ନୂଆପଡ଼ା,୧୨/୦୬: ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଶ୍ରମ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଯୋଗ ଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଏସପି ଜିଆର ରାଘବେନ୍ଦ୍ର, କଳାହାଣ୍ଡି ଆରସିସିଏଫ ସନ୍ତୋଷ ଯୋଶୀ, ଖଡ଼ିଆଳ ଡିଏଫଓ ଆଜିଜ ଖାନ, କଳାହାଣ୍ଡି ସଂସଦ ପ୍ରତିନିଧି ପ୍ରେମକୁମାର ଅଗ୍ରୱାଲ, ଖରିଆରରୋଡ଼ ଏନଏସି ସୋନିଆ ଜୈନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ପ୍ରମୁଖ ମଞ୍ଚାସୀନ ଥିଲେ । ରାଜସ୍ଵ ବରିଷ୍ଠ ସହାୟକ ବିଭୁଦତ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ ।
ପ୍ରଥମେ ମିନି ଷ୍ଟାଡିୟମରେ ମା’ ପାଇଁ ଗଛ ଟିଏ କାର୍ଯ୍ୟକ୍ରମରେ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଚାରା ରୋପଣ କରିଥିଲେ । ପରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ତଥା ପଲ୍ଲୀଶ୍ରୀ ମେଳାକୁ ଉଦଘାଟନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଜିଲ୍ଲାର ବିକାଶ ମେଳାର ଷ୍ଟଲ ପରିଦର୍ଶନ କରିଥିଲେ । ଏହି ମେଳା ୫ ଦିନ ଧରି ଚାଲିବ ବୋଲି ଜଣାପଡ଼ିଛି ।