ନୂଆଦିଲ୍ଲୀ,୩୦/୦୧: ଦୀର୍ଘ ୪ ବର୍ଷ ହେବ ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଶାନ୍ତିର ବାଟକୁ ଚାହିଁ ରହିଛନ୍ତି ଦୁଇ ଦେଶର ଲୋକ । ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାନବିକତା ଆଧାରରେ ଏକ ପ୍ରମୁଖ ବିବୃତ୍ତି ଜାରି କରିଛନ୍ତି । ଟ୍ରମ୍ପ କହିଛନ୍ତି ଯେ ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କଠୋର ଶୀତ ସମୟରେ ସାଧାରଣ ନାଗରିକଙ୍କୁ ସହାୟତା ଯୋଗାଇବା ପାଇଁ ଅତି କମରେ ଗୋଟିଏ ସପ୍ତାହ ପାଇଁ ୟୁକ୍ରେନର ରାଜଧାନୀ କିଭ ସମେତ ଅନ୍ୟ ସହର ଉପରେ ଆକ୍ରମଣ କରିବାରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛନ୍ତି । ଆଉ ତାଙ୍କର ଏହି ଅନୁରୋଧକୁ ପୁଟିନ୍ ରକ୍ଷା କରିଛନ୍ତି ବୋଲି ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ।

ଗୁରୁବାର ଦିନ ହ୍ୱାଇଟ୍ ହାଉସରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି, ସେ ବ୍ୟକ୍ତିଗତ ଭାବରେ ରାଷ୍ଟ୍ରପତି ପୁଟିନଙ୍କୁ ଅନୁରୋଧ କରିଛନ୍ତି ଯେ ସେ ଶୀତ ସମୟରେ କିଭ୍ ଓ ଅନ୍ୟାନ୍ୟ ସହର ଉପରେ ଆକ୍ରମଣକୁ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରଖନ୍ତୁ । ଟ୍ରମ୍ପଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ଋଷ ବାରମ୍ବାର ୟୁକ୍ରେନର ବିଦ୍ୟୁତ୍ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ ଆକ୍ରମଣ କରୁଛି, ଯାହା ଫଳରେ ସାରା ଦେଶରେ ବ୍ୟାପକ ବିଦ୍ୟୁତ୍ ବିଭ୍ରାଟ ହେଖାଦେଇଛି । ଟ୍ରମ୍ପ୍ ଦାବି କରିଛନ୍ତି ଯେ, ରାଷ୍ଟ୍ରପତି ପୁଟିନ୍ ତାଙ୍କ ଅନୁରୋଧରେ ରାଜି ହୋଇଛନ୍ତି, କିନ୍ତୁ ଋଷ ପକ୍ଷରୁ କୌଣସି ସରକାରୀ ପ୍ରତିକ୍ରିୟା ମିଳିପାରିନାହିଁ ।

​​​​​​​ପୂର୍ବରୁ, ୟୁକ୍ରେନ ରାଷ୍ଟ୍ରପତି  ଜେଲେନସ୍କି ଚେତାବନୀ ଦେଇଥିଲେ ଯେ, ରୁଷ ଆଉ ଏକ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି । ୟୁକ୍ରେନୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକରୁ ମିଳିଥିବା ରିପୋର୍ଟ ସୂଚିତ କରୁଛି ଯେ, ରୁଷ ବଡ଼ ଧରଣର ବିମାନ ଆକ୍ରମଣ ପାଇଁ ଅସ୍ତ୍ରଶସ୍ତ୍ର ଏବଂ ସମ୍ବଳ ସଂଗ୍ରହ କରୁଛି । ଜେଲେନସ୍କି ଏହା ମଧ୍ୟ ମନେ ପକାଇଛନ୍ତି ଯେ, ରୁଷ ସମ୍ପ୍ରତି ପ୍ରାୟ ୮୦୦ ଡ୍ରୋନ୍, କ୍ରୁଜ୍ ମିସାଇଲ୍ ଏବଂ ବାଲିଷ୍ଟିକ୍ ମିସାଇଲ୍ ସହିତ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା, ବିଶେଷ କରି ଦେଶର ପାୱାର ଗ୍ରୀଡ୍‌କୁ ଟାର୍ଗେଟ କରି।

ଏହା ବି ପଢନ୍ତୁ...ଶାନ୍ତି ଆଲୋଚନା ପାଇଁ ୟୁକ୍ରେନ୍କୁ ଡାକିଲା ରୁଷ, ଜେଲେନସ୍କିଙ୍କୁ ମସ୍କୋରେ ବୈଠକ ଲାଗି ଆମନ୍ତ୍ରଣ

ମସ୍କୋ ଯିବେ ଜେଲେନସ୍କି-  ଶାନ୍ତି ଆଲୋଚନା କରିବା ପାଇଁ ୟୁକ୍ରେନ୍‌କୁ ଆମନ୍ତ୍ରଣ କରିଛି ରୁଷ୍ । ରାଜଧାନୀ ମସ୍କୋରେ ବୈଠକ କରିବା ଲାଗି କୁହାଯାଇଛି । ଏହାଦ୍ୱାରା ପ୍ରାୟ ୪ ବର୍ଷ ଧରି ଜାରି ରହିଥିବା ରୁଷ୍-ୟୁକ୍ରେନ୍ ଯୁଦ୍ଧ ବନ୍ଦ ହେବା ନେଇ ଆଶା ଉଜ୍ଜୀବିତ ହୋଇଛି । କ୍ରେମିଲିନ୍ ମୁଖପାତ୍ର ଦିମିତ୍ରି ପେସ୍କୋଭ ଗୁରୁବାର କହିଛନ୍ତି, ଆମେ ଏହି ପ୍ରସଙ୍ଗରେ ମସ୍କୋରେ ଆଲୋଚନା କରିବାକୁ ଚାହୁଁଛୁ । ଏଥିଲାଗି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଡକାଯାଇଛି । ଏହାକୁ ମିଶାଇ ଦ୍ୱିତୀୟ ଥର ପାଇଁ କ୍ରେମିିଲିନ୍ ଜଣେ ବରିଷ୍ଠ ଅଧିକାରୀ ଜେଲେନସ୍କିଙ୍କୁ ଶାନ୍ତି ଆଲୋଚନା ଲାଗି ଆମନ୍ତ୍ରଣ କରିଛନ୍ତି । ଏହା ପୂର୍ବରୁ ବୁଧବାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହଯୋଗୀ ୟୁରୀ ଉସାକୋଭ କହିଥିଲେ, ମସ୍କୋରେ ଆଲୋଚନା ଲାଗି ଜେଲେନସ୍କିଙ୍କୁ ରୁଷ୍ ଆମନ୍ତ୍ରଣ କରିଛି । ଯଦି ସେ ପ୍ରକୃତରେ ବୈଠକ ପାଇଁ ଆଗ୍ରହୀ, ତେବେ ସେ ଆସିପାରିବେ । ଯଦି ସେ ଆସନ୍ତି, ତାଙ୍କର ସୁରକ୍ଷା ପାଇଁ ଆମେ ଗ୍ୟାରେଣ୍ଟି ଦେବୁ ।