ୱାଶିଂଟନ ଡିସି, ୨୨/୦୩: ଦେଶର  ଶିକ୍ଷା ବିଭାଗକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ  କରିଦେବା ଲାଗି ଆମେରିକା ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି । ଏ  ସଂକ୍ରାନ୍ତ ଏକ ଆଦେଶନାମାରେ ସେ ସ୍ୱାକ୍ଷର  କରିଛନ୍ତି । କହିଛନ୍ତି ଆମେରିକାରେ ବହୁଦିନ  ହେଲା ପିଲାମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ  କରାଯାଇପାରୁ ନାହିଁ । ବିଶ୍ୱର ଅନ୍ୟ କୌଣସି ଦେଶ ତୁଳନାରେ ଆମେରିକା ଶିକ୍ଷା କ୍ଷେତ୍ରରେ  ଅଧିକ ଖର୍ଚ୍ଚ କରୁଛି । କିନ୍ତୁ ସଫଳତା କଥା ଆସିଲେ ଅନ୍ୟ ଦେଶ ତୁନଳାରେ ପଛରେ ରହିଛି । ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାରେ ବିଭାଗ ଫେଲ ହୋଇଛି । ତେଣୁ ଏହାକୁ  ସବୁଦିନ ପାଇଁ ବନ୍ଦ କରାଯିବ । 

ହ୍ୱାଇଟ୍‌ ହାଉସ ପକ୍ଷରୁ ଜାରି  କରାଯାଇଥିବା ତଥ୍ୟ ଅନୁସାରେ ଗତ ୪  ଦଶକରେ ଶିକ୍ଷା ବିଭାଗ ଲାଗି ବିପୁଳ ଅର୍ଥ  ଖର୍ଚ୍ଚ କରାଯାଇଛି । ୧୯୭୯ରୁ ଆମେରିକା ଶିକ୍ଷା  ବିଭାଗ ୩ ଟ୍ରିଲିୟନ ଡଲାର (ପ୍ରାୟ ୨୫୯ ଲକ୍ଷ  କୋଟି ଟଙ୍କା) ରୁ ଅଧିକ ଅର୍ଥ ଖର୍ଚ୍ଚ କରିଛି ।  ଏହା ସତ୍ତେ୍ୱ ୧୩ ବର୍ଷ ବୟସର ପିଲାମାନଙ୍କ  ଗଣିତ ଓ ପଢ଼ାପଢ଼ି ସମ୍ପୂର୍ଣ୍ଣ ଦୁର୍ବଳ ରହିଛି ।  ଚତୁର୍ଥ ଶ୍ରେଣୀରେ ପ୍ରତି ୧୦ରୁ ୬ ଜଣ ପିଲା  ଏବଂ ଅଷ୍ଟମ ଶ୍ରେଣୀର ପ୍ରାୟ ତିନି-ଚତୁର୍ଥାଂଶ  ପିଲା ଗଣିତ କରିପାରୁନାହାନ୍ତି । ସେହିଭଳି  ଚତୁର୍ଥରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତି ୧୦  ଜଣଙ୍କ ମଧ୍ୟରୁ ୭ ଜଣ ଠିକ୍‌ ଭାବେ ବହି  ପଢ଼ିପାରୁନାହାନ୍ତି । ଚତୁର୍ଥ ଶ୍ରେଣୀର ପ୍ରାୟ  ୪୦ ପ୍ରତିଶତ ଛାତ୍ରଛାତ୍ରୀ ବହି ପଢ଼ିବାରେ  ବିଫଳ ହୋଇଛନ୍ତି । 

୨୦୨୪ରେ ଶିକ୍ଷା ବିଭାଗର ବଜେଟ  ଥିଲା ୨୩୮ ବିଲିୟନ ଡଲାର (ପ୍ରାୟ ୨୦.୦୫  ଲକ୍ଷ କୋଟି ଟଙ୍କା) । ଯାହାକି ଦେଶର ମୋଟ ବଜେଟର ୨ ପ୍ରତିଶତ । ଶିକ୍ଷା ବିଭାଗ ପାଖରେ  ବର୍ତ୍ତମାନ ୪,୪୦୦ କର୍ମଚାରୀ ଅଛନ୍ତି । ଅନ୍ୟ  ସମସ୍ତ ବିଭାଗ ତୁଳନାରେ ଏମାନଙ୍କ ସଂଖ୍ୟା  ସବୁଠାରୁ କମ୍‌ । ଟ୍ରମ୍ପଙ୍କ କହିବାନୁଯାୟୀ ଶିକ୍ଷା  ବିଭାଗ କୌଣସି ବ୍ୟାଙ୍କ ନୁହେଁ । ତେଣୁ ଏହାର  କାର୍ଯ୍ୟ ଅନ୍ୟ କୌଣସି ବିଭାଗକୁ ଦିଆଯିବ ।  ବିଶେଷକରି ରାଜ୍ୟ ଓ ସ୍ଥାନୀୟ ସମୁଦାୟକୁ  ଏହାର ଦାୟିତ୍ୱ ବର୍ତ୍ତମାନ ଦିଆଯିବ । ତେବେ  ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଖର୍ଚ୍ଚ ଓ ଅନୁଦାନ  ପୂର୍ବଭଳି ଜାରି ରହିବ ବୋଲି ଟ୍ରମ୍ପ କହିଛନ୍ତି ।  ଅନ୍ୟପକ୍ଷରେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ ଶିକ୍ଷା  ବିଭାଗ ଐତିହାସିକ ବୋଲି ବର୍ଣ୍ଣନା କରିଛି ।