ମୋହାଲି : ପଞ୍ଜାବର ମୋହାଲିରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଏଠାରେ ମଟୌରର ଏକ ଫ୍ୟାକ୍ଟ୍ରିରେ ଫ୍ରିଜ୍‌ ଭିତରେ କୁକୁରର କଟା ମୁଣ୍ଡ ଥିବାର ମିଳିଛି। ଏହି ଫ୍ୟାକ୍ଟ୍ରିରେ ମୋମୋ ତିଆରି କରାଯାଉ ଥିଲା ଏବଂ ଏହାକୁ ଅନେକ ସ୍ଥାନକୁ ସପ୍ଲାଇ କରାଯାଉ ଥିଲା। ଆଉ ମଧ୍ୟ ଫ୍ୟାକ୍ଟ୍ରିରେ ଥିବା କିଛି ବାସନରେ ମାଂସର ଟୁକୁଡ଼ା ମଧ୍ୟ ମିଳିଛି। ବଡ଼ କଥା ଏହା ଯେ, କୁକୁରର ଶରୀର ପାର୍ଟ ସେଠାରୁ ମିଳି ନାହିଁ। ଏଥିରୁ ଏହି କଥା ଆଶଙ୍କା କରାଯାଉଛି ଯେ, ବାସନରେ ଥିବା ମାଂସ କୁକୁରର ମାଂସ ଖଣ୍ଡ ହୋଇ ପାରେ।

ମାଂସ ଓ ମୁଣ୍ଡକୁ ଜବତ କରି ନିଆ ଯାଇଛି ଏବଂ ଯାଞ୍ଚ ପାଇଁ ଭେଟରିନାରୀ ଡିପାର୍ଟମେଣ୍ଟ ପଠାଯାଇଛି। ଏହା ଜାଣିବା ପାଇଁ ଚେଷ୍ଟା ଚାଲିଛି ବାସନରୁ ମିଳିଥିବା ମାଂସ ଖଣ୍ଡ ଓ କୁକୁରର ମୁଣ୍ଡ ଗୋଟିଏ ହିଁ କୁକୁର ଶରୀରର ଅଂଶବିଶେଷ ନୁହେଁ ତ। ଏହି ଫ୍ୟାକ୍ଟ୍ରିରେ ମୋମୋ ଓ ସ୍ପ୍ରିଙ୍ଗ ରୋଲ୍‌ ତିଆରି କରି ଅନେକ ସ୍ଥାନକୁ ସପ୍ଲାଇ କରାଯାଉ ଥିଲା। ନଗର ନିଗମର ଟିମ୍‌ ଚଢଉ କରି ଏହାକୁ ଜବତ କରିଛି ଏବଂ ଏହି ମାମଲାର ପର୍ଦ୍ଦାଫାସ୍‌ କରିଛି। ମାଂସ ଖଣ୍ଡ ବ୍ୟତୀତ ମୋମୋ ସହ ଦିଆ ଯାଉଥିବା ନାଲି ଚଟଣିର ସାମ୍ପଲ ମଧ୍ୟ ଯାଞ୍ଚ ପାଇଁ ପଠାଯାଇଛି। 

ଲାଇଭ ହିନ୍ଦୁସ୍ଥାନ ଡଟ୍‌ କମ୍‌ରେ ଥିବା ସୂଚନା ଆଧାରରେ , ମୋହାଲିର ମଟୌକ ଗାଁରେ ଖାନ୍‌ ବେକରୀ ନାମରେ ଏକ ଦୋକାନର ପରିସରରେ ହିଁ ଏହି ଫ୍ୟାକ୍ଟ୍ରି ଅଛି, ଯେଉଁଥିରେ କାମ କରୁଥିବା ଅଧିକାଂଶ ଲୋକ ନେପାଳୀ। ଏହି ଫ୍ୟାକ୍ଟ୍ରିରେ ଫ୍ରୋଜନ ମିଟ୍‌ ଓ କ୍ରଶର ମେସିନ ମଧ୍ୟ ରହିଛି। ଏମିତି କି, ଏହି ସମୟରେ ନେପାଳୀ କର୍ମଚାରୀମାନେ କହି ଥିଲେ ସେମାନେ କୁକୁରକୁ କାଟି ଖାଇ ଥିଲେ ଏବଂ ଏହାର କିଛି ଖଣ୍ଡ ମାଂସ ରହି ଯାଇ ଥିଲା।  

ସ୍ଥାନୀୟ ଲୋକଙ୍କ ମୁତାବିକ, ମଟୌର ଗାଁରେ ଏହି ଫ୍ୟାକ୍ଟ୍ରିପାଖାପାଖି ଦୁଇ ବର୍ଷରୁ ଚାଲୁ ରହିଛି। ତାଙ୍କ ମୁତାବିକ, ଦୁର୍ଗନ୍ଧ ମଧ୍ୟରେ ଖାଦ୍ୟପେୟ ଜିନିଷ ପ୍ରସ୍ତୁତ ହେଉ ଥିଲା। ଏହା କାରଣରୁ ଗାଁ ଲୋକେ ତାର ଭିଡ଼ିଓ ତିଆରି କରି ସୋସିଆଲ ମିଡ଼ିଆରେ ଭାଇରାଲ କରି ଦେଇ ଥିଲେ। ଏହି ଭିଡ଼ିଓ ଆଧାରରେ ନଗର ନିଗମର ସ୍ୱାସ୍ଥ୍ୟ ବିଭାଗର ଟିମ୍‌ ରବିବାର ମୋମୋ ଫ୍ୟାକ୍ଟ୍ରିରେ ଚଢଉ କରି ଥିଲା।