ନୂଆଦିଲ୍ଲୀ,୮।୧୧: ଡିଏନ୍ଏ ଗଠନର ସନ୍ଧାନ କରିଥିବା ଆମେରିକୀୟ ବୈଜ୍ଞାନିକ ଜେମ୍ସ ଓ୍ବାଟସନ୍ଙ୍କ ୯୭ ବର୍ଷରେ ପରଲୋକ। ଡିଏନ୍ଏର ସନ୍ଧାନ ଫେଡରିକ୍ ମିଶର ୧୮୬୯ ରେ କରିଥିଲେ, କିନ୍ତୁ ଗଠନ କିଭଳି ହୁଏ ଜାଣିପାରିନଥିଲେ। ଏହାପରେ ୧୯୫୩ ରେ ଜେମ୍ସ ଓ୍ବାଟସନ୍ ଫ୍ରାନ୍ସିସି କ୍ରିକ୍ଙ୍କ ସହ ମିଶି ଡିଏନ୍ଏର ‘ଡବଲ ହେଲିକ୍ସ’ ଗଠନର ସନ୍ଧାନ କରିଥିଲେ। ଏଥିପାଇଁ ତାଙ୍କୁ ନୋବେଲ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା। ଓ୍ବାଟସନ୍ ନିଜର ଏହି ସନ୍ଧାନ ସହ ମେଡିକାଲ ସାଇନ୍ସରେ ଏକ ନୂଆ ରାସ୍ତାକୁ ଖୋଲି ଦେଇଥିଲେ। ଯେଉଁ ସମୟରେ ଓ୍ବାଟସନ୍ ମେଡିକାଲ ସାଇନ୍ସରେ କ୍ରାନ୍ତି ସୃଷ୍ଟି କରିଥିଲେ, ସେହି ସମୟରେ ତାଙ୍କର ବୟସ ମାତ୍ର ୨୪ ବର୍ଷ ଥିଲା।ରିପୋର୍ଟ ଅନୁସାରେ, ଜେମ୍ସ ଡିଏନଏର ସରଞ୍ଚନାନେଇ ପ୍ରଥମ ପ୍ରତିକ୍ରିୟା ଦେଇ କହିଥିଲେ ଏହା ଖୁବ୍ ସୁନ୍ଦର।
ଜେମ୍ସ ଓ୍ବାଟସନ୍ଙ୍କୁ ତାଙ୍କ ସହଯୋଗୀ ଫ୍ରାନ୍ସିସ୍ କ୍ରିକ୍ ଓ ବୈଜ୍ଞାନିକ ମୋରେସ୍ ଓ୍ବିଲିଙ୍କିନ୍ସଙ୍କ ସହ ୧୯୬୨ ରେ ନୋବେଲ ପୁରସ୍କାରରେ ସମ୍ମାନିତ କରାଯଇଥିଲା। ଦୁଇ ସହଯୋଗୀଙ୍କ ୨୦୦୪ ରେ ମୃତ୍ୟୁ ହୋଇସାରିଛି। ଜେମ୍ସଙ୍କୁ ରୋଜାଲିଣ୍ଡ ଫ୍ରାଙ୍କଲିନ୍ ଏବଂ ତାଙ୍କ ଛାତ୍ର ରେମଣ୍ଡ ଗୋସଲିଂଙ୍କ ଏକ୍ସ-ରେ ଗବେଷଣା ଦ୍ୱାରା ବହୁତ ସାହାଯ୍ୟ ମିଳିଥିଲା। ଯଦିଓ ପରେ ଫ୍ରାଙ୍କଲିନଙ୍କ ପୁସ୍ତକ, ‘ଦ ଡବଲ୍ ହେଲିକ୍ସ’ ପରେ ପ୍ରକାଶିତ ହୋଇଥିଲା, ଯେଉଁଥିରେ ଜେମ୍ସଙ୍କୁ କଡ଼ା ସମାଲୋଚନା କରାଯାଇଥିଲା। ଫ୍ରାଙ୍କଲିନ୍ ଜଣେ ପ୍ରସିଦ୍ଧ ମହିଳା ବୈଜ୍ଞାନିକ ଥିଲେ। ତାଙ୍କର ମୃତ୍ୟୁ ୧୯୫୮ ମସିହାରେ ହୋଇଥିଲା। ସେଭଳି ଅନ୍ୟ ପକ୍ଷେ ଜେମ୍ସ ଏଭଳି ବକ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଯାହା ଫଳରେ ତାଙ୍କୁ କଠୋର ସମାଲୋଚନା ହୋଇଥିଲା।ଜେମ୍ସ ଓ୍ବାଟସନ୍ଙ୍କ ଜନ୍ମ ଚିକାଗୋରେ ହୋଇଥିଲା ଓ ନିଜ କ୍ୟାରିୟରରେ ସେ ଖୁବ୍ ନାଁ କମାଇଥିଲେ। ତେବେ କିଛି ମାମଲାରେ ଜେମ୍ସଙ୍କୁ ଖୁବ୍ ସମାଲୋଚନା କରାଯାଇଥିଲା। ପ୍ରଜାତି ଏବଂ ଲିଙ୍ଗକୁ ନେଇ ସେ ଦେଇଥିବା ବୟାନକୁ ନେଇ ବିବାଦ ହୋଇଥିଲା।ଏକ ଟିଭି କାର୍ଯ୍ୟକ୍ରମରେ ସେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଯେ, ଜିନ୍ କଳା ଓ ଗୋରାଲୋକଙ୍କ ଆଇକ୍ୟୁ ପରୀକ୍ଷଣରେ ଅନ୍ତର କାରଣରୁ ହୋଇପାରେ।
୨୦୦୭ ରେ, ଯେତେବେଳେ ସେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର କାଭେଣ୍ଡିସ୍ ଲ୍ୟାବ୍ରେ କାମ କରୁଥିଲେ, ସେ ‘ଦି ଟାଇମ୍ସ ’ ଖବରକାଗଜକୁ କହିଥିଲେ ,‘ଆଫ୍ରିକାର ଭବିଷ୍ୟତ ବିଷୟରେ ନିରାଶାବାଦୀ’ କାରଣ ‘ଆମର ସମସ୍ତ ନୀତି ଏହି ଧାରଣା ଉପରେ ଆଧାରିତ ଯେ ଆଫ୍ରିକୀୟଙ୍କର ଆମ ପରି ସମାନ ବୁଦ୍ଧି ଅଛି - ଯେତେବେଳେ ପରୀକ୍ଷା କରାଯାଏ ତାହା ଅଲଗା ଦେଖାଏ।’ ତାଙ୍କର ବିବୃତ୍ତି ପରେ, ତାଙ୍କୁ ନ୍ୟୁୟର୍କର କୋଲ୍ଡ ସ୍ପ୍ରିଙ୍ଗ ହାର୍ବର ଲ୍ୟାବ୍ର ଚାନ୍ସେଲର ପଦରୁ ବାହାର କରାଯାଇଥିଲା।ବିବାଦ ପରେ ୨୦୧୪ ରେ ସେ ନିଜର ନୋବେଲ ପୁରସ୍କାର ଓ ଗୋଲ୍ଡ ମେଡଲାର ନିଲାମୀରେ ୪.୮ ମିଲିୟନ ଡଲାରରେ ବିକ୍ରି କରିଦେଇଥିଲେ। ସେ କହିଥିଲେ, ଏହି ପଦକ ଏଥିପାଇଁ ବିକ୍ରି କରିଦେଇଥିଲେ, କାରଣ ପ୍ରଜାତି ଉପରେ ନିଜର ବୟାନ ପରେ ଅନ୍ୟ ବୈଜ୍ଞାନିକଙ୍କ ସହ ତାଙ୍କର ସମ୍ପର୍କ ଖରାପ ହୋଇଯାଇଥିଲା। ୨୦୧୯ ମସିହାରେ, ସେ ସମାନ ବିବୃତ୍ତି ଦେବା ପରେ ସେ କାମ କରୁଥିବା ଲ୍ୟାବ୍ ତାଙ୍କୁ ଚାନ୍ସେଲର ଏମିରିଟସ୍, ପ୍ରଫେସର ଏମିରିଟସ୍ ଏବଂ ସମ୍ମାନଜନକ ଟ୍ରଷ୍ଟି ସମେତ ତାଙ୍କର ସମସ୍ତ ଉପାଧି ଛଡ଼ାଇ ନେଇଥିଲା।
ଡିଏନଏ ଗଠନର ଆବିଷ୍କାର ଜେମ୍ସଙ୍କ ଜୀବନର ପ୍ରମୁଖ ସଫଳତା ଥିଲା। ଏହି ଆବିଷ୍କାର ପରେ, ୱାଟସନ୍ କାଲିଫର୍ନିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଦୁଇ ବର୍ଷ ବିତାଇଥିଲେ ଏବଂ ତା'ପରେ ୧୯୫୫ ମସିହାରେ ହାର୍ଭାର୍ଡର ଅଧ୍ୟାପକ ଭାବରେ ଯୋଗଦେଲେ। ବୈଜ୍ଞାନିକ ମାର୍କ ପଟାସନ୍ ଏକ ସାକ୍ଷାତକାରରେ କହିଥିଲେ ଯେ ୧୯୭୬ ମସିହାରେ ହାର୍ଭାର୍ଡ ଛାଡିବା ପୂର୍ବରୁ, ସେ ବିଶ୍ୱବିଦ୍ୟାଳୟର ମଲିକୁଲାର ବାୟୋଲୋଜି ପୋଗ୍ରାମ ଆରମ୍ଭ କରିଥିଲେ। ୱାଟସନ ୧୯୬୮ ମସିହାରେ କୋଲ୍ଡ ସ୍ପ୍ରିଙ୍ଗ ହାର୍ବର ଲ୍ୟାବର ନିର୍ଦ୍ଦେଶକ, ୧୯୯୪ ମସିହାରେ ଏହାର ଅଧ୍ୟକ୍ଷ ଏବଂ ୧୦ ବର୍ଷ ପରେ ଚାନ୍ସେଲର ହୋଇଥିଲେ।