ମାଲକାନଗିରି, ୧୭/୬ : ମାଲକାନଗିରି ଜିଲ୍ଲା ହସ୍ପିଟାଲର ଡାକ୍ତରଙ୍କୁ ଆକ୍ରମଣ ଓ ଭଙ୍ଗାରୁଜା କରିବା ଘଟଣାରେ ହସ୍ପିଟାଲର ଡାକ୍ତର ଓ ସମସ୍ତ କର୍ମଚାରୀ ନ୍ୟାୟ ପାଇଁ ମଙ୍ଗଳବାର ମାଲକାନଗିରି ଆଦର୍ଶ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପ୍ରକାଶ ଯେ, ଗତ ଦୁଇ ଦିନ ତଳେ ଜିଲ୍ଲା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଶିଶୁର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। କିଛି ବ୍ୟକ୍ତି ଉତ୍ୟକ୍ତ ହୋଇ ସର୍ଜରି ବିଶେଷଜ୍ଞ ଡାକ୍ତର ସପନ କୁମାର ଦିଣ୍ଡାଙ୍କୁ ଆକ୍ରମଣ କରିବା ସହ ହସ୍ପିଟାଲର ଆସବାବ ପତ୍ର ଭଙ୍ଗାରୁଜା କରିଥିଲେ।
ଆଜି ମଧ୍ୟ କିଛି ଯୁବକ ହସ୍ପିଟାଲକୁ ଯାଇ ପୁଣି ଥରେ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ଅଭିଯୁକ୍ତ ମେଡ଼ିକାଲ ଭଙ୍ଗାରୁଜା କରିବା ସହ ଡାକ୍ତରଙ୍କୁ ମାଡ଼ ମାରିଥିଲେ ସମସ୍ତଙ୍କୁ ଗିରଫ କରିବା ଓ ହସ୍ପିଟାଲ ଡାକ୍ତର, କର୍ମଚାରୀଙ୍କୁ ସୁରକ୍ଷା ଦେବା ଦାବି ନେଇ ମାଲକାନଗିରି ଆଦର୍ଶ ଥାନାକୁ ଆଜି ଡାକ୍ତର ଓ ସମସ୍ତ କର୍ମଚାରୀ ଓ ଡାକ୍ତର ସଂଘ ଆସି ଏକ ମାମଲା ରୁଜ୍ଜୁ କରିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ ନ କରାଗଲେ ଅଗାମୀ ଦିନରେ ଜିଲ୍ଲାରେ ମେଡ଼ିକାଲ ସେବା ବନ୍ଦ କରିବାକୁ ଧମକ ଦେଇଛନ୍ତି ଡାକ୍ତର ସଂଘ । ଗତ ୧୫ତାରିଖରେ ଜଣେ କୁନି ଝିଅର ମୁଣ୍ଡରେ ଆଘାତ ଲାଗିବା ଫଳରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲା।
ତେବେ ମେଡିକାଲରେ ଡାକ୍ତର ସେବାରେ ବିଳମ୍ବ ହୋଇଥିବାରୁ କୁନି ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ କରି କିଛି ବ୍ୟକ୍ତି ଉତ୍ୟକ୍ତ ହୋଇ ମେଡିକାଲ ପରିସର ମଧ୍ୟରେ ଭଙ୍ଗାରୁଜା କରିବା ସହ ଡ଼ଃ.ତପନ କୁମାର ଦିଣ୍ଡାଙ୍କୁ କିଛି ଲୋକ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଜିଲ୍ଲା ଡାକ୍ତର ସଂଘ । ଆଜିଠାରୁ ଜିଲ୍ଲାରେ ସମସ୍ତ ପ୍ରାଇଭେଟ କ୍ଲିନିକରେ ଡାକ୍ତରୀ ସେବା ମଧ୍ୟ ବନ୍ଦ କରାଯାଇଛି। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମେଡ଼ିକାଲରେ ଡାକ୍ତରଙ୍କୁ ସୁରକ୍ଷା ଦେବା ପ୍ରତିବାଦରେ ଆଜି ମାଲକାନଗିରି ଆଦର୍ଶ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଏଥିରେ ସମସ୍ତ ମେଡ଼ିକାଲ ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ ଏବଂ ଜିଲ୍ଲାର ସମସ୍ତ ଡାକ୍ତର ସାମିଲ ଥିଲେ।