ବୌଦ୍ଧ,୬/୩ : ବୌଦ୍ଧ କଚେରୀ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ୭ଦିନିଆ ସୁଭଦ୍ରା ଶକ୍ତି ମେଳା ଆଜି ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଯୋଗଦେଇ ଏହି ମେଳାକୁ ଉଦଘାଟନ କରିଥିଲେ । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ଅବକାରୀ ଅଧୀକ୍ଷକ ଶାନ୍ତି ମାରାଣ୍ଡି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଗରିକା ଦତ୍ତ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ, ମିଶନଶକ୍ତି ରଶ୍ମି ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ବୌଦ୍ଧ ଜିଲ୍ଲା ପ୍ରଶିକ୍ଷଣ ଅଧିକାରୀ ଡ଼.ସଂଘମିତ୍ରା ପରମାଣିକ ଉଦଘାଟନୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବୀରନରସିଂହପୁର ନବ କିଶୋର ଦୀପ ଏବଂ ଶୁଭ ଲକ୍ଷ୍ମୀ ମୁଦୁଲି ପରିଚାଳନା କରିଥିଲେ । ବୌଦ୍ଧର ସଂଗୀତାୟନ, କଳାକାରମାନେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ । ପରେ ପରେ ସିଂଘମ ଡ୍ୟାନ୍ସ ଷ୍ଟୁଡ଼ିଓ, କଟକ, କୋଶଲ ଫୋକ ଏକାଡେମୀ, ବଲାଙ୍ଗୀର, ପଦ୍ମିନୀ ଦୋରା ମେଲୋଡ଼ି ଟିମ୍, ବରଗଡ଼ର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବୌଦ୍ଧ ତହସିଲଦାର, ତଥା ନୋଡାଲ ଅଫିସର ଅନିତା କୁମାରୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । ଅତିଥିମାନେ ମେଳାରେ ପଡ଼ିଥିବା ବିଭିନ୍ନ ପ୍ରଦର୍ଶନୀ ଷ୍ଟଲ ବୁଲି ଦେଖିଥିଲେ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ରଙ୍ଗlରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଗେହ୍ଲା ଗେହ୍ଲା ମା’କଳା ନିକେତନ, ବୌଦ୍ଧ, ମାଧବ ବେହେରାଙ୍କ ମୁଇ ବଉଦିଆ, ବଜାଶାଲ, ବଲାଙ୍ଗୀର, ଅମର ଦାଶ ମେଲୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।