ଦିଲ୍ଲୀ, ୧୧|୦୧: ଗ୍ରୀନଲ୍ୟାଣ୍ଡକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକ୍ରମଣାତ୍ମକ ମନୋଭାବ କାହାକୁ ଅଛପା ନାହିଁ । ଖଣିଜ ସମ୍ପଦରେ ସମୃଦ୍ଧ ଥିବା ଏହି ଦ୍ବୀପକୁ ନିଜ ଅଧୀନକୁ ନେବାକୁ ପୂର୍ବରୁ ଇଚ୍ଛା ପ୍ରକାଶ କରିସାରିଛନ୍ତି । ଗ୍ରୀନଲ୍ୟାଣ୍ଡ ଦ୍ବୀପ ଡେନମାର୍କର ଏକ ସ୍ୱୟଂଶାସିତ ଅଞ୍ଚଳ ଏବଂ ନାଟୋର ଅଂଶ। ଏହାକୁ କବଜା କରିବାକୁ ଅନୁମତି ଦେଇନଥିଲେ ବି ସୈନ୍ୟ କାର୍ଯ୍ୟାନୁଷ୍ଠାନ ସମ୍ଭାବନା ମଧ୍ୟ ଏଡ଼ାଇ ନାହାନ୍ତି । ସେ ବାରମ୍ବାର କହିଆସୁଛନ୍ତି ସଂଯୁକ୍ତ ରାଷ୍ଟ୍ର ଆମେରିକା ଗ୍ରୀନଲ୍ୟାଣ୍ଡକୁ ନିୟନ୍ତ୍ରଣକୁ ନେବା ଜରୁରୀ । ଟ୍ରମ୍ପ କହିଛନ୍ତି, “ମୁଁ ଏହାକୁ ସହଜ ଉପାୟରେ ହାସଲ କରିବାକୁ ଚାହୁଁଛି। କିନ୍ତୁ ସହଜ ଉପାୟ କାମ ନକଲେ, ସୈନ୍ୟ କାର୍ଯ୍ୟାନୁଷ୍ଠାନ କରିବାକୁ ପଡ଼ିବ ।”
ସେ ଆହୁରି ମଧ୍ୟ କହିଛନ୍ତି, ଡେନମାର୍କର ପ୍ରଶଂସକ ଏବଂ ସେଠାର ଲୋକମାନେ ତାଙ୍କ ପ୍ରତି ସୁବ୍ୟବହାର କରିଆସିଛନ୍ତି । ଏହାରି ଭିତରେ ଗ୍ରୀନଲ୍ୟାଣ୍ଡ ଏବଂ ଡେନମାର୍କର ବରିଷ୍ଠ କୁଟନୀତିଜ୍ଞମାନେ ହ୍ୱାଇଟ୍ ହାଉସରେ ଆମେରିକୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଗ୍ରୀନଲ୍ୟାଣ୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ସେମାନେ ବିକ୍ରୟ ପାଇଁ ନୁହେଁ । ହେଲେ ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଳାଶା ତାଙ୍କୁ ଚିନ୍ତାରେ ପକାଇ ଦେଇଛି ।
ଆସନ୍ତା ସପ୍ତାହରେ ଆମେରିକା, ଡେନମାର୍କ ଏବଂ ଗ୍ରୀନଲ୍ୟାଣ୍ଡର ଅଧିକାରୀମାନଙ୍କ ମଧ୍ୟରେ ପୁଣି ଏକ ବୈଠକ ବସିବ । ଟ୍ରମ୍ପ ସ୍ପଷ୍ଟ ଭାବେ କହିଛନ୍ତି, “ ସେମାନେ ପସନ୍ଦ କରନ୍ତୁ ନା କରନ୍ତୁ ନାହଁ, ମୁଁ କିନ୍ତୁ ଗ୍ରୀନଲ୍ୟାଣ୍ଡ ଉପରେ ଆଧିପତ୍ୟ ଜାହିର କରିବି । ଏହାଛଡ଼ା ଆମେରିକାର ସୁରକ୍ଷା ପାଇଁ ଗ୍ରୀନଲ୍ୟାଣ୍ଡ ଉପରେ ନିୟନ୍ତ୍ରଣ ଜରୁରୀ ଏବଂ ରୁଷ୍ ଓ ଚୀନର କାର୍ଯ୍ୟକଳାପକୁ ଉଦାହରଣ ଭାବେ ଉଲ୍ଲେଖ କରିଛନ୍ତି। ତେବେ ଡେନମାର୍କର ବିଶେଷଜ୍ଞମାନେ ଟ୍ରମ୍ପଙ୍କ ଏଭଳି ଦାବିକୁ ଖଣ୍ଡନ କରିଛନ୍ତି ।
ସେପଟେ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡରିକସନ୍ ଚେତାବନୀ ଦେଇଛନ୍ତି ଯେ ଯଦି ଆମେରିକା ଗ୍ରୀନଲ୍ୟାଣ୍ଡ ଉପରେ ଦଖଲ କରିବାକୁ ପ୍ରୟାସ କରେ ତେବେ ଏଇଠୁ ନାଟୋର ଅନ୍ତ ଆରମ୍ଭ ହେବ । ଗ୍ରୀନଲ୍ୟାଣ୍ଡର ଜନସଂଖ୍ୟା ପ୍ରାୟ ୫୭ ହଜାର ଏବଂ ସେଠାରେ ନିଜସ୍ୱ ସୈନ ଶକ୍ତି ନାହିଁ; ତାହାର ସୁରକ୍ଷା ଡେନମାର୍କ କରୁଛି । ଟ୍ରମ୍ପ ଏବଂ ତାଙ୍କ ପ୍ରଶାସନ ଆମେରିକୀୟ ସୁରକ୍ଷାକୁ ମଜବୁତ କରିବା ସହ ବାଣିଜ୍ୟ ଓ ଖଣିଜ ସମ୍ପଦ ପାଇଁ ଗ୍ରୀନଲ୍ୟାଣ୍ଡକୁ ନିୟନ୍ତ୍ରଣ ନେବାକୁ ଚାହୁଁଛନ୍ତି । ଆମେରିକା ପାଇଁ ବଳପୂର୍ବକ ଗ୍ରୀନଲ୍ୟାଣ୍ଡ ଉପରେ ଦଖଲ କରିବା କଠିନ କାମ ନୁହେଁ, କାରଣ ସୈନ୍ୟ ଶକ୍ତିରେ ଡେନମାର୍କ ଆମେରିକା ସମ୍ମୁଖରେ ଦୃଢ଼ ଭାବେ ଠିଆ ହୋଇପାରିବ ନାହିଁ । ଅଟଲାଣ୍ଟିକ୍ କାଉନସିଲର ସ୍କାଉକ୍ରଫ୍ଟ ସେଣ୍ଟର ଫର୍ ଷ୍ଟ୍ରାଟେଜି ଆଣ୍ଡ ସିକ୍ୟୁରିଟିର ଏସୋସିଏଟ୍ ଡାଇରେକ୍ଟର ଇମ୍ରାନ୍ ବାୟୌମି କହିଛନ୍ତି, “ଗ୍ରୀନଲ୍ୟାଣ୍ଡକୁ ନେଇ ଟ୍ରମ୍ପଙ୍କ ହଠାତ୍ ଆଗ୍ରହ ଆମେରିକାର ପୂର୍ବତନ ରାଷ୍ଟ୍ରପତିମାନଙ୍କ ଦ୍ୱାରା ଆର୍କଟିକ୍ ଅଞ୍ଚଳକୁ ଅନଦେଖା କରାଯାଇଥିବାର ପରିଣାମ ଦେଉଛି । ବର୍ତ୍ତମାନ ଆମେ ବୁଝୁଛୁ ଯେ ଆର୍କଟିକ୍ ଅଞ୍ଚଳରେ ଆମର ଉପସ୍ଥିତି ବଢ଼ାଇବା ଆବଶ୍ୟକ ।