ନୂଆଦିଲ୍ଲୀ,୨୪/୦୪: ଭୀଷଣ ଯୁଦ୍ଧ, ଆକ୍ରମଣ, ପ୍ରତିଆକ୍ରମଣ ୧୨ ଦିନର ଘମାଘୋଟ ଲଢେଇ । ବୋମା ବର୍ଷା ସହ ମିସାଇଲ ମାଡ଼ । ସବୁ କିଛି ଛାରଖାର ହୋଇଯାଇଥିଲା । ଧନ,ଜୀବନ ନଷ୍ଟ ପରେ ଶେଷରେ ଯୁଦ୍ଧ ସରିଲା । ୧୨ ଦିନର ସଂଘର୍ଷ ପରେ ଅଟକିଛି ଇରାନ୍- ଇରାନ୍ ଇସ୍ରାଏଲ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ହୋଇଥିବା ନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆସନ୍ତା ୬ ଘଣ୍ଟା ମଧ୍ୟରେ ସିଜଫାୟାର ଆରମ୍ଭ ହେବ । ୨୪ ଘଣ୍ଟା ଭିତରେ ଯୁଦ୍ଧ ସମ୍ପୂର୍ଣ୍ଣ ବନ୍ଦ ହେବ । ଅସ୍ତ୍ରବିରତି ନେଇ ଉଭୟ ଦେଶ ସହମତି ଥିବା କହିଛନ୍ତି ଟ୍ରମ୍ପ ।
ସିଜଫାୟାର ଘୋଷଣାକୁ ନେଇ ଏଯାବତ୍ ଇରାନ୍- ଇସ୍ରାଏଲ୍ ପକ୍ଷରୁ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ । ମିଳିଥିବା ସୂଚନା ଅନୁସାରେ ଦୁଇ ଦେଶ ଏହି ପ୍ରସ୍ତାବିତ ଅସ୍ତ୍ରବିରତିକୁ ନେଇ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି । କୁହାଯାଉଛି କି ସିଜଫାୟାର ପୃଷ୍ଠଭୂମିରେ କିଛି କୂଟନୈତିକ ପ୍ରୟାସ କରାଯାଉଛି । ଇରାନ୍ ପରମାଣୁ ଠିକଣା ଉପରେ ହମଲାର ଗୋଟିଏ ଦିନ ପରେ ଆମେରିକା ଏହି ଅସ୍ତ୍ରବିରତି ଘୋଷଣା କରିଛି । ୧୨ ଦିନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍- ଇସ୍ରାଏଲ ଯୁଦ୍ଧରେ ଅସ୍ତ୍ରବିରତି ବୁଝାମଣା ହୋଇଥିବା କହିଛନ୍ତି ।
ଟ୍ରମ୍ପ ତାଙ୍କ ସୋସିଆଲ ମିଡ଼ିଆ ପୋଷ୍ଟରେ କହିଛନ୍ତି, '' ଯଦି ସବୁକିଛି ଯୋଜନା ମୁତାବକ ହୁଏ, ମୋର ବିଶ୍ୱାସ ଅଛି ଏମିତି ହିଁ ହେବ । ଇରାନ୍- ଇସ୍ରାଏଲ ଦୁହିଁଙ୍କୁ ଶୁଭକାମନା ଦେଉଛି । ସେମାନେ ୧୨ ଦିନ ପରେ ଯୁଦ୍ଧ ସମାପ୍ତ କରିବାକୁ ସାହସ ଓ ସଂକଳ୍ପ ଦେଖାଇଛନ୍ତି । ପ୍ରାୟ ୬ ଘଣ୍ଟା ପରେ ସୈନ୍ୟ ଅଭିଯାନ ଶେଷ ହେବ । ୧୨ ଘଣ୍ଟା ପରେ ସିଜଫାୟାର ଆରମ୍ଭ ହେବ । ସର୍ବପ୍ରଥମେ ଇରାନ୍ ଓ ପରେ ଇସ୍ରାଏଲ୍ ଅସ୍ତ୍ରବିରତି କରିବ । ୨୪ ଘଣ୍ଟା ପରେ ଏହି ଯୁଦ୍ଧକୁ ଶେଷ ଦେଲା ବୋଲି ଗ୍ରହଣ କରାଯିବ । ଦୁଇ ଦେଶ ଶାନ୍ତିପୂର୍ଣ୍ଣ ଓ ସମ୍ମାନଜନକ ବ୍ୟବହାର କରିବେ ।''
ଟ୍ରମ୍ପ ଆହୁରି କହିଛନ୍ତି, ''ଏହି ଯୁଦ୍ଧ ଆଗାମୀ କେତେ ବର୍ଷ ଯାଏ ଚାଲିଥାନ୍ତା । ସମଗ୍ର ମଧ୍ୟପ୍ରାଚ୍ୟ ବର୍ବାଦ ହୋଇଥାନ୍ତା, ହେଲେ ଏମିତି ହେଲା ନାହିଁ । ଇରାନ୍ ଏବଂ ଇସ୍ରାଏଲକୁ ଏହି ଯୁଦ୍ଧ ଶେଷ କରିବାକୁ ସାହସ ଓ ବୁଦ୍ଧାମତା ଦେଖାଇ ଥିବାକୁ ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ଭଗବାନ୍ ଇରାନ୍, ଇସ୍ରାଏଲ, ଆମେରିକା, ମଧ୍ୟପ୍ରାଚ୍ୟ ଓ ଦୁନିଆକୁ ଆର୍ଶୀବାଦ କରନ୍ତୁ ।''
ଅଧିକ ପଢନ୍ତୁ...ଆମେରିକା ଆକ୍ରମଣର ପ୍ରତିଶୋଧ ନେଲା ଇରାନ; କତାରରେ ଥିବା ଆମେରିକୀୟ ସାମରିକ ଘାଟିକୁ ମିସାଇଲ ମାଡ
ଆମେରିକା ଉପରେ ଇସ୍ରାଏଲର ଜବାବୀ ହମଲା- ପରମାଣୁ କେନ୍ଦ୍ର ଉପରେ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଇରାନ ସୋମବାର ଆମେରିକା ଉପରେ ଆକ୍ରମଣ କରିଥିଲା । ଅପରେସନର ନାମ ‘ବଶର ଅଲ୍-ଫତେହ’ରେ କତାର ରାଜଧାନୀ ଦୋହା ବାହାରେ ଥିବା ଆମେରିକାର ଅଲ୍ଉଦିଦ୍ ବାୟୁସେନା ଘାଟିକୁ ଟାର୍ଗେଟ କରି ମିସାଇଲ ମାଡ଼ କରିଥିଲା । ବାୟୁସେନା ଘାଟିରେ ୬ଟି ମିସାଇଲ ମାଡ଼ କରିବା ଫଳରେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଭିଥିଲା । ତେବେ ସେଠାରେ କ’ଣ କ୍ଷୟକ୍ଷତି ହୋଇଛି ତାହା ଜଣାପଡିନାହିଁ । ସେପଟେ ମଧ୍ୟପ୍ରାଚ୍ୟକୁ ଏୟାର ଇଣ୍ଡିଆ ବିମାନ ଚଳାଚଳ ବନ୍ଦ ହୋଇଛି ।