କଟକ, ୨୨।୩: ମହାନଦୀ କୂଳ, ସୁଲୁସୁଲିଆ ପବନ, ହାତରେ ବହି । ଏମିତି ସଂଯୋଗ ଖୋଜୁଥିବା ପୁସ୍ତକପ୍ରେମୀ ଓ ପାଠକଙ୍କ ଲାଗି ଏବେ ନୂଆ ଠା’ ପାଲଟିଛି ଜିଲ୍ଲା ସ୍ତରୀୟ ପୁସ୍ତକ ମେଳା ‘କଟକ ସାହିତ୍ୟ ସରୋବର’ । ଅ, ଆ ରୁ ଆରମ୍ଭ କରି ଏଆଇ (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ପର୍ଯ୍ୟନ୍ତ ସବୁ ବିଭାଗର ପୁସ୍ତକକୁ ନେଇ ଏଠି ଏକାଠି ହୋଇଛନ୍ତି ୫୦ରୁ ଅଧିକ ପ୍ରକାଶନୀ ସଂସ୍ଥା । ପ୍ରାୟ ୨ ଲକ୍ଷ ପୁସ୍ତକର ସମ୍ଭାର ପାଠକଙ୍କୁ ବାନ୍ଧି ରଖିଛି ଏହି ସାହିତ୍ୟ ସରୋବରରେ । କୁନି ପିଲାଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧାଙ୍କ ଯାଏ ପ୍ରତି ବର୍ଗର ବ୍ୟକ୍ତିବିଶେଷ ଏଠି ନିଜ ପସନ୍ଦର ବହି ପାଉଛନ୍ତି ଓ ହାତରେ ଧରି ଖେଳାଉଛନ୍ତି । ମନ ପୂରିଲେ କିଣି ନେଇଯାଉଛନ୍ତି ।
ପାଠକ-ପାଠିକାଙ୍କୁ ବାନ୍ଧି ରଖିବା ପାଇଁ ଆକର୍ଷଣୀୟ ସେଲ୍ଫି ଷ୍ଟାଣ୍ଡ୍, ତତ୍କାଳ ଫଟୋ ଉତ୍ତୋଳନ, ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସୁଆଦିଆ ଖାନାପିନା ବି ଜମୁଛି ତଳ ବାଲିଯାତ୍ରା ପଡ଼ିଆ ଗଡ଼ଗଡ଼ିଆ ଘାଟସ୍ଥିତ ପୁସ୍ତକ ମେଳାରେ । ୮ ବର୍ଷ ତଳେ କଟକ ସହରରେ ଏନ୍ବିଟି (ନାସନାଲ୍ ବୁକ୍ ଟ୍ରଷ୍ଟ) ଆନୁକୂଲ୍ୟରେ ଏକ ପୁସ୍ତକ ମେଳା ହୋଇଥିଲା । ମେଳାର ଚାହିଦା ବି ରହିଥିଲା । ପୁସ୍ତକ ମଧ୍ୟ ଆଶାନୁରୂପ ବିକ୍ରି ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ପୁସ୍ତକ ମେଳା ଆୟୋଜନ କଟକ ସହରରେ ଦେଖିବାକୁ ମିଳିନଥିଲା । ଯଦିଓ କଟକ ହେଉଛି ପ୍ରକାଶନୀ ସଂସ୍ଥାଙ୍କ ପେଣ୍ଠସ୍ଥଳ ଓ ଅନେକ ବିଶିଷ୍ଟ ସାରସ୍ୱତ ସାଧକଙ୍କ କର୍ମଭୂମି । ଏଠାରେ ଶତାଧିକ ପ୍ରକାଶନୀ ସଂସ୍ଥା ରହିଥିଲେ ବି ପାଠକ, ପାଠିକାଙ୍କ ଉଦ୍ଦେଶ୍ୟରେ ପୁସ୍ତକ ମେଳାର ଆୟୋଜନ କରିବାକୁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ନଥିଲା । ତେବେ ଦୀର୍ଘ ବର୍ଷ ବ୍ୟବଧାନରେ କଟକ ମହାନଗର ନିଗମ (ସିଏମ୍ସି) ତରଫରୁ ଜିଲ୍ଲାସ୍ତରୀୟ ପୁସ୍ତକ ମେଳା ‘କଟକ ସାହିତ୍ୟ ସରୋବର’ ଆରମ୍ଭ ହୋଇଛି ।
ଗତକାଲି ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ଶନିବାର ଦ୍ୱିତୀୟ ଦିନରେ ପୁସ୍ତକ ମେଳାରେ ପାଠକ ପାଠିକାଙ୍କ ଉତ୍ସାହ ସ୍ପଷ୍ଟ ଦୃଶ୍ୟମାନ ହୋଇଛି । ଏବେ ସ୍କୁଲ୍, କଲେଜରେ ପରୀକ୍ଷା ସରିଥିବା ବେଳେ ଛାତ୍ରଛାତ୍ରୀମାନେ ପୁସ୍ତକ ମେଳାକୁ ବହୁ ସଂଖ୍ୟାରେ ଆସୁଛନ୍ତି । ବିଶେଷ କରି ସ୍କୁଲ୍ ଓ କଲେଜ ପିଲାଙ୍କ ଗହଳି ଆଜି ଦେଖିବାକୁ ମିଳିଛି । ପିଲାଙ୍କ ମନ ଜାଣି ବହୁ ଶିକ୍ଷଣୀୟ ପୁସ୍ତକ ମଧ୍ୟ ଏଠାରେ ସ୍ଥାନ ପାଇଛି । ରାଜ୍ୟ ଓ ରାଜ୍ୟ ବାହାରର ଅନେକ ପ୍ରତିଷ୍ଠିତ ପ୍ରକାଶନୀ ସଂସ୍ଥା ବିଜ୍ଞାନ ଓ ସାହିତ୍ୟ ସମ୍ବନ୍ଧୀୟ ପୁସ୍ତକ ଷ୍ଟୋର୍ରେ ରଖିଛନ୍ତି । ଯାହାକୁ ଦେଖି ସ୍କୁଲ୍ ଛାତ୍ରଛାତ୍ରୀମାନେ ଆକୃଷ୍ଠ ହେଉଛନ୍ତି । ପିଲାଙ୍କ ମନୋବିଜ୍ଞାନ ସମ୍ବନ୍ଧୀୟ ପୁସ୍ତକ, କ୍ଷୁଦ୍ର ଗଳ୍ପ, ମାନବିକ ମୂଲ୍ୟବୋଧ ସମ୍ପନ୍ନ ପୁସ୍ତକ, ଓଡ଼ିଆ ହସ୍ତଲିପି, ୱାର୍ଡବୁକ୍, ବ୍ୟାକରଣ ଆଦି ପୁସ୍ତକ ବେଶ୍ ଗ୍ରହଣୀୟ ହୋଇପାରିଛି । ଓଡ଼ିଆ ବର୍ଣ୍ଣବୋଧ ଠାରୁ ଏଆଇ ବାବଦ ଶିକ୍ଷଣୀୟ ପୁସ୍ତକ ପାଇ ପାଠକମାନେ ବେଶ୍ ଖୁସି ବ୍ୟକ୍ତ କରୁଛନ୍ତି ।
ଆହୁରି ପଢନ୍ତୁ-ମହଙ୍ଗା ପଡ଼ିଲା ଅନ୍ୟ ଜାତିରେ ଝିଅର ନିର୍ବନ୍ଧ, ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀଙ୍କୁ ଭତରା ସମାଜରୁ ବାସନ୍ଦ
ସେହିପରି ବିଭିନ୍ନ କଳା ଓ ସ୍ଥାପତ୍ୟ ଉପରେ ଗବେଷଣା କରୁଥିବା ଯୁବବର୍ଗଙ୍କ ଲାଗି ଅନେକ ମହତ୍ୱପୂର୍ଣ୍ଣ ପୁସ୍ତକ ଏଠାରେ ଦେଖିବାକୁ ମିଳୁଛି । ଧାର୍ମିକ ପୁସ୍ତକ ମଧ୍ୟ ବିଭିନ୍ନ ପ୍ରକାଶନୀ ସଂସ୍ଥା ନିଜ ଅସ୍ଥାୟୀ ଷ୍ଟୋର୍ରେ ଉପଲବ୍ଧ କରାଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ, ମଣିମାଙ୍କ କରାମତି, ଶ୍ରୀ ନୀଳମାଧବ, ଶ୍ରୀଜଗନ୍ନାଥଙ୍କ ଆତ୍ମକଥା, ବାଇଶିପାହାଚ ସହିତ ପ୍ରସିଦ୍ଧ ଧାର୍ମିକ ଗ୍ରନ୍ଥ ଶ୍ରୀମଦ୍ ଭାଗବତ, ମହିମା ପୁରାଣ, ହେତୁ ଉଦୟ ଭାଗବତ, ମହାଭାରତ ସହିତ ଅନେକ ଗ୍ରନ୍ଥାବଳୀ ପାଠକଙ୍କୁ ସ୍ପର୍ଶ କରିବାକୁ ସୁଯୋଗ ମିଳିଛି । ଓଡ଼ିଆ ସାହିତ୍ୟ ଜଗତର ପ୍ରସିଦ୍ଧ କଥାକାର ଓ ସାରସ୍ୱତ ସାଧକଙ୍କ ପୁସ୍ତକ ସମୂହ ମଧ୍ୟ ପୁସ୍ତକ ମେଳା ଭେଟି ଦେଉଛି । ସାରଳା ଯୁଗ, ପଞ୍ଚସଖା ଯୁଗ ଓ ରୀତି ଯୁଗର ପ୍ରସିଦ୍ଧ ଲେଖକଙ୍କ କୃତି ଏଠାରେ ଦେଖିବାକୁ ମିଳୁଛି । ଜୟଦେବ, ସାରଳା ଦାସ, ଜଗନ୍ନାଥ ଦାସ, ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ, ଉପେନ୍ଦ୍ରଭଞ୍ଜ, ଫକୀରମୋହନ ସେନାପତି, ଗଙ୍ଗାଧର ମେହେର, ଗୋପାଳକୃଷ୍ଣ ପ୍ରହରାଜ, କୁନ୍ତଳା କୁମାରୀ ସାବତ, ଗୋପୀନାଥ ମହାନ୍ତି, ମନୋଜ ଦାସ, ପ୍ରତିଭା ରାୟ, ସଚ୍ଚିଦାନନ୍ଦ ରାଉତରାୟ, ଜଗଦୀଶ ମହାନ୍ତିଙ୍କ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟସ୍ରଷ୍ଟାମାନଙ୍କ କୃତି ପାଠକଙ୍କୁ ଆକୃଷ୍ଟ କରୁଛି ।