- ଏପଷ୍ଟାଇନ୍ ଫାଇଲ୍ସରେ ନୂଆ ଖୁଲାସା
- ଜେଫରୀଙ୍କ ସହ ୮ ଥର ବିମାନଯାତ୍ରା କରିଛନ୍ତି ଟ୍ରମ୍ପ
- ୧୧ ,୦୦୦ ରୁ ଅଧିକ ଫାଇଲ୍ରେ ଭିଡ଼ିଓ କ୍ଲିପ୍ ମଧ୍ୟ ଅଛି
- ୧୯୯୩ରେ ଏକ ବିମାନରେ କେବଳ ଟ୍ରମ୍ପ-ଏପଷ୍ଟାଇନ ଥିଲେ
ନୂଆଦିଲ୍ଲୀ : ଆମେରିକୀୟ ନ୍ୟାୟ ବିଭାଗ ଯୌନ ଅପରାଧୀ ଜେଫରୀ ଏପଷ୍ଚାଇନଙ୍କ ସହ ଜଡ଼ିତ ନୂଆ ବ୍ୟାଚ୍ର ଡକ୍ୟୁମେଣ୍ଟ ଜାରି କରିଛନ୍ତି। ଏହି ୧୧ ,୦୦୦ ରୁ ଅଧିକ ଫାଇଲ୍ରେ ପାଖାପାଖି ୨୯,୦୦୦ ପୃଷ୍ଠା ଓ ଡର୍ଜନରୁ ଅଧିକ ଭିଡ଼ିଓ କ୍ଲିପ୍ ସାମିଲ ଅଛି। ଯେଉଁଥିରେ କିଛି ଜେଲ୍ ଭିତରେ ରେକର୍ଡ କରାଯାଇଛି। ଏହି ଡକ୍ୟୁମେଣ୍ଟ ଗୁଡ଼ିକରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ଏପଷ୍ଟାଇନର ପ୍ରାଇଭେଟ୍ ଜେଟ୍ର ଫ୍ଲାଇଟ୍ ରେକର୍ଡରେ ଆସିଛି। ହେଲେ ,ଅଧିକାରୀମାନେ ଟ୍ରମ୍ପଙ୍କ ଉପରେ କୌଣସି ଅପରାଧିକ ସଂପୃକ୍ତତା ନେଇ ଅଭିଯୋଗ ଲଗେଇ ନାହାନ୍ତି। ଏପଷ୍ଟାଇନଙ୍କର୨୦୧୯ରେ ନ୍ୟୁୟର୍କ ଜେଲ୍ରେ ମୃତ୍ୟୁ ହୋଇଥିଲା, ଯାହାକୁ ଆତ୍ମହତ୍ୟା ବୋଲି କୁହାଯାଇଛି।
ଡକ୍ୟୁମେଣ୍ଟ ଗୁଡ଼ିକରେ ଏକ ପ୍ରମୁଖ ଇମେଲ୍ ଅନ୍ତର୍ଭୁକ୍ତ ଅଛି, ଯାହା ୭ ଜାନୁଆରୀ ୨୦୨୦ ମସିହାର। ଏଥିରେ କୁହାଯାଇଛି ଯେ, ଡୋନାଲ୍ଡ ଟ୍ରମ୍ପ ଏପଷ୍ଟାଇନଙ୍କର ଘରୋଇ ଜେଟ୍ ଉପରେ ପୂର୍ବରୁ ରିପୋର୍ଟ କରାଯାଇ ଥିବା ସଂଖ୍ୟାରୁ ଆହୁରି ଅଧିକ ଥର ଯାତ୍ରା କରି ସାରିଛନ୍ତି। ଇମେଲ୍ ପଠାଇବା ଓ ପ୍ରାପ୍ତକାରୀଙ୍କ ନାଁ ଗୋପନ ରଖାଯାଇଛି , କିନ୍ତୁ ଏହା ନ୍ୟୁୟର୍କର ଦକ୍ଷିଣ ଜିଲ୍ଲାର ଏକ ସହାୟକ ଆମେରିକୀୟ ଅଟର୍ଣ୍ଣିଙ୍କ ସହ ଜଡ଼ିତ। ଇମେଲ୍ ଅନୁସାରେ , ୧୯୯୩ରୁ ୧୯୯୬ ମଧ୍ୟରେ ଟ୍ରମ୍ପ ଅତି କମ୍ରେ ୮ଟି ବିମାନରେ ଯାତ୍ରୀ ଥିଲେ, ଯେଉଁଥିରେ ଚାରୋଟି ଉଡ଼ାଣରେ ଘିସ୍ଲିନ ମ୍ୟାକ୍ସୱେଲ ମଧ୍ୟ ସାମିଲ ଥିଲେ। ଟ୍ରମ୍ପ କେବେ କେବେ ନିଜର ତତ୍କାଳୀନ ପତ୍ନୀ ମାର୍ଲା ମେପଲ୍ସ, ଝିଅ ଟିଫନୀ ଓ ପୁଅ ଏରିକ୍ଙ୍କ ସହ ଯାତ୍ରା କରୁଥିଲେ।
ନୂଆ ଫାଇଲ୍ ଗୁଡ଼ିକରେ କେଉଁ ପ୍ରକାରର ଖୁଲାସା –
୧୯୯୩ ମସିହାର ଏକ ଉଡ଼ାଣରେ କେବଳ ଟ୍ରମ୍ପ ଓ ଏପଷ୍ଟାଇନ ହିଁ ଯାତ୍ରୀ ଥିଲେ। ଦ୍ୱିତୀୟ ବିମାନରେ କେବଳ ଏପଷ୍ଟାଇନ୍,ଟ୍ରମ୍ପ ଓ ୨୦ ବର୍ଷିୟ ଜଣେ ବ୍ୟକ୍ତି ସାମିଲ ଥିଲେ। ଆଉ ଦୁଇଟି ଉଡ଼ାଣରେ ମହିଳାମାନେ ଯାତ୍ରା କରୁଥିଲେ , ଯିଏକି ମାକ୍ସୱେଲ ମାମଲାରେ ସମ୍ଭାବିତ ସାକ୍ଷୀ ହୋଇ ଥାଇ ପାରନ୍ତି। କହି ରଖୁଛୁ କି , ରାଷ୍ଟ୍ରପତି ଟ୍ରମ୍ପ ସର୍ବଦା ଏପଷ୍ଟାଇନଙ୍କ ଅପରାଧରେ ସାମିଲ ଥିବାର ମନା କରିଛନ୍ତି। ତାଙ୍କର କହିବାନୁସାରେ , ୨୦୦୪ ମସିହା ପାଖାପାଖି ତାଙ୍କର ସଂପର୍କ ଶେଷ ହୋଇ ଯାଇ ଥିଲା। ଏପଷ୍ଟାଇନ୍ ଫାଇଲ୍ସକୁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ପାରିତ ଆଇନ ଅନୁସାରେ ରିଲିଜ କରାଯାଇଛି। ହେଲେ , ଅନେକ କାଗଜପତ୍ର ବିନା ନାଁରେ ଜାରି କରାଯାଇଛି, ଯାହା ଉପରେ ଆଲୋଚନା ହେଉଛି।