କାନପୁର – କାନପୁରର ହାଲେଟ୍ ହସ୍ପିଟାଲରେ ଏକ ଦୁଃଖଦ ଘଟଣା ଘଟିଛି। ଡ୍ୟୁଟି କରୁଥିବା ବେଳେ ଜୁନିୟର ଡାକ୍ତର ବିନୋଦ ବିନ୍ଦଙ୍କ ମୃତ୍ୟୁ ହୋଇଛି। ତାଙ୍କୁ ନିଜର ଚିକିତ୍ସା କରିବାକୁ ମଧ୍ୟ ସୁଯୋଗ ମିଳିଲା ନାହିଁ। ସାଥି ଡାକ୍ତର ହାର୍ଟ ଆଟାକ୍ର ଆଶଙ୍କା କରୁଛନ୍ତି। ଯେଉଁ ସମୟରେ ଡାକ୍ତର ବିନୋଦଙ୍କୁ ହାର୍ଟ ଆଟାକ୍ ଆସିଲା ସେହି ସମୟରେ ସେ ଏମର୍ଜେନ୍ସିରେ ଥିଲେ। ହଠାତ୍ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବାର ଦେଖି ସାଥି ଡାକ୍ତର ମଧ୍ୟ କିଛି ବୁଝି ପାରିଲେ ନାହିଁ। ଡାକ୍ତର ବିନୋଦଙ୍କର ଚିକିତ୍ସା ହେବା ପୂର୍ବରୁ ସେ ଦୁନିଆ ଛାଡ଼ି ସାରି ଥିଲେ।
ଡା. ବିନୋଦ ବିନ୍ଦ ଜୋନପୁରର ମୂଳ ବାସିନ୍ଦା ଥିଲେ ଏବଂ ଜିଏସଭିଏମ୍ ମେଡିକାଲ କଲେଜରେ ଏମଏସ (ଦ୍ୱିତୀୟ ବର୍ଷ)ର ଛାତ୍ର ଥିଲେ। ସେ ଅର୍ଥୋପେଡିକ୍ସ ବିଭାଗ ସହ ଜଡ଼ିତ ଥିଲେ। ସୂଚନା ଅନୁସାରେ , ଏମର୍ଜେନ୍ସି ଡ୍ୟୁଟି ବେଳେ ସେ ସହକର୍ମୀଙ୍କୁ ପେଟରେ ଉପର ଭାଗରେ ଯନ୍ତ୍ରଣା ଓ ଅସହଜ ସ୍ଥିତି ଲାଗୁ ଥିବା କହି ଥିଲେ। ଏହାପରେ ସାଥୀ ଡାକ୍ତରମାନେ ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ , କିନ୍ତୁ ସେ ଆଶ୍ୱସ୍ତି ଅନୁଭବ କରି ନଥିଲେ। ତାଙ୍କର ଯନ୍ତ୍ରଣା ଓ ଅସ୍ଥିରତା ଲଗାତାର ବଢିବାକୁ ଲାଗିଲା।
ସ୍ଥିତି ଗମ୍ଭୀର ହେବାରୁ ତାଙ୍କର ଇସିଜି ଓ ଅନ୍ୟ ଆବଶ୍ୟକୀୟ ପରୀକ୍ଷା କରାଯାଇ ଥିଲା। କୁହାଯାଏ କି ପ୍ରାରମ୍ଭିକ ପରୀକ୍ଷା ରିପୋର୍ଟ ସାଧାରଣ ଆସିବା ଦେଖି ଜୁନିୟର ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ, କାରଣ ଅନ୍ୟପଟେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଲଗାତାର ଖରାପ ହେବାରେ ଲାଗି ଥିଲା। ସ୍ଥିତି ସଙ୍ଗିନୀ ହେବାରୁ ତାଙ୍କୁ ତୁରନ୍ତ କାର୍ଡିଓଲଜି ନିଆ ଯାଇଥିଲା,ସେଠାରେ ଚିକିତ୍ସା ବେଳେ ତାଙ୍କର ମୃତ୍ୟୁ ହୋଇ ଥିଲା। ପ୍ରାରମ୍ଭିକ ଭାବେ ହାର୍ଟ ଆଟାକରେ ମୃତ୍ୟୁ ହୋଇ ଥିବା କୁହାଯାଉଛି। ଡା. ବିନୋଦ ବିନ୍ଦଙ୍କ ଅସମୟରେ ଦେହାନ୍ତ ଖବର ଜିଏସଭିଏମ୍ ମେଡିକାଲ କଲେଜ ଓ ହାଲେଟ୍ ହସ୍ପିଟାଲର ଡାକ୍ତର ଓ ଛାତ୍ରଙ୍କ ମଧ୍ୟରେ ଶୋକର ଲହଡ଼ି ଖେଳି ଯାଇଛି।
ଆହୁରି ମଧ୍ୟ ପଢନ୍ତୁ - ମହାକାଶରେ ଜିରୋ ଗ୍ରାଭିଟିରେ ବୈଜ୍ଞାନିକମାନେ ତିଆରି କଲେ ‘ସ୍ପେସ୍ କେକ୍’, ଭାସମାନ ଅବସ୍ଥାରେ ପାଳିଲେ ଜନ୍ମଦିନ
ଡାକ୍ତରଙ୍କ ହଠାତ୍ ମୃତ୍ୟୁ ଖବର ଜାଣିବା ପରେ ସହରରେ ଶୋକର ଛାୟା ଖେଳି ଯାଇଛି। ବହୁ ସଂଖ୍ୟାରେ ଡାକ୍ତର ସାଥି ହସ୍ପିଟାଲ ବାହାରେ ଏକାଠି ହୋଇ ଥିଲେ। ଅନେକ ଡାକ୍ତରଙ୍କ ମଧ୍ୟରେ କ୍ରୋଧ ମଧ୍ୟ ଦେଖିବାକୁ ମିଳି ଥିଲା। ହେଲେ ଡାକ୍ତରଙ୍କ ମୃତ୍ୟୁକୁ ନେଇ କେହି କିଛି କହିବାକୁ ପ୍ରସ୍ତୁତ ନାହାନ୍ତି।