ନୂଆଦିଲ୍ଲୀ: ଇଜିପ୍ଟର ଗାଜା ଶିଖର ସମ୍ମିଳନୀରେ,ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ ମଞ୍ଚକୁ ପ୍ରାୟତଃ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶଂସା ସଭାରେ ବଦଳାଇ ଦେଇଥିଲେ । ସେ ଟ୍ରମ୍ପଙ୍କୁ ‘ଶାନ୍ତିର ପୁରୁଷ’ ବୋଲି ଦର୍ଶାଇଛନ୍ତି ଆଉ କହିଛନ୍ତି କି,ସେ ଭାରତ-ପାକିସ୍ତାନ ଯୁଦ୍ଧକୁ ଅଟକାଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି। ସରିଫ୍ ଏହା ମଧ୍ୟ କହିଛନ୍ତି ଯେ, ସେ ଟ୍ରମ୍ପଙ୍କୁ ପୁଣି ଥରେ ନୋବେଲ ଶାନ୍ତି ପୁରସ୍କାର ପାଇଁ ପ୍ରସ୍ତାବ ଦେବେ। ଏହା ଶୁଣି ଟ୍ରମ୍ପ ମୁରୁକିହସା ଦେଇ ଜବାବ ଦେଇଥିଲେ କି, ବାଃ ମୁଁ ଏହା ଆଶା କରି ନଥିଲି ।

ଯେତେବେଳେ ଟ୍ରମ୍ପ ଏହି ପ୍ରଶଂସାର ମଜା ନେଉଥିଲେ,ସେତେବେଳେ ସୋସିଆଲ ମିଡିଆରେ ସରିଫଙ୍କୁ ପ୍ରବଳ ସମାଲୋଚନା କରାଯାଇଥିଲା। ଅନେକ ବ୍ୟବହାରକାରୀ ଏହାକୁ ପାକିସ୍ତାନ ପାଇଁ ଲଜ୍ଜା ବୋଲି କହିଥିଲେ। ପାକିସ୍ତାନୀ ରାଜନେତା ଏବଂ ଇତିହାସକାର ଅମ୍ମାର ଅଲି ଜାନ X ରେ ଲେଖିଛନ୍ତି, "ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଶାହବାଜ ସରିଫଙ୍କ ନିରନ୍ତର ଏବଂ ଅନାବଶ୍ୟକ ପ୍ରଶଂସା ବିଶ୍ୱବ୍ୟାପୀ ପାକିସ୍ତାନୀ ମାନଙ୍କ ପାଇଁ ଲଜ୍ଜାର କାରଣ।"

ସ୍ତମ୍ଭକାର ଏସ.ଏଲ. କାନ୍ଥନ ମଧ୍ୟ ବ୍ୟଙ୍ଗାତ୍ମକ ଭାବରେ ଲେଖିଛନ୍ତି କି,"ଯେତେବେଳେ ଟ୍ରମ୍ପଙ୍କୁ ତାଙ୍କ ଜୋତା ଚମକାଇବାକୁ ପଡ଼ିବ, ସେ ପାକିସ୍ତାନର 'ଛୋଟ ପ୍ରଧାନମନ୍ତ୍ରୀ'ଙ୍କୁ ଡାକିବେ।" ଭୂରାଜନୀତିରେ ଏପରି ଲଜ୍ଜାଜନକ ଦୃଶ୍ୟ ପୂର୍ବରୁ କେବେ ଦେଖାଯାଇନାହିଁ।

ସୂଚନାଥାଉକି, ସୋମବାର ଦିନ ଶରମ୍ ଏଲ୍-ଶେଖରେ ବିଶ୍ୱ ନେତା ମାନଙ୍କୁ ସମ୍ବୋଧିତ କରି ସରିଫ ପୁନର୍ବାର କହିଥିଲେ ଯେ, ଟ୍ରମ୍ପ ଭାରତ-ପାକିସ୍ତାନ ବିବାଦକୁ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ତାଙ୍କର ପାଞ୍ଚ ମିନିଟର ଭାଷଣରେ ଇସ୍ରାଏଲ-ହମାସ ଯୁଦ୍ଧବିରତି ପାଇଁ ଟ୍ରମ୍ପଙ୍କ ପ୍ରୟାସକୁ ବାରମ୍ବାର ପ୍ରଶଂସା କରିଥିଲେ। ସରିଫ କହିଛନ୍ତି, "ଆଜି ଆଧୁନିକ ଇତିହାସର ସବୁଠାରୁ ମହାନ ଦିନ ମଧ୍ୟରୁ ଗୋଟିଏ କାରଣ ରାଷ୍ଟ୍ରପତି ଟ୍ରମ୍ପଙ୍କ ନେତୃତ୍ୱରେ ଶାନ୍ତି ହାସଲ ହୋଇଛି। ସେ ପ୍ରକୃତରେ ଜଣେ ଶାନ୍ତିପ୍ରିୟ ବ୍ୟକ୍ତି।" ସେ ଆହୁରି କହିଛନ୍ତି ଯେ ଯଦି ଟ୍ରମ୍ପ ସେଠାରେ ନଥାନ୍ତେ, ତେବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଏତେ ବୃଦ୍ଧି ପାଇଥାନ୍ତା ଯେ କେହି ବଞ୍ଚି ନଥାନ୍ତେ।