ନୂଆଦିଲ୍ଲୀ,୧୦/୦୧: ଇରାନରେ ମୁଦ୍ରାସ୍ଫୀତି ବୃଦ୍ଧି ଏବଂ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇଙ୍କ ବିରୋଧରେ ଜାରି ବିକ୍ଷୋଭ ସାରା ଦେଶରେ ଉଗ୍ର ହେବାରେ ଲାଗିଛି । ବିପଦରେ ଖାମେନେଇଙ୍କ ଗାଦି । ଦେଶରେ ୧୦୦ ସହରରେ ବ୍ୟାପିଛି ବିଦ୍ରୋହର ନିଆଁ । ସୁରକ୍ଷାବଳର କାର୍ଯ୍ୟାନୁଷ୍ଠାନରେ ଅଦ୍ୟାବଧି ପ୍ରାୟ ୬୨ ଜଣଙ୍କ ମୃତ୍ୟୁ ଘଟିଲାଣି । ୨,୩୦୦ ଜଣଙ୍କୁ ଗିରଫ କରାଯାଇଛି  ୧୪ ଦିନ ଧରି ପ୍ରତିବାଦ ଜାରି ରହିଛି । ଏବେ, ଖବର ଆସୁଛି କି ଖାମେନେଇ ସରକାର ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଇଛନ୍ତି । ଏଥିରେ ପ୍ରାୟ ୨୦୦ ଜଣଙ୍କର ମୃତ୍ୟୁ ହୋଇଥିଲା ଡାକ୍ତର କହିଛନ୍ତି । ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇ ଏହି ପ୍ରତିବାଦ ପାଇଁ ଆମେରିକାକୁ ଦାୟୀ କରିଛନ୍ତି । ବିକ୍ଷୋଭକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ସେବା ବନ୍ଦ କଲେ ସରକାର 

ଦେଶର ଶତାଧିକ ସହରରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି । ଇରାନର ସବୁଠୁ ବଡ଼ ଧାର୍ମିକ ସହର ମଶହଦକୁ ବିକ୍ଷୋଭକାରୀ କବ୍‌ଜା କରିନେଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦାବି କରିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଟ୍ରମ୍ପ୍ ଲେଖିଛନ୍ତି, ୧୦ ଲକ୍ଷରୁ ଊଦ୍ଧ୍ୱର୍ ଲୋକ ବିକ୍ଷୋଭ କରିଛନ୍ତି । ଇରାନର ଦ୍ୱିତୀୟ ସବୁଠୁ ବଡ଼ ସହର ବିକ୍ଷୋଭକାରୀଙ୍କ କବଜାକୁ ଆସିଛି । ସରକାରୀ ସୁରକ୍ଷାବଳ ସେହି ସହର ଛାଡ଼ି ପଳାଇଛନ୍ତି । ମଶହଦର ଜନସଂଖ୍ୟା ପ୍ରାୟ ୪୦ ଲକ୍ଷ । ଏହା ତୁର୍କମେନିସ୍ତାନ ଏବଂ ଆଫଗାନିସ୍ତାନ ସୀମା ନିକଟରେ ଅବସ୍ଥିତ । ମଶହଦରେ ଇମାମ ରଜାର ପବିତ୍ର ଦରଗାହ ରହିଛି । ତେବେ ଟ୍ରମ୍ପ୍ ଦାବି ଉପରେ ଔପଚାରିକ ଭାବେ କୌଣସି ରିପୋର୍ଟ ପ୍ରକାଶ ପାଇନାହିଁ ।

ଅନ୍ୟପକ୍ଷରେ ଇରାନର ଖାମେନେଇ ସରକାର ବିକ୍ଷୋଭକାରୀଙ୍କୁ ଦମନ ଉଦ୍ୟମ ଚଲାଇଛନ୍ତି । ୧୪ ଦିନ ହେଲା ଜାରି ବିକ୍ଷୋଭ ଭିତରେ ଦେଶବ୍ୟାପୀ ଇଣ୍ଟରନେଟ୍ ବ୍ଲକ କରାଯାଇଛି । ଏପରି କରି ଇରାନ ବିଶ୍ୱକୁ ବିକ୍ଷୋଭ ଏବଂ ଇରାନ ଜନତାଙ୍କ ଉପରେ ସୁରକ୍ଷାବଳର କାର୍ଯ୍ୟାନୁଷ୍ଠାନ ଲୁଚାଇବାକୁ ଉଦ୍ୟମ କରୁଥିବା କୁହାଯାଉଛି । ସେପଟେ ସାଧାରଣ ଲୋକଙ୍କୁ ହତ୍ୟା କରାଗଲେ ଆମେରିକା ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଟ୍ରମ୍ପ୍ ପୁଣି ଇରାନକୁ ଚେତାଇଛନ୍ତି । ଏହା ଭିତରେ ଖାମେନେଇ ଶୁକ୍ରବାର ଦେଶକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି, ବିଦେଶୀଙ୍କ ପାଇଁ କାମ କରୁଥିବା ଭଡ଼ାଟିଆ ଲୋକଙ୍କୁ କେବେ ବରଦାସ୍ତ କରାଯିବନାହିଁ । ପ୍ରଦର୍ଶନ ପଛରେ ବିଦେଶୀ ଏଜେଣ୍ଟଙ୍କ ହାତ ଅଛି । ସେମାନେ ହିଁ ହିଂସାକୁ ଉସୁକାଉଛନ୍ତି । କେତେକ ଉପଦ୍ରବୀ ଆମେରିକା ରାଷ୍ଟ୍ରପତିଙ୍କୁ ଖୁସି କରିବାକୁ ଚାହୁଁଛନ୍ତି । କିନ୍ତୁ ଇରାନ ଜନତା ନିଜ ଶତ୍ରୁଙ୍କ ହରାଇବେ । ଏଥିସହ ଟ୍ରମ୍ପ୍ ଇରାନ ମାମଲାରେ ମୁଣ୍ଡ ନ ପୂରାଇ ନିଜ ଦେଶର ସମସ୍ୟା ଉପରେ ଧ୍ୟାନ ଦିଅନ୍ତୁ ବୋଲି ଖାମେନେଇ କହିଛନ୍ତି ।

​​​​​​​'ସେଇଠି ମାରିବୁ ଯେଉଁଠି ଅଧିକ କଷ୍ଟ ହେବ'-  ଇରାନ୍‌ରେ ଚାଲିଥିବା ବିଦ୍ରୋହ ଉପରେ ନଜର ରଖିଛି ଆମେରିକା । ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ଇରାନ୍‌କୁ ଚେତାବନୀ ଦେଇ ଆସୁଛନ୍ତି । ପୁଣି ଇରାନକୁ ଚେତାବନୀ ଦେଇ ଟ୍ରମ୍ପ କହିଛନ୍ତି, ''ଆମେ ତାଙ୍କୁ ସେଇଠି ମାରିବୁ ଯେଉଁଠି ତାଙ୍କୁ ଅଧିକ କଷ୍ଟ ହେବ । ପ୍ରଦର୍ଶନକାରୀଙ୍କ ହତ୍ୟା କରାଯାଏ ତ ଆମେରିକା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଇରାନ୍ ଗୁଳି ଚଳାଇବ ତ ଆମେ ବି ଚୁପ୍ ବସିବୁ ନାହିଁ । ଇରାନ ଏକ ବଡ଼ ସମସ୍ୟାରେ ଅଛି । ମୁଁ ଭାବୁଛି ଲୋକମାନେ କିଛି ସହରକୁ ଦଖଲ କରୁଛନ୍ତି ଯାହାକୁ କେହି ସମ୍ଭବ ବୋଲି ଭାବି ନଥିଲେ । ଆମେ ପରିସ୍ଥିତି ଉପରେ ଅତି ନିକଟରୁ ନଜର ରଖୁଛୁ ।''​​​​​​​