ୱାଶିଂଟନ,୩୦/୦୧: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଏକ୍‌ଜିକ୍ୟୁଟିଭ୍‌ ଆଦେଶ ପରେ ପାକିସ୍ତାନକୁ  ଦିଆଯାଉଥିବା ସହାୟତା ଉପରେ ରୋକ୍‌ ଲଗାଇ  ଦେଇଛି ଆମେରିକା । ଅସ୍ଥାୟୀ ଭାବେ ଏହି ରୋକ୍‌  ଲାଗିଛି । ପାକ୍‌କୁ ମିଳୁଥିବା ସହାୟତାକୁ ପୁନଃ  ମୂଲ୍ୟାୟନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ଟ୍ରମ୍ପ୍‌ । 

ଜିଓ  ନ୍ୟୁଜ୍‌ ମୁତାବକ, ଟ୍ରମ୍ପ୍‌ଙ୍କ ଏହି ନିଷ୍ପତ୍ତି ଯୋଗୁ  ପାକିସ୍ତାନରେ ୟୁଏସ୍‌ ଏଜେନ୍ସି ଫର୍‌ ଇଣ୍ଟରନ୍ୟାସନାଲ ଡେଭଲପ୍‌ମେଣ୍ଟ (ୟୁଏସ୍‌ଏଆଇଡି)ର ଅନେକ ଜରୁରି  ଯୋଜନାକୁ ସମ୍ପୂର୍ଣ୍ଣ ଭାବେ ରୋକାଯାଇଛି । ଏହାଦ୍ୱାରା  ପାକିସ୍ତାନରେ ଶକ୍ତି କ୍ଷେତ୍ର ସହ ଜଡ଼ିତ ୫ଟି ଯୋଜନା  ଠପ୍‌ ହୋଇପଡ଼ିଛି । ଏହାବ୍ୟତୀତ ସ୍ୱାସ୍ଥ୍ୟ, କୃଷି, ଖାଦ୍ୟ  ସୁରକ୍ଷା, ବନ୍ୟା, ଜଳବାୟୁ ଓ ଶିକ୍ଷା ସହ ଜଡ଼ିତ ଅନେକ  ପ୍ରକଳ୍ପ ବି ପ୍ରଭାବିତ ହୋଇଛି । ଏଗୁଡ଼ିକ ମଧ୍ୟରୁ କିଛି  ପ୍ରକଳ୍ପ ସବୁଦିନ ପାଇଁ ବନ୍ଦ ହୋଇଯିବା ନେଇ ଆଶଙ୍କା  ଦେଖାଦେଇଛି । 

ଏହା ପୂର୍ବରୁ ଟ୍ରମ୍ପ୍‌ ପ୍ରଶାସନ ଶୁକ୍ରବାର  ଇସ୍ରାଏଲ, ଇଜିପ୍ଟ ଓ ଖାଦ୍ୟ କାର୍ଯ୍ୟକ୍ରମକୁ ଛାଡ଼ି ବାକି ଅନ୍ୟ ସମସ୍ତ ବିଦେଶୀ ସହାୟତା ଉପରେ ରୋକ୍‌  ଲଗାଇଥିଲେ। ଏମିତି କି ଗରିବ ଦେଶଗୁଡ଼ିକୁ ମିଳୁଥିବା  ସ୍ୱାସ୍ଥ୍ୟ ସହାୟତାକୁ ବି ବନ୍ଦ କରାଯାଇଥିବା ଆମେରିକାର  ବିଦେଶ ମନ୍ତ୍ରଣାଳୟ କହିଥିଲା । ଅନ୍ୟପକ୍ଷରେ ଗାଜା ପାଇଁ ଆମେରିକାର ପୂର୍ବତନ ବାଇଡେନ୍‌ ପ୍ରଶାସନ ୫୦ ନିୟୁତ ଡଲାର (୪୩୨ କୋଟି ଟଙ୍କା)ର ଏକ  ପାଣ୍ଠିକୁ ମଞ୍ଜୁରି ଦେଇଥିଲା । ଟ୍ରମ୍ପ୍‌ ପ୍ରଶାସନ ଏହା  ଉପରେ ରୋକ୍‌ ଲଗାଇ ଦେଇଛନ୍ତି । ମାଗଣାରେ  କଣ୍ଡୋମ ବିତରଣ ଲାଗି ଏହି ପାଣ୍ଠିକୁ ମଞ୍ଜୁରି  ମିଳିଥିଲା ବୋଲି ହ୍ୱାଇଟ୍‌ହାଉସ୍‌ ଅଭିଯୋଗ କରିଛି ।