ନୂଆଦିଲ୍ଲୀ, ୦୮/୦୮ : ପ୍ରେମ... ଅଢେଇ ଅକ୍ଷରର ଏକ ଅବୋଲକରା ଅକ୍ଷର। ଏକ ଅସରନ୍ତି ସମୁଦ୍ର। ଏଥିରେ ଯିଏ ବୁଡ଼ିଛି ସିଏ ଜାଣିଛି। ନିଚ୍ଛକ ପ୍ରେମ କାହାଣୀ କଥା ପଡ଼ିଲେ ଲୈଲା-ମଜନୁ, ହିର-ରାଞ୍ଝା ଓ ପାରୋ-ଦେବଦାସଙ୍କ କଥା ଉଠେ। ଆମେ ଆଉ ଜଣେ ପାଗଳ ପ୍ରେମୀଙ୍କ କଥା କହିବୁ ଯିଏ ଏମିତି ପ୍ରେମ କରି ବସିଲେ ଯେ, ମୃତ୍ୟୁ ପରେ ବି ତାଙ୍କ ପ୍ରେମିକାଙ୍କୁ ଛାଡ଼ି ପାରି ନଥିଲେ। ପ୍ରେମିକାର ଶବ ସହ ୭ ବର୍ଷ କାଟିଥିଲେ।
ଘଟଣାଟି ହେଉଛି ଫ୍ଲୋରିଡ଼ାର। ୧୯୩୧ ମସିହାରେ ଏଲେନା ଡି ହୋୟୋସ୍ ନାମକ ଜଣେ ୨୨ ବର୍ଷୀୟା ଯୁବତୀ ଟିଭିରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପାଇଁ ସେ ଫ୍ଲୋରିଡ଼ାର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଭେଟ କାର୍ଲ ଟ୍ୟାଞ୍ଜଲରଙ୍କ ସହ ହୋଇଥିଲା। ଟ୍ୟାଞ୍ଜଲର ଜଣେ ରେଡିଓଲଜିକ ଟେକ୍ନିସିଆନ ଥିଲେ। ଏଲେନାଙ୍କ ଚିକିତ୍ସା ସମୟରେ ସେ ତାଙ୍କୁ ଭଲ ପାଇ ବସିଲେ। ଟ୍ୟାଞ୍ଜଲର ପିଲାବେଳେ ତାଙ୍କ ସ୍ଵପ୍ନରେ ଦେଖିଥିବା ମନର ମାନସୀଙ୍କୁ ଏଲେନାଙ୍କ ଭିତରେ ଦେଖୁଥିଲେ। ତେଣୁ ଏଲେନାଙ୍କୁ ବଞ୍ଚାଇବାକୁ ଯାଇ ସେ ବହୁ ଉଦ୍ୟମ କରିଥିଲେ। ଅଜବଗଜବ ଚିକିତ୍ସା କରିଥିଲେ। ହେଲେ ଅକ୍ଟୋବର ୨୫ରେ ଏଲେନା ଆଖି ବୁଜି ଦେଇଥିଲେ।
ଏହାପରେ ଟ୍ୟାଞ୍ଜଲର ଏଲେନାଙ୍କ ଅନ୍ତିମ ସଂସ୍କାର କରିଥିଲେ। ଏକ ସୁନ୍ଦର କବର ତିଆରି କଲେ। ଯାହାର ଚାବି ନିଜ ପାଖରେ ରଖିଥିଲେ। ପ୍ରତିଦିନ ରାତିରେ ସେ କବର ପାଖକୁ ଯାଉଥିଲେ। ଏଲେନାଙ୍କ କବର ସହ କଥା ହେଉଥିଲେ, ଉପହାର ଦେଉଥିଲେ, ଘଣ୍ଟା ଘଣ୍ଟା ବିତାଉଥିଲେ। ଟ୍ୟାଞ୍ଜଲର ପ୍ରେମରେ ଏତେ ପାଗଳ ହୋଇଯାଇଥିଲେ ଯେ ସେ କବର ପାଖରେ ଏକ ଟେଲିଫୋନ ବି ନେଇ ରଖିଥିଲେ। ଏଲେନାଙ୍କ ଆତ୍ମା ସହ ସେ କଥା ହୋଇପାରୁଥିଲେ ବୋଲି ଦାବି କରୁଥିଲେ।
ଏଲେନାଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ୧୯୩୩ରେ ଟ୍ୟାଞ୍ଜଲର ଏତେ ପାଗଳ ହୋଇଯାଇଥିଲେ ଯେ, ଚୁପଚାପ୍ କବର ଭିତରୁ ଏଲେନାଙ୍କ ଗଳିତ ଶବ ବାହାର କରି ନିଜ ଘରକୁ ନେଇ ଆସିଥିଲେ। ହାଡ଼ ଗୁଡ଼ିକୁ ତାର ଓ ହ୍ୟାଙ୍ଗର ସାହାଯ୍ୟରେ ଯୋଡ଼ି ଦେଇଥିଲେ। ମୁହଁରେ ମହମ ଓ ପ୍ଲାଷ୍ଟିକ୍ ଲଗାଇ ପୁଣି ଥରେ ତିଆରି କରିଥିଲେ। କାଚ ଆଖି ଲଗାଇ ଦେଇଥିଲେ। ସୁନ୍ଦର ସୁନ୍ଦର କପଡ଼ା ଓ ଅଳଙ୍କାର ସଜାଉଥିଲେ। ଦୁର୍ଗନ୍ଧ ନହେବା ପାଇଁ ସୁଗନ୍ଧିତ ପରଫ୍ୟୁମ୍ କେମିକାଲ ବ୍ୟବହାର କରୁଥିଲେ। ଏପରିକି ଗୋଟିଏ ବେଡ୍ରେ କଙ୍କାଳ ସହ ଶୋଉଥିଲେ।
୧୯୪୦ରେ ଏଲେନାଙ୍କ ଭଉଣୀଙ୍କ ସନ୍ଦେହ ହେବାରୁ ସେ ଟ୍ୟାଞ୍ଜଲରଙ୍କ ଘରକୁ ଆସିଥିଲେ। ସେଠାରେ ଯାହା ଦେଖିଲେ ଆଖିକୁ ବିଶ୍ଵାସ କରିପାରିନଥିଲେ। ଏହାପରେ କବରରୁ ଶବ ଚୋରି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ହେଲେ ଷ୍ଟାଚ୍ୟୁ ଅଫ ଲିମିଟେସନ କାରଣରୁ ତାଙ୍କ ବିରୋଧରେ କୌଣସି ମାମଲା ଚାଲିନଥିଲା। ଆମେରିକାର ଲୋକେ ଟ୍ୟାଞ୍ଜଲରଙ୍କୁ ଜଣେ ସଚ୍ଚା ପ୍ରେମୀର ଆଖ୍ୟା ଦେଲେ।