ନୂଆଦିଲ୍ଲୀ, ୧୪/୦୫ : ବେଜିଂର ଗ୍ରେଟ୍ ହଲ୍ରେ ଚାଲିଥିବା ୟୁଏସ୍-ଚୀନ ବୈଠକରେ ଏକା ସାଙ୍ଗରେ ଦେଖିବାକୁ ମିଳିଲା ଦୋସ୍ତି-ଦୁଶମନିର ଝଲକ। ପ୍ରଶଂସାରେ ପୋତି ପକାଇଲେ ଟ୍ରମ୍ପ, ହାଲକେଇକି ଚେତାବନୀ ଦେଇଦେଲେ ଜିନପିଙ୍ଗ। ବନ୍ଧୁତ୍ଵର ହାତ ବଢାଇଲେ, ସହଯୋଗ ଏବଂ ସହଭାଗୀତାର କଥା କହିଲେ... ହେଲେ ତାଇୱାନ କଥା ପଡ଼ିଲାରୁ ଚିହିଁକି ଗଲେ ଚୀନ ରାଷ୍ଟ୍ରପତି। ଟ୍ରମ୍ପଙ୍କୁ ମୁହେଁ ମୁହେଁ ଶୁଣାଇଦେଲେ ସି ଜିନପିଙ୍ଗ। କହିଲେ ତାଇୱାନ ପ୍ରସଙ୍ଗ ଚୀନ-ଆମେରିକା ସମ୍ପର୍କ ମଧ୍ୟରେ ଏକ ଗୁରୁତ୍ଵପୂର୍ଣ୍ଣ ଏବଂ ସମ୍ଵେଦନଶୀଳ ପ୍ରଶ୍ନ। ଏହାକୁ ଠିକ୍ ଭାବରେ ସମାଧାନ କରିଦେଲେ ଦୁଇ ଦେଶର ସମ୍ପର୍କ ପାଇଁ ଭଲ। ଏଥିରେ ଟିକେ ବି ଭୁଲଭାଲ୍ ହେଲେ ଚୀନ-ଆମେରିକା ମଧ୍ୟରେ ସଙ୍ଘର୍ଷର ପାଲଟିବ ମୁଖ୍ୟ କାରଣ।
ଜିନପିଙ୍ଗ ଚେତାବନୀ ଦେଇ କହିଛନ୍ତି ଯେ, ତାଇୱାନର ସ୍ଵାଧୀନତା ଏବଂ ତାଇୱାନ ଷ୍ଟ୍ରେଟ୍ ରେ ଶାନ୍ତି... ଦୁଇଟି ଯାକ ଏକା ସାଙ୍ଗରେ ଚାଲିବନି। ଚୀନ ଲଗାତର ତାଇବାନକୁ ଏହାର ଅଂଶ ବୋଲି ଦାବି କରୁଛି। ହେଲେ ତାଇୱାନ ନିଜକୁ ପୃଥକ ବୋଲି ଭାବୁଛି। ଆମେରିକା ଦୀର୍ଘ ଦିନ ହେବ ତାଇୱାନକୁ ଅସ୍ତ୍ର ଏବଂ ରାଜନୈତିକ ସମର୍ଥନ ଦେଇଆସୁଛି। ଯାହାକୁ ନେଇ ଚୀନ ଅସନ୍ତୋଷ ବ୍ୟକ୍ତ କରୁଛି।
ଚେତାବନୀ ଦେବା ପୂର୍ବରୁ ଚୀନ ଆମେରିକା ସହ ସମ୍ପର୍କ ସୁଦୃଢ କରିବା କଥା କହିଥିଲେ। ସେ କହିଥିଲେ ଯେ, ଚୀନ ଏବଂ ଆମେରିକା ପରସ୍ପରର ପ୍ରତିଦ୍ଵନ୍ଦୀ ନୁହେଁ ବନ୍ଧୁ ହେବା ଉଚିତ୍। ବିଶ୍ଵରେ ଶାନ୍ତି ପ୍ରତିଷ୍ଠା ପାଇଁ ମିଳିମିଶି କାମ କରିବା ଉଚିତ୍। ଏହି ବୈଠକରେ ଟ୍ରେଡ୍ ଏବଂ ଟାରିଫ୍ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା। ଟ୍ରେଡ୍ ୱାରରେ କେବେ କାହାର ବି ଲାଭ ହେବ ନାହିଁ ବୋଲି ଜିନିପିଙ୍ଗ କହିଥିଲେ। ତେବେ ବେଜିଂରେ ଚାଲିଥିବା ଚୀନ-ଆମେରିକା ଆଲୋଚନା ସଫଳ ହୋଇଛି। ଦୁଇ ଦେଶ ମଧ୍ୟରେ ବହୁ ବୁଝାମଣା ହୋଇଛି।
ସୂଚନା ଥାଉକି, କିଛି ବର୍ଷ ହେବ ଚୀନ-ଆମେରିକା ସମ୍ପର୍କ ତିକ୍ତତାର ଚରମ ସୀମାରେ ପହଞ୍ଚିଥିଲା। ଟ୍ରେଡ୍ ୱାର, ଚିପ୍ ଟେକ୍ନୋଲୋଜି, ତାଇୱାନ ଭଳି ପ୍ରସଙ୍ଗରେ ଦୁଇ ମହାଶକ୍ତି ଆମ୍ନାସାମ୍ନା ଥିଲେ। ଏବେ ଦୁଇ ଦେଶ ମଧ୍ୟରେ ଟାରିଫକୁ ନେଇ ଅସ୍ଥାୟୀ ବୁଝାମଣା ହୋଇଛି, ହେଲେ ତାଇବାନ ଏବେବି ଫ୍ଲାସ୍ ପଏଣ୍ଟ।
ଏହି ଖବରଟିକୁ ପଢନ୍ତୁ- Trump praises Xi Jinping : ଜିନପିଙ୍ଗଙ୍କୁ ପ୍ରଶଂସାରେ ପୋତି ପକାଇଲେ ଡୋନାଲ୍ଡ ଟ୍ରମ୍ପ, କହିଲେ ସେ ଜଣେ ମହାନ ନେତା... ତାଙ୍କ ସହ ବନ୍ଧୁତା ଗର୍ବର ବିଷୟ