ନୂଆଦିଲ୍ଲୀ,୨୨।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଟାରିଫ ଓ୍ବାର କାରଣରୁ ଦୁନିଆର ବହୁ ଦେଶ ସହ ସମ୍ପର୍କ ଖରାପ କରିସାରିଛନ୍ତି। ଏହା ଭିତରେ ସେ ପୁଣିଥରେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସାକ୍ଷାତ ହେବାକୁ ଯାଉଛି, କିନ୍ତୁ ଆମେରିକା ଚୀନ୍ ଉପରେ ୧୫୫ ପ୍ରତିଶତ ଟାରିଫ୍ ଲଗାଇବା ୧ ନଭେମ୍ବରରୁ ଜାରି ରହିବ। ନ୍ୟୁଜ ଏଜେନ୍ସି ଏଏନ୍‌ଆଇର ଏକ ପ୍ରଶ୍ନ ଉତ୍ତର ଦେଇ ଟ୍ରମ୍ପ କହିଛନ୍ତି ଏବେ ବି ରୁଷର ସବୁଠାରୁ ବଡ଼ ତୈଳ ଆମଦାନୀକାରୀ ରହିଛି ଚୀନ୍। ତେଣୁ ୧ ନଭେମ୍ବରରୁ ଚୀନ୍ ଉପରେ ପ୍ରାୟ ୧୫୫ % ଟାରିଫ୍ ଲଗାଯିବ। ମୋତେ ଲାଗୁନି ତାଙ୍କ ପାଇଁ ଭଲ ହେବ।’

ଟ୍ରମ୍ପଙ୍କ କହିବା ଅନୁସାରେ, ସେ ବ୍ୟକ୍ତିଗତ ଭାବରେ ଚୀନ୍ ସହ ଭଲ ସମ୍ପର୍କ ରଖିବାକୁ ଚାହାନ୍ତି। କିନ୍ତୁ ବହୁ ବର୍ଷ ଧରି ଏକତରଫା ଡିଲ୍ କାରଣରୁ ଆମେରିକା ପାଖରେ କଡା ଆକ୍ସନ ନେବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନାହିଁ। ମୁଁ ଚୀନ୍ ସହ ଭଲ ବ୍ୟବହାର କରିବାକୁ ଚାହୁଁଛି, କିନ୍ତୁ  ଚୀନ୍ ଗତ କିଛି ବର୍ଷ ହେବ ଆମ ସହ ବହୁତ ଖରାପ ବ୍ୟବହାର କରିଛି। କାରଣ ଆମର ପୂବର୍ତନ ରାଷ୍ଟ୍ରପତି ବିଜନେସ୍ ଦୃଷ୍ଟିରୁ ସ୍ମାର୍ଟ ନଥିଲେ।ସେ ଚୀନ୍ ଓ ପ୍ରତି ଦେଶକୁ ଆମର ଲାଭ ଉଠାଇବାକୁ ଦେଇଥିଲେ।’        

ଟ୍ରମ୍ପ କହିଛନ୍ତି, ମୁଁ ୟୁରୋପୀୟ ୟୁନିୟନ ସହ ଏକ ଡିଲ୍ କରିଛି। ଏହା ସହ ଜାପାନ ଓ ସାଉଥ କୋରିଆ ସହ ମଧ୍ୟ ଡିଲ୍ କରିଛି। ଏଥିରେ ବହୁତ ଗୁଡିଏ ଡିଲ୍ ରହିଛି। ଏହା ନ୍ୟାସନାଲ ସିକ୍ୟୁରିଟି ବିଷୟରେ ରହିଛି। ମୁଁ ଟାରିଫ କାରଣରୁ ଏଭଳି କରି ପାରୁଛି। ଆମକୁ ଆମେରିକାରେ ଶତାଧିକ ବିଲିୟନ, ଏପରିକି ଟ୍ରିଲିୟନ ଡଲାର ମିଳୁଛି। ଆମେ ଋଣ ପରିଶୋଧ କରିବା ଆରମ୍ଭ କରିଦେବୁ।’