ଚନ୍ଦ୍ରଶେଖରପୁର, ୨୧/୦୬: ସ୍ୱେରେଜ୍ ଚାମ୍ବରରୁ ଅନବରତ ମଇଳା ପାଣି ବାହରୁଛି । ଦୁର୍ଗନ୍ଧ ପରିବେଶରେ ପୋକ ସାଲୁବାଲୁ ହେଉଛନ୍ତି । ସେ ରାସ୍ତାରେ ଲୋକେ ନାକରେ ହାତ ଦେଇ ଯାଉଛନ୍ତି । ଆଉ ଚାଲିକରି ଯିବା ଲୋକଙ୍କ କଥା ନକହିବା ଭଲ । ଅଣ୍ଠୁଏ ଉଚ୍ଚରେ ଡ୍ରେସ୍ ଉଠାଇ ଯିବାକୁ ପଡୁଛି । ଗାଡ଼ିରେ ଗଲେ ମଇଳା ପାଣି ଉପରକୁ ଛିଟିକି ପଡୁଛି । ସେହି ବାଟ ଦେଇ ଯିଏ ଯାଉଛି ସିଏ କହୁଛି ଛି ଛି... ଥୁ ଥୁ.... । ଏ ହେଉଛି ନୀଳାଦ୍ରି ବିହାର ଏଟିଏମ ଛକ ସ୍ଥିତ ମାଳିତୀ ମେନସନ୍ ଆପାର୍ଟମେଣ୍ଟ ସାମ୍ନାର ଚିତ୍ର । ଦୁଇ ବର୍ଷ ହେବ ଏଠି ମଇଳା ପାଣିରେ କଲବଲ ହେଉଛନ୍ତି ଲୋକେ । ସ୍ୱେରେଜ୍ ଚାମ୍ବର ଜାମ୍ ହୋଇଯାଇଥିବାରୁ ରାସ୍ତା ଉପରେ ଲହଡ଼ି ମାରୁଛି ମଇଳା ପାଣି । ଆଉ ବର୍ଷା ହେଲେ ସ୍ଥିତି ଅଣାୟତ୍ତ ହୋଇପଡୁଛି । ଭୁସଭୁସ୍ ହୋଇ ପାଣି ବାହାରୁଛି । ଏନେଇ ସ୍ଥାନୀୟ ଲୋକେ ବିଏମସି ଓ ୱାଟ୍କୋ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା ଏହାର ସମାଧାନ ହୋଇନାହିଁ ।
ଏହି ରାସ୍ତା ନୀଳାଦ୍ରି ବିହାର-ଚନ୍ଦ୍ରଶେଖରପୁର ପେଟ୍ରେଲ ପମ୍ପ ମୁଖ୍ୟରାସ୍ତା ହୋଇଥିବାରୁ ଏଥିରେ ଦୈନିକ ହଜାର ହଜାର ଲୋକେ ଯିବା ଆସିବା କରୁଛନ୍ତି । ଏହି କଦର୍ଯ୍ୟ ପରିବେଶରେ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଜଳଖିଆ ଦୋକାନୀ ବିଜୟ ସାହୁ କହିଛନ୍ତି ପ୍ରାୟ ସମୟରେ ଚାମ୍ବରରୁ ଗନ୍ଧ ପାଣି ବାହାରୁଛି । ସ୍ଥାନୀୟ ବାସିନ୍ଦା ଜିତେନ୍ଦ୍ର କର ଓ ବଜାର ସଂଘ ସଭାପତି ତାରକ ମହାନ୍ତି କହିଛନ୍ତି, ନିର୍ମାଣରେ ତ୍ରୁଟି ଥିବାରୁ ୨ ବର୍ଷ ହେବ ଏପରି ପାଣି ବାହାରୁଛି । ମରାମତି ହେଉଛି, କିନ୍ତୁ ୪ ଦିନ ପରେ ପୁଣି ମଇଳା ପାଣି ବାହାରୁଛି । ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।