ୱାଶିଂଟନ,୦୫/୦୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁଏସ କଂଗ୍ରେସକୁ ସମ୍ବୋଧନ କରିଛନ୍ତି । ଦ୍ବିତୀୟ ଥର ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ଆମେରିକା ସଂସଦକୁ ସମ୍ବୋଧନ କରିଛନ୍ତି ଟ୍ରମ୍ପ । ତାଙ୍କର ଏହି ଅଭିଭାଷଣ ଉପରେ ସାରା ବିଶ୍ବର ନଜର ରହିଥିଲା । ଭାରତ ବିପକ୍ଷରେ ଟାରିଫକୁ ନେଇ ବଡ ଘୋଷଣା କରିବା ସହ ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଅଭିଭାଷଣ ରଖିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଯିଏ ଆମଠୁ ଟାରିଫ୍ ଚାର୍ଜ କରିବ ତାଠୁ ବି ଆମେ ଶୁଳ୍କ ନେବୁ ବୋଲି କହିଛନ୍ତି । ଏହା ସହ ବାଇଡେନଙ୍କୁ ଟାର୍ଗେଟ କରି ସମ୍ବୋଧନରେ ଆତଙ୍କବାଦ ଓ ପାକିସ୍ତାନ ପ୍ରସଙ୍ଗ ଉଠାଇଛନ୍ତି ।

ଭାରତ ବିପକ୍ଷରେ ଟାରିଫ୍- ସମ୍ବୋଧନରେ ଡୋନାଲ୍ଡ ଟ୍ରମ୍ପ ଟାରିଫକୁ ନେଇ ଭାରତ ଓ ଚୀନକୁ ଘେରିଛନ୍ତି । ଆମଠୁ ଯିଏ ଶୁଳ୍କ ନେବ ଆମେ ବି ତାଠୁ ଆଦାୟ କରିବୁ । ଟାରିଫକୁ ନେଇ କିଛି ବୁଝମଣା ହେବ ନାହିଁ । ଶୁଳ୍କ ବଢିଲେ ନିବେଶ ବଢିବ । ଟାରିଫରୁ ଆମେରିକାକୁ ପୁଣି ଧନୀ କରିବାର ଅଛି । ଭାରତ, ଚୀନ ଓ କୋରିଆ ଅଧିକ ଶୁଳ୍କ ଲଗାଉଛନ୍ତି । ଭାରତ ବ୍ରାଜିଲ ପରି ଦେଶ ଆମଠୁ ଶୁଳ୍କ ଚାର୍ଜ କରୁଛନ୍ତି । ଭାରତ ଆମ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଛି । ଯାହା ଆମେରିକା ପାଇଁ ଠିକ୍ ନୁହେଁ । ଯେସାକୁ ତେସା ଶୁଳ୍କ ।'' ଆସନ୍ତା ଏପ୍ରିଲ ୨ରୁ ଭାରତ ଉପରେ ରେସିପ୍ରୋକାଲ ଟାରିଫ୍ ଲଗାଇବାକୁ ଘୋଷଣା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହାସହିତ ଋଷ-ୟୁକ୍ରେନ ଯୁଦ୍ଧ ବନ୍ଦ ନେଇ ଲଗାତାର କାମ କରୁଛୁ ବୋଲି ସମ୍ବୋଧନରେ କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ଆମେରିକା ଇଜ୍ ବ୍ୟାକ୍- ସମ୍ବୋଧନରେ ଟ୍ରମ୍ପ କହିଛନ୍ତି, 'ଆମେରିକା ଇଜ୍ ବ୍ୟାକ୍ '। ଆମେରିକା ପାଇଁ ଅସଲ ସମୟ ଆରମ୍ଭ ହୋଇଛି । ସୁବର୍ଣ୍ଣ ଯୁଗ ଆସିଛି । ଆମେରିକା ତାର ପୁରୁଣା ଅନ୍ଦାଜରେ ଫେରିଛି । ବିଶ୍ବାସ, ଭରସା ଓ ଆତ୍ମବିଶ୍ବାସର ସହ କମବ୍ୟାକ କରିଛି । ଆମେରିକାର ସ୍ବପ୍ନକୁ କେହି ଅଟକାଇ ପାରିବେ ନାହିଁ । ସମୟ ଆସିଛି ବଡ ସ୍ବପ୍ନ ଦେଖିବା ତାକୁ ସାକାର କରବା । ଆମେରିକାର ପ୍ରକୃତ ଲୋକତନ୍ତ୍ର ଫେରିବ । ନିର୍ବାଚନରେ ଆମେ ସାନଦାର ବିଜୟ ହାସଲ କରିଥିଲୁ । ଅର୍ଥବ୍ୟବସ୍ଥାକୁ ସୁଧାରିବା ଆମର ପ୍ରଥମ ପ୍ରାଥମିକତା । ଦେଶରେ ଟିକସ୍ କମ୍ କରିବାକୁ କାମ କରିବୁ । ଆମେରିକାକୁ ପୁଣି ମହାନ୍ କରିବାକୁ ହେଲେ ଏକାଠୀ କାମ କରିବାକୁ ହେବ । ଏବେ ବଡ ସ୍ବପ୍ନ ଦେଖିବାକୁ ସମୟ ।''

ଅଧିକ ପଢନ୍ତୁ...ଟ୍ରମ୍ପଙ୍କୁ ଚୀନ୍‌-କାନାଡ଼ାର ପାଲଟା ଟାରିଫ,କୃଷି ସାମଗ୍ରୀ ଉପରେ ଚୀନ୍‌ର ୧୫% ଯାଏଁ ଟିକସ

ବାଇଡେନ୍ ଖରାପ ରାଷ୍ଟ୍ରପତି- ୟୁଏସ କଂଗ୍ରେସକୁ ସମ୍ବୋଧନ କରି ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଉପରେ ବର୍ଷିଛନ୍ତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ''ବାଇଡେନ ଆମେରିକା ଇତିହାସର ସବୁଠୁ ଖରାପ ରାଷ୍ଟ୍ରପତି । ବାଇଡେନଙ୍କ କାର୍ଯ୍ୟକାଳରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢିଥିଲା । ବୈଧ ଅନୁପ୍ରେବଶ ଉପରେ ଆମେ ରୋକ ଲଗାଇଛୁ । ୪୩ ଦିନରେ ଯାହା କରିଛୁ ଅନ୍ୟ କୌଣସି ସରକାର କରିନାହାନ୍ତି । କ୍ଷମତାକୁ ଆସିବା ପରେ ଏକାଧିକ ନିୟମରେ ସ୍ବାକ୍ଷର କରିଛି । ୪ ସପ୍ତାହରେ ୪୦୦ରୁ ଅଧିକ ନିଷ୍ପତ୍ତି ନେଇଛି ।''

ଟାରିଫ୍ କଣ ? ଟ୍ରମ୍ପଙ୍କର ଏହି ଟାରିଫ୍ ନୀତିକୁ ନେଇ ଆପଣଙ୍କ ମନକୁ ନିଶ୍ଚିନ୍ତ ଆସୁଥିବ ଟାରିଫ୍ କଣ ? କହିବାକୁ ଗଲେ ଟାରିଫ୍ ହେଉଛି ଏକପ୍ରକାର କର ବା ଶୁଳ୍କ । ଆମଦାନୀ ଓ ରପ୍ତାନୀ ହେଉଥିବା ବସ୍ତୁ ଏବଂ ସେବା ଉପରେ ଟାରିଫ୍ ଲାଗୁ ହୋଇଥାଏ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଦେଶର ଅର୍ଥ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା । ଘରୋଇ ଉତ୍ପାଦକୁ ସଂରକ୍ଷଣ ଦେବା, ରାଜସ୍ବ ଆଦାୟ ଏବଂ ବ୍ୟବସାୟରେ ସନ୍ତୁଳନ ରକ୍ଷା କରିବା । ସବୁ ଦେଶର ସରକାର ତାର ଉତ୍ପାଦକୁ ନେଇ ଏହି ପଦକ୍ଷେପ ନେଇଥାଏ ।