ନୂଆଦିଲ୍ଲୀ,୨୩।୮: ଡୋନାଲ୍ଡୋ ଟ୍ରମ୍ପ ଯେବେଠାରୁ ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି, ସେବେଠାରୁ ଦୁନିଆର ପ୍ରତ୍ୟେକ ଦେଶ ଉପରେ ରେସିପ୍ରୋକଲ ଟାରିଫ ଲଗାଇବାରେ ଲାଗିଛନ୍ତି। ଯାହାଫଳରେ ଆମେରିକାକୁ ପ୍ରଚୁର ପରିମାଣରେ ଅର୍ଥ ଆସିବାରେ ଲାଗିଛି। ଏନେଇ ଶୁକ୍ରବାର କଂଗ୍ରେସନାଲ ବଜେଟ୍ ଅଫିସରେ ଅନୁମାନ କରାଯାଉଛି। ବିଦେଶରୁ ଆମେରିକୀୟ ଆମଦାନୀ ଉପରେ ବଢାଯାଇଥିବା ଟାରିଫ୍ ଦ୍ବାରା ଆଗାମୀ ଦଶକରେ ଜାତୀୟସ୍ତରରେ ୪ଟ୍ରିଲିୟନ ଡଲାର ପର୍ଯ୍ୟନ୍ତ କ୍ଷତି କମ୍ ହୋଇପାରେ।
ସିବିଓର କହିବା ଅନୁସାରେ, ଯଦି ଟ୍ରମ୍ପ ବିଶ୍ବ ଟାରିଫ୍ ବୃଦ୍ଧି ଜାରି ରଖନ୍ତି, ତେବେ ରାଜସ୍ବରେ ବୃଦ୍ଧି ଆଗମୀ ଦଶକରେ ପ୍ରାଥମିକ କ୍ଷତିକୁ ୩.୩ ଟ୍ରିଲିୟନ ଡଲାର ପର୍ଯ୍ୟନ୍ତ କମ୍ କରିପାରେ। ଏହାଛଡା ସଂଘୀୟ ସୁଧ ପରିଶୋଧରେ ୦.୭ ଟ୍ରିଲିୟନ ଡଲାର ହ୍ରାସ କରିପାରେ। ବର୍ତ୍ତମାନ ସବୁଠାରୁ ଉଚ୍ଚ ଟାରିଫ୍ ହାର ବୋଧ ହୁଏ ଦୀର୍ଘ ସମୟ ରହିନପାରେ, କାରଣ ବ୍ୟବସାୟିକ ସହଭାଗିତା ସହ ଆଲୋଚନା ଓ ଅନ୍ତର୍ଜାତୀୟ ଆଇନଗତ ସମସ୍ୟା ରହିଛି। କିନ୍ତୁ ଏହି ଟାରିଫ୍ ଦ୍ବାରା ଆସୁଥିବା ଅତିରିକ୍ତ ଟଙ୍କା ଚଳିତ ବର୍ଷ ରିପବ୍ଲିକାନ୍ ଦ୍ବାରା ପାସ୍ କରାଯାଇଥିବା ଟ୍ୟାକ୍ସ କଟ୍ ଓ ଖର୍ଚ୍ଚ ବିଲ୍ରୁ ହୋଇଥିବା କ୍ଷତିକୁ କମ୍ କରିବାରେ ସାହାଯ୍ୟ କରିପାରେ। ସିବିଓର ଅନୁମାନ ଯେ, ଆଗାମୀ ୧୦ ବର୍ଷରେ ଏହି କ୍ଷତି ୩.୪ ଟ୍ରିଲିୟନ ଡଲାର ପର୍ଯ୍ୟନ୍ତ ବଢିପାରେ।
ଅର୍ଥ ବିଭାଗର ସୂଚନା ଅନୁସାରେ, ଆମେରିକା ସରକାରୀ ଋଣ ୩୭.୧୮ ଟ୍ରିଲିୟନ ଡଲାରର ରହିଛି। ଏହି ଋଣ ରିପବ୍ଲିକାନ୍ ଓ ଡେମୋକ୍ରାଟିକ୍ ଉଭୟ ସରକାରଙ୍କ ବେଳେ ବଢିଥିଲା। କାରଣ କଂଗ୍ରେସ, ଉଭୟ ସରକାରଙ୍କୁ ଆୟ ଅପେକ୍ଷା ଅଧିକ ଖର୍ଚ୍ଚ କରିବାକୁ ଅନୁମତି ଦେଉଥିଲା। ସାଂସଦଙ୍କ ଆଗରେ ସେପ୍ଟେମ୍ବର ଶେଷ ସୁଦ୍ଧା ସରକାରଙ୍କୁ ପାଣ୍ଠି ଯୋଗାଇବା ପାଇଁ ଏକ ସମୟସୀମା ରହିଛି, ନଚେତ ଖର୍ଚ୍ଚ ବିଲ୍ ପାସ୍ ନହେଲେ ସରକାର ବନ୍ଦ ହୋଇପାରେ। CBO ର ସଦ୍ୟତମ ଆକଳନ ଜୁନ୍ଠାରୁ ଅଧିକ, ଯେତେବେଳେ ସେ ୨.୫ ଟ୍ରିଲିୟନ ଡଲାର ପ୍ରାଥମିକ ନିଅଣ୍ଟ ଏବଂ ସୁଧ ଖର୍ଚ୍ଚରେ ୫୦୦ ବିଲିୟନ ଡଲାର ସୁଧ ହ୍ରାସ ଆକଳନ କରିଥିଲା। ଅକ୍ସଫୋର୍ଡ ଇକୋନୋମିକ୍ସ ଅନୁଯାୟୀ, ଅଗଷ୍ଟରେ ଆମେରିକାର ଶୁଳ୍କ ହାର ହାରାହାରି ୧୬.୭% ଥିଲା, ଯାହା ଜୁନ୍ ମାସରେ ୧୫.୧% ଥିଲା। ବିଶ୍ଳେଷଣରେ କହୁଛି ଯେ, ଆମେରିକାର କଷ୍ଟମ୍ସ ଏବଂ ସୀମା ସୁରକ୍ଷା 26 ବିଲିୟନ ଡଲାରରୁ ଅଧିକ ଶୁଳ୍କ ସଂଗ୍ରହ କରିଛି, ଯାହା ଗତ ବର୍ଷ ତୁଳନାରେ ବହୁତ ଅଧିକ।