ରିଜରୁ ଶ୍ୟାମ ବେହେରାଙ୍କୁ ଠେଲି ହତ୍ୟା ପାଇଁ ଉଦ୍ୟମ କରିଥିଲା । ୨୦ରୁ ଅଧିକ ମାମଲା ରହିଛି । ବାମଗୋଡ଼ ଆଣ୍ଠୁରେ ଗୁଳି ବାଜିଥିଲା ।
-ମେ’ ୧୭ରେ ସମ୍ବଲପୁର ବୁର୍ଲାର ପ୍ଲାନେଟାରିୟମ ଛକରେ ନିଶା ବେପାରୀ ମନୀଷ ସାହୁକୁ ଏନକାଉଣ୍ଟର । କାରରୁ ବିପୁଳ ମାତ୍ରାରେ କୋରେକ୍ସ ମିଳିଥିଲ । ୧୪ଟି ଅପରାଧିକ ମାମଲା (ଡକାୟତି, ଆର୍ମ୍ସ ଆଇନ୍, ନିଶା କାରବାର) ରହିଛି । ଡାହାଣ ପଟ ନଳି ଗୋଡ଼ରେ ଗୁଳି ବାଜିଛି ।
-ମେ’ ୧୯ରେ ସମ୍ବଲପୁରର ଚାରମାଳ ଥାନା ମୋଚିବାହାଲ ଅଞ୍ଚଳରେ ବଣ୍ଟି ସୁନଚୁ ଏନକାଉଣ୍ଟର । ଅସ୍ତ୍ରଶସ୍ତ୍ର ମହଜୁଦ ରଖିବା ସହ ଗଞ୍ଜେଇ ଓ କୋରେକ୍ସ ଚାଲଣଜନିତ ୧୬ଟି ମାମଲା ରହିଛି । ବାମ ପାଶ୍ୱର୍ ନଳି ଗୋଡ଼ରେ ଗୁଳି ବାଜିଛି ।
-ମେ’ ୨୦ରେ ବ୍ରହ୍ମପୁର ଗିରି ରୋଡ଼ରେ ଯୁବକ-ଯୁବତୀଙ୍କୁ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ଟାମଣା ଘାଟି (ବ୍ରହ୍ମପୁର-ଚିକିଟି ରାସ୍ତା) ରେ ଏନ୍କାଉଣ୍ଟର । ତା’ ହାତ ଓ ଦୁଇ ଆଣ୍ଠୁରେ ଗୁଳି ଭେଦିଥିଲା ।
-ମେ’ ୨୫ରେ ବ୍ରହ୍ମପୁର ଅମ୍ବିକା ନଗରରେ ମଙ୍ଗଳା ବେହେରାଙ୍କୁ ଖଣ୍ଡାରେ ହାଣି ଆତଙ୍କ ରଚିଥିବା ଜଗନ୍ନାଥ ସାହୁକୁ ଏନକାଉଣ୍ଟର । ପୁଲିସ ଉପରକୁ ବୋମାମାଡ଼ ପାଇଁ ଜଗନ୍ନାଥ ଚେଷ୍ଟା କରିଥିଲା । ଜଗାର ୨ ଗୋଡ଼ର ଆଣ୍ଠୁରେ ଗୁଳି ବାଜିଛି ।
-ମେ’ ୨୬ରେ ସୁଧିର ପାତ୍ର ହତ୍ୟା ମାମଲାରେ ବ୍ରହ୍ମପୁର ରତ୍ନ ନଗରରେ ରଞ୍ଜନ ମଲ୍ଲିକ ଓ ସରୋଜ ସାହୁକୁ ଏନକାଉଣ୍ଟର । ଅପହରଣ ଓ ହତ୍ୟା ମାମଲାରେ ଉଭୟଙ୍କୁ ରାଜସ୍ଥାନରୁ ଟ୍ରାନଜିଟ୍ ରିମାଣ୍ଡରେ ବ୍ରହ୍ମପୁର ଆଣୁଥିଲେ । ସରୋଜର ଡାହାଣ ଗୋଡ଼ ଓ ରଞ୍ଜନର ବାମ ଗୋଡ଼ରେ ଗୁଳି ବାଜିଥିଲା ।
-ମେ’ ୨୮ରେ ଭୁବନେଶ୍ୱରରେ ଦୁର୍ଦ୍ଦାନ୍ତ ପପୁନ ମାଝିକୁ ସ୍ପେଶାଲ କ୍ରାଇମ୍ ୟୁନିଟ୍ (ସ୍ପେଶାଲ କ୍ରାଇମ୍ ୟୁନିଟ୍) ଏନକାଉଣ୍ଟର । ଗଞ୍ଜାମ ଭଞ୍ଜନଗର ଅଞ୍ଚଳର ପପୁନ ନାଁରେ ୮୧ଟି ମାମଲା(ଆର୍ମ୍ସ ଆକ୍ଟ, ଡ୍ରଗ୍ସ କାରବାର, ବୋମାମାଡ଼) ରହିଛି । ଡାହାଣ ପଟ ଆଣ୍ଠୁରେ ଗୁଳି ବାଜିଥିଲା ।
-ମେ’ ୩୦ରେ ଝାରସୁଗୁଡ଼ା ରେଙ୍ଗାଳିର କଦମଘାଟରେ ଡକାୟତି ଉଦ୍ୟମ ବେଳେ ଦୁର୍ଦ୍ଦାନ୍ତ ଜୟ ଚୌହାଚୁ ଏନକାଉଣ୍ଟର । ଡାହାଣ ପାର୍ଶ୍ୱ ଗୋଡ଼ ଆଣ୍ଠୁ ଉପରକୁ ଗୁଳି ଭେଦିଥିଲା।
-ମେ’ ୩୧ରେ ପୁରୀ ବାଇପାସରେ ଲୁଟ୍ ଯୋଜନା କରୁଥିବା ଚନ୍ଦନ ଜେନାଙ୍କୁ ଏନକାଉଣ୍ଟର । ଡାହାଣ ପାର୍ଶ୍ୱ ଆଣ୍ଠୁରେ ଗୁଳି ବାଜିଥିଲା ।