ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗୁରୁବାର ନାଟୋ ମୁଖ୍ୟଙ୍କ ଧମକ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ।  ରୁଷ ସହିତ ବାଣିଜ୍ୟ ଜାରି ରଖିଲେ ଭାରତ ଉପରେ 'ଦ୍ୱିତୀୟ ପ୍ରତିବନ୍ଧକ' ଲଗାଇବାକୁ ଧମକ ଦେଇଥିଲେ ନାଟୋ ମୁଖ୍ୟ ।  ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସ୍ପଷ୍ଟ ଭାବରେ କହିଛି ଯେ, ଏହି ମାମଲାରେ 'ଦୋମୁହାଁ ନୀତି' ଚଳିବ ନାହିଁ। ଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ, ଆମେ ଏ ବିଷୟରେ ଖବର ଦେଖିଛୁ ଏବଂ ଆମେ ଏହା ଉପରେ ନଜର ରଖିଛୁ। ଆମ ଲୋକଙ୍କ ଶକ୍ତି ଆବଶ୍ୟକତା ପୂରଣ କରିବା ଆମର ସବୁଠାରୁ ବଡ଼ ପ୍ରାଥମିକତା । 

ନାଟୋର ଦୋମୁହାଁ ନୀତି ବିରୋଧରେ ଚେତାବନୀ ଦେଇ ଜୟସ୍ବାଲ କହିଛନ୍ତି ଯେ, ଆମେ ବଜାରରେ ଉପଲବ୍ଧ ଜିନିଷ ଏବଂ ବିଶ୍ୱ ପରିସ୍ଥିତିକୁ ଦେଖିବା ପରେ ହିଁ ନିଷ୍ପତ୍ତି ନେଇଥାଉ । ଆମକୁ ଏହି ମାମଲାରେ କୌଣସି ପ୍ରକାରର ଡବଲ ଷ୍ଟାଣ୍ଡାର୍ଡ ନୀତି ଏଡାଇବା ଉଚିତ। ବୈଦେଶିକ ମନ୍ତ୍ରଣାଳୟର ଏହି ମନ୍ତବ୍ୟ ନାଟୋ ମୁଖ୍ୟ ମାର୍କ ରୁଟ୍ଟଙ୍କ ବୟାନ ପରେ ଆସିଛି । ସେ ଆମେରିକାର ସିନେଟର ଟମ୍ ଟିଲିସ୍ ଏବଂ ଜିନ୍ ଶାହିନଙ୍କ ସହିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତ, ଚୀନ୍ ଏବଂ ବ୍ରାଜିଲକୁ ରୁଷ ସହିତ ଆର୍ଥିକ ସମ୍ପର୍କର ପୁନର୍ବିଚାର କରିବାକୁ କହିଥିଲେ । ଯଦି ରୁଷ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତ ହେବ ନାହିଁ ତେବେ ' ୧୦୦ ପ୍ରତିଶତ ଦ୍ୱିତୀୟ ପ୍ରତିବନ୍ଧକ'ର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ସେ ଚେତାବନୀ ମଧ୍ୟ ଦେଇଥିଲେ ।




ରୁଟ୍ଟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମତକୁ ଦୋହରାଇଥିଲେ । ପୂର୍ବରୁ  ଟ୍ରମ୍ପ ରୁଷ ସହିତ ବାଣିଜ୍ୟ କରୁଥିବା ଦେଶଗୁଡ଼ିକ ଉପରେ ଭାରୀ ଟିକସ ଲାଗୁ କରିବାକୁ ଧମକ ଦେଇଥିଲେ । ରୁଟ୍ଟ କହିଥିଲେ, ‘ମୁଁ ଏହି ତିନୋଟି ଦେଶକୁ ଏହା ଉପରେ ଧ୍ୟାନ ଦେବାକୁ କହୁଛି ।  କାରଣ ଏହା ସେମାନଙ୍କୁ ବହୁତ କ୍ଷତି ପହଞ୍ଚାଇପାରେ।’ ସେ ଏହି ଦେଶଗୁଡ଼ିକୁ ଆଲୋଚନା ପାଇଁ ରୁଷ ଉପରେ ଚାପ ପକାଇବାକୁ ଅପିଲ୍‌ କରିଥିଲେ। ସେ ଚେତାବନୀ ଦେଇଥିଲେ ଯେ, ‘ଦୟାକରି ଭ୍ଲାଦିମିର ପୁଟିନଙ୍କୁ ଫୋନ୍ କରନ୍ତୁ ଏବଂ ତାଙ୍କୁ ଶାନ୍ତି ଆଲୋଚନା ପାଇଁ କୁହନ୍ତୁ । ନଚେତ୍ ଏହା ବ୍ରାଜିଲ, ଭାରତ ଏବଂ ଚୀନ୍ ଉପରେ ଖରାପ ପ୍ରଭାବ ପକାଇବ।’

ଟ୍ରମ୍ପ୍ ୟୁକ୍ରେନକୁ ଅତିରିକ୍ତ ସାମରିକ ସହାୟତା ଘୋଷଣା କରିବା ପରେ ତାଙ୍କର ଏହି ବିବୃତ୍ତି ଆସିଥିଲା । ଏହି ସହାୟତାରେ ବାୟୁ ପ୍ରତିରକ୍ଷା ପ୍ରଣାଳୀ, କ୍ଷେପଣାସ୍ତ୍ର ଏବଂ ଗୋଳାବାରୁଦ ଅନ୍ତର୍ଭୁକ୍ତ । ଏହାର ଅଧିକାଂଶ ଖର୍ଚ୍ଚ ୟୁରୋପୀୟ ସହଯୋଗୀମାନେ ବହନ କରିବେ। ଶାନ୍ତି ଆଲୋଚନାରେ ସାମିଲ ହେବା ପାଇଁ ରୁଷକୁ ୫୦ ଦିନର ଅଲ୍ଟିମେଟମ ଦେଇଛନ୍ତି ଟ୍ରମ୍ପ । ଯଦି ପୁଟିନ୍‌ ଏନେଇ ରାଜି ନହୁଅନ୍ତି ତେବେ ରୁଷ ଉପରେ ପୁଣି ଟାରିଫ ଲାଗୁ ହେବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ।