ସକାଳୁ ଉଠୁ ଉଠୁ ଅସଜଡ଼ା ବିଛଣାକୁ ପୁଣି ଥରେ ଭଲଭାବେ ସଜାଡ଼ିଦେବା ଆମର ଅଭ୍ୟାସ । ଏହି ଅଭ୍ୟାସ ଆମର ପରମ୍ପରାଗତ । ଶେଯ ଅସଜଡ଼ା, ଖୋଲାମେଲା ପକାଇଦେଲେ ତାହା ଆମର ବିଶୃଙ୍ଖଳିତ ଆଚରଣ ବୋଲି ପିଲାଦିନୁ ଆମକୁ ତାଗିଦ କରାଯାଇଥାଏ । ଏଣୁ ବିଛଣା ସଜାଡିବା ଏକ ଭଲ ଗୁଣ ବୋଲି ବିବେଚନା କରାଯାଏ । ହେଲେ ନିକଟରେ ଗବେଷଣାରୁ ଏକ ଆଶ୍ଚର୍ଯ୍ୟକର ଖୁଲାସା ହୋଇଛି। ଗବେଷଣାରୁ ଜଣାପଡିଛି ଯେ,ସକାଳ ବିଛଣା ତୁରନ୍ତ ସଜାଡ଼ିବା ଅନୁଚିତ୍ । ଏପରି ଅଭ୍ୟାସ ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।

ଆମେ ଯେତେବେଳେ ରାତିରେ ଶୋଇଥାଉ ଆମର ନିଶ୍ୱାସପ୍ରଶ୍ୱାସ,ଦେହର ଝାଳ ଇତ୍ୟାଦି ବିଛଣାରେ ଆର୍ଦ୍ରଉଷ୍ମତା ସୃଷ୍ଟି କରିଥାଏ । ଏହାକୁ ଚାଦର,ଗଦି,ତକିଆ ଧରି ରଖିଥାଏ। ଏଥିସହିତ ଆମ ଚର୍ମର ମୃତକୋଷିକା ମଧ୍ୟ ବିଛଣାରେ ପଡ଼େ। ଏସବୁ ମିଶି ଯେଉଁ ପରିବେଶ ସୃଷ୍ଟି ହୁଏ ତାହା ‘ଡଷ୍ଟ ମାଇଟ୍’ର ବଂଶବୃଦ୍ଧି ଲାଗି ଅତି ଅନୁକୂଳ । ଡଷ୍ଟ ମାଇଟ୍ ଆମ ଶରୀରରେ ଆଲର୍ଜି, ନିଶ୍ୱାସପ୍ରଶ୍ୱାସରେ ସମସ୍ୟା ସୃଷ୍ଟି କରିବାରେ ଆଗୁଆ । ‘ଡଷ୍ଟ ମାଇଟ୍’ ହେଉଛି ଏକପ୍ରକାର ଅଣୁଜୀବ । ଏମାନେ ଆଠ ଗୋଡ଼ ବିଶିଷ୍ଟ ଆର୍ଥୋପେଡ୍ ଜାତିର । ଏଗୁଡ଼ିକ ଘରେ ବଢ଼ନ୍ତି, ମଣିଷ ଏବଂ ପାଳିତ ପଶୁଙ୍କ ମୃତ ଚର୍ମ ଖଣ୍ଡ ଖାଇଥାନ୍ତି । ବିଛଣା, ଗାଲିଚା ଏବଂ ଆସବାବପତ୍ରର ସନ୍ଧି ଭଳି ଉଷ୍ମ, ଆର୍ଦ୍ର ସ୍ଥାନରେ ବଢନ୍ତି । ଏମାନେ ଘର ଭିତର ଆଲର୍ଜେନର ଏକ ପ୍ରମୁଖ ଉତ୍ସ, ଯାହା ଆଲର୍ଜି ଏବଂ ଶ୍ୱାସରୋଗକୁ ତ୍ୱରାନିତ କରେ ।

ଲଣ୍ଡନର କିଙ୍ଗଷ୍ଟନ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ, ଏକ ସାଧାରଣ ବିଛଣା ୧.୫ ନିୟୁତ ଡଷ୍ଟ ମାଇଟ୍ ଧରି ରଖିଥାଏ । ଯାହା ରାତିରେ ଆଲର୍ଜେନର ନିରନ୍ତର ଉତ୍ସ ସୃଷ୍ଟି କରେ । ତେଣୁ ଯେଉଁ ପରିବାରରେ ଆଜ୍ମା ରୋଗୀ,ଛୋଟ ପିଲା ଓ ବୟସ୍କ ବ୍ୟକ୍ତି ଅଛନ୍ତି ସେମାନଙ୍କ ପାଇଁ ଡଷ୍ଟ ମାଇଟ୍ ସ୍ତର ହ୍ରାସ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୟୁନିଭର୍ସିଟି ଅଫ୍ ପିଟସବର୍ଗର ଏକ ଗବେଷଣାମୂଳକ ରିପୋର୍ଟ ‘ନେଚର ଇମ୍ୟୁନୋଲୋଜି’ରେ ମଧ୍ୟ ପ୍ରକାଶ ପାଇଛି ଯେ ନିଶ୍ୱାସରେ ଡଷ୍ଟ ମାଇଟ୍ ଗ୍ରହଣ କଲେ ତାହା ସାଧାରଣ ଆଲର୍ଜି ସମସ୍ୟାକୁ ବୃଦ୍ଧି କରେ । ସମ୍ପ୍ରତି ଘର ଭିତରର ବାୟୁ ଗୁଣବତ୍ତା ଚିନ୍ତା ଯଥେଷ୍ଟ ବୃଦ୍ଧି ପାଇଛି ।

ଲୋକ ଘରେ ଅଧିକ ସମୟ ବିତାଇବା ସହିତ ଅଜ୍ମା, ଆଲର୍ଜିକ ରାଇନାଇଟ୍ସ ଏବଂ କ୍ରନିକ ସାଇନସ୍ ସମସ୍ୟା ପରି ପରିସ୍ଥିତି ଘର ଭିତରେ ପ୍ରଦୂଷଣଏବଂ ଆଲର୍ଜେନ ସହିତ ବୃଦ୍ଧି ପାଉଛି । ଶୟନ କକ୍ଷ, ଯେଉଁଠାରେ ଲୋକମାନେ ସେମାନଙ୍କ ଜୀବନର ପ୍ରାୟ ଏକ ତୃତୀୟାଂଶ ସମୟ ବିତାଇଥାନ୍ତି,ତାହା ଡଷ୍ଟ ମାଇଟ୍ ମୁକ୍ତ ହେବା ନିହାତି ଦରକାର । ବିଛଣାକୁ ପବନ,ଆଲୋକର ମୁକ୍ତ ଚଳାଚଳ ପାଇଁ ଛାଡ଼ିଦେବା ସହିତ ପ୍ରତି ଦୁଇ ସପ୍ତାହରେ ଗରମ ପାଣିରେ ବିଛଣା ଧୋଇବା, ନିୟମିତ ଭାବରେ ଗଦିକୁ ଭାକ୍ୟୁମ୍ କ୍ଲିନ୍ କରିବା ଏବଂ ତକିଆ ଓ ଗଦିରେ ଧୂଳି ମାଇଟ୍ ପ୍ରତିରୋଧୀ କଭର ବ୍ୟବହାର କରିବା ଉଚିତ୍ ।